୧୧ ତାରିଖ ଯାଏ ସାରା ଓଡ଼ିଶାରେ ମେଘୁଆ ପାଗ ସହ ହେବ ହାଲକା ବର୍ଷା

ଭୁବନେଶ୍ବର : ଆସନ୍ତା ୧୧ ତାରିଖ ଯାଏ ସାରା ଓଡ଼ିଶାରେ ମେଘୁଆ ପାଗ ସହ ହାଲକା ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ‌ ବଡ଼ଧରଣର ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କୁହାଯାଇଛି ଯେ ଓଡ଼ିଶା ଉପରେ ଥିବା ଲଘୁଚାପ ବଳୟ ଗତକାଲିଠାରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହୋଇଛି। ଫଳରେ ମହାନଦୀ ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି। ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ଏବେ ନାହିଁ। ତେବେ ୧୧ ତାରିଖ ରାତିଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଉତ୍ତର ଓଡ଼ିଶା ‌ଦେଇ ବଙ୍ଗୋପସାଗର ଆଡ଼କୁ ଯାଇଥିବା ମୌସୁମୀ ଟ୍ରଫ୍ ଲାଇନ୍‌ ପ୍ରଭାବରେ ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ୧୨ ଓ ୧୩ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ୧୩ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୪, ଝାରସୁଗୁଡ଼ାରେ ୩.୩, ଫୁଲବାଣୀ ଓ ମାଲକାନଗିରିରେ ୨ ମିମି ଲେଖାଏ ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର