ବ୍ରହ୍ମପୁର: ତିନି ମହଲା କୋଠାରେ ଗୁଟ୍‌ଖା ଫ୍ୟାକ୍ଟ୍ରି

ବିପୁଳ ସାମଗ୍ରୀ, ମେସିନ୍‌ ଜବତ, ବ୍ୟବସାୟୀ ଅଟକ

ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍‌ ଗେଟ୍‌ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ମହଲ‌ା ଘରେ ଚାଲିଥିବା ବେଆଇନ ଗୁଟ୍‌ଖା କାରବାର ପର୍ଦ୍ଦାଫାସ୍‌ କରିଛି ପୁଲିସ। ବଡ଼ ବଜାର ଥାନା ପୁଲିସ ସେହି ୩ମହଲା ଘରୁ ବିପୁଳ ପରିମାଣର ବିଭିନ୍ନ କମ୍ପାନିର ଗୁଟ୍‌ଖା, କଞ୍ଚାମାଲ ଓ ମେସିନ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ହାଉସିଂ ବୋର୍ଡ଼ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

ଫାଷ୍ଟଗେଟ ଅଞ୍ଚ‌ଳରେ ଏକ ନିର୍ଦ୍ଦିଷ୍ଟ ଘରେ ବେଆଇନ ଗୁଟ୍‌ଖା ପ୍ରସ୍ତୁତ ହେଉଥିବା ନେଇ ସୂଚନା ମିଳିଥିଲା। ଏହାବରେ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ୩ମହଲା ଘର ଯାଞ୍ଚ ପରେ ସେଠାରୁ ଗୁଟ୍‌ଖା ଜବତ ହୋଇଥିଲା। ଶିବାଜୀ କମ୍ପାନିର ଗୁଟ୍‌ଖା ସେଠାରେ ପ୍ରସ୍ତୁତ ହେଉଥିବା ଜଣା ପଡ଼ିଥିଲା। ଅନ୍ୟ ରାଜ୍ୟରୁ ମେସିନ୍‌, କଞ୍ଚାମାଲ ଓ ପଲିଥିନ୍‌ ପ୍ୟାକେଟ୍‌ ଆଣି ଏଠାରେ ଏହି ବେଆଇନ କାରବାର ଚାଲିଥିଲା। ଘଟଣାସ୍ଥଳରୁ ପ୍ରାୟ ୧୫ବସ୍ତା ଗୁଟ୍‌ଖା, କଞ୍ଚାମାଲ ଜବତ ହୋଇଥିବା ବେଳେ ବିଭିନ୍ନ କମ୍ପାନିର ଗୁଟ୍‌ଖା ପଲିଥିନ୍‌ ପ୍ୟାକେଟ୍‌ ଜବତ ହୋଇଛି। ସେହିପରି ପ୍ରାୟ ୮ଟି ମିକ୍ସଚର୍‌ ଓ ପ୍ୟାକିଂ ମେସିନ୍‌ ଜବତ ହୋଇଥିବା ଜଣାପଡ଼ିଛି। ଏ ଦିଗରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୮/୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ୩ମହଲା ଘରେ ବେଆଇନ ଗୁଟ୍‌ଖା ପ୍ରସ୍ତୁତ କରି ତାହା ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ବଡ଼ ବଜାର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଭଳି ବେଆଇନ ଗୁଟ୍‌ଖା ଫ୍ୟାକ୍ଟ୍ରି ଓ ଗୋଦାମ ଠାବ କରିଥିଲା।

ନକଲି ସସ୍‌ ଫ୍ୟାକ୍ଟ୍ରି ସିଲ୍‌
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍‌ଗେଟ୍‌ ଗଣପତିନଗରରୁ ଠାବ ହୋଇଛି ଏକ ନକଲି ସସ୍‌ ଫ୍ୟାକ୍ଟ୍ରି। ସକାଳେ ବେଆଇନ ଗୁଟ୍‌ଖା କାରଖାନା ଧରାପଡ଼ିଥିବା ବେଳେ ରାତିରେ ପର୍ଦ୍ଦାଫାସ୍‌ ହୋଇଛି ନକଲି ସସ୍‌ କାରବାର। ଗଣପତିନଗରରେ ଥିବା ସେହି ସସ୍‌ ଗୋଦାମକୁ ପୁଲିସ ସିଲ୍‌ କରିଛି। ଜନୈକା ମହିଳା ଏହି କାରବାର ଚଳାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସେହି ଫ୍ୟାକ୍ଟ୍ରି ଗୋଦାମରୁ ୨୨୦ପେଟି ଟମାଟୋ, ଚିଲି ଓ ସୋୟା ସସ୍‌ ଜବତ ହୋଇଛି। ସେଠାରେ ଅତ୍ୟନ୍ତ ନିମ୍ନମାନର ସସ୍‌ ତିଆରି କରି ବଜାରରେ ବିକ୍ରି କରା ଯାଉଥିଲା ବୋଲି ଜଣାପଡ଼ିଛି। ତେବେ ଏହି କାରବାର ପଛରେ ଆଉ କାହାର ହାତ ରହିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ୍‌, ଫାଷ୍ଟଫୁଡ୍‌ ଦୋକାନରେ ଏହି ନକଲି ସସ୍‌ ବ୍ୟବହାର ହେଉଥିଲା ବୋଲି ଜଣାପଡ଼ିଛି। ଅତ୍ୟନ୍ତ ନିମ୍ନମାର ସାମଗ୍ରୀ ବ୍ୟବହାର କରି ସେଠାରେ ସସ୍‌ ପ୍ରସ୍ତୁତ ହେଉଥିଲା। ପୁଲିସ କୌଣସି ସୂତ୍ରରୁ ଖବର ପାଇ ରାତିରେ ସେଠାରେ ଚଢ଼ଉ କରି ଗୋଦାମ ସିଲ୍‌ କରିଛି। ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପ୍ରମୁଖ ଚଢ଼ଉରେ ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର