ଡଙ୍କାରୀ ପାହାଡ଼ରୁ ଏମିତି ହେଉଥିଲା ଲୁଟ୍‌!

୧ ମାସ ପାଇଁ ପରମିଟ୍‌, ୩ ମାସ ୧୦ ଦିନ ଧରି କଳା ଲୁହାପଥର ଚାଲାଣ
ଶୀତଦିନରେ ବି ୭୦ ଦିନ ବର୍ଷା ହୋଇଥିବା ରିପୋର୍ଟ ଦେଇଥିଲେ ଆର୍.ଆଇ.

ଯାଜପୁର/ଚଢେଇଧରା : ଡଙ୍କାରୀ ପାହାଡ଼ରୁ କେଉଁଭଳି ଭାବେ କୋଟି କୋଟି ଟଙ୍କାର କଳାପଥର(ଗ୍ରାନାଇଟ୍) ଚୋରାଚାଲାଣ କାରବାର ହେଉଥିଲା, ତାହାର ଗୁମର ଖୋଲିଛି। କାରବାରରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ତହସିଲର କେତେକ କର୍ମଚାରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ସ୍ପଷ୍ଟ ଜଣାପଡ଼ିଛି। ଗୋଟିଏ ପଟେ, ଏକମାସ ପାଇଁ ଅସ୍ଥାୟୀ ପରିମିଟ ବଦଳରେ ୩ମାସ ୧୦ଦିନ ଧରି ଲକ୍ଷଲକ୍ଷ ଘନମିଟର କଳାପଥର ଚୋରାଚାଲାଣ ହେଉଥିଲା। ଅନ୍ୟପଟେ, ଏହି କାରବାରକୁ ଜାରି ରଖିବା ପାଇଁ ଡଙ୍କାରୀ ଆରଆଇ ଶୀତଦିନରେ ୭୦ଦିନ ବର୍ଷା ହେଉଥିବା ଦର୍ଶାଇଥିଲେ। ଏହା ଜଣାପଡ଼ିବା ପରେ ସାଧାରଣରେ ବି ବିସ୍ମୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଡଙ୍କାରୀ ଆରଆଇ ସର୍କଲ ଅଧୀନ ଖାତା ନମ୍ବର ୨୨୧ ଓ ପ୍ଲଟ୍ ୩୦୦ର କ୍ବାରି ନମ୍ବର ୩/୯ ଓ ୫/୧୦କୁ ଗତ ଅକ୍ଟୋବର ୨୧ତାରିଖରେ ଏକ ମାସ ପାଇଁ ପୂର୍ବତନ ତହସିଲଦାର ସରୋଜ ପଣ୍ଡା ଅସ୍ଥାୟୀ ପରିମିଟ୍ ଦେଇଥିଲେ। ଏହାର ସମୟସୀମା ଗତ ନଭେମ୍ବର ୨୧ରେ ଶେଷ ହେବାର ଥିଲା। ଇତିମଧ୍ୟରେ ତହସିଲଦାର ଶ୍ରୀ ପଣ୍ଡାଙ୍କ ବଦଳି ପରେ ନୂତନ ତହସିଲଦାର ପ୍ରଶାନ୍ତ ସାମନ୍ତରାୟ ଯୋଗ ‌ଦେଇଥିଲେ। ଅବଧି ଶେଷର ୧୫ଦିନ ପରେ ଡିସେମ୍ବର ୪ତାରିଖରେ ସେହି ଅସ୍ଥାୟୀ ପରିମିଟକୁ ନବୀକରଣ କରାଯାଇଥିଲା। ଯାହାର ସମୟ ସୀମା ମଧ୍ୟ ଜାନୁଆରି ୪ ତାରିଖରୁ ଶେଷ ହୋଇଯାଇଛି। ଅଥଚ ଚଢ଼ଉ ହେଲା ୨୫ ଦିନ ପରେ ଅର୍ଥାତ୍‌ ଜାନୁଆରି ୩୧ତାରିଖରେ। ମାସେ ବଦଳରେ ଅସ୍ଥାୟୀ ପରମିଟ୍ ନାମରେ ୩ମାସ ୧୦ଦିନ ଧରି ପ୍ରାୟ ୫ଲକ୍ଷ ଘନମିଟର କଳାପଥର ଚୋରା ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଡଙ୍କାରିରେ ଚଢ଼ଉ କରାଯାଇ ୩ଟି ପ୍ରୋକ୍‌ଲିନ୍‌ ମେସିନ, ୨ଟି ହାଇୱା, ଗୋଟିଏ ଡମ୍ପର, ଟ୍ରାକ୍ଟର ଏବଂ କମ୍ପ୍ରେସର ଜବତ କରାଯାଇଥିଲା।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଅସ୍ଥାୟୀ ପରମିଟ୍ ସମୟ ସୀମା ବୃଦ୍ଧି ପାଇଁ ଡଙ୍କାରୀ ଆରଆଇ ମନୋଜ ସ୍ବାଇଁ ଶୀତ ଦିନରେ ବି ୭୦ ଦିନ ବର୍ଷା ହୋଇଥିବାର କାଗଜପତ୍ରରେ ଦର୍ଶାଇଛନ୍ତି। ଯାହାକି ମହାଦୁର୍ନୀତିକୁ ନେଇ ସ‌ନ୍ଦେହ ବୃଦ୍ଧି ପାଇଛି। ୫ଲକ୍ଷ ଘନମିଟର କଳାପଥର ଚୋରାଚାଲାଣରେ ପ୍ରାୟ ଶହେ କୋଟି ଟଙ୍କାର କାରବାର ହୋଇଥିବାବେଳେ ସରକାର ୧୦କୋଟି ଟଙ୍କା ରାଜସ୍ବ ହରାଇଛନ୍ତି ବୋଲି ଆକଳନ କରାଯାଇଛି। ଏପରିସ୍ଥଳେ ତହସିଲ୍‌ରୁ ଅସାଧୁ କର୍ମଚାରୀଙ୍କ କାରନାମା ଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।

ସ୍ଥାନୀୟ ଅଧିବ‌ାସୀଙ୍କ କହିବାନୁଯାୟୀ, କରୋନା ବାହାନାରେ ଧର୍ମଶାଳା ତହସିଲ ରାଜସ୍ବ ଆଦାୟ ଅତି ନୈରାଶ୍ୟଜନକ ଥିବାବେଳେ ପଥର ବ୍ୟବସାୟୀମାନେ କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କି ଚାଲିଛନ୍ତି। ତହସିଲ ପକ୍ଷରୁ ସେମାନଙ୍କୁ ସହଯୋଗ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବା ସହିତ ଚୋରା କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମୁଖା ଖୋଲିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର