ଜାତୀୟ ରାଜପଥରେ ବେଆଇନ ପାର୍କିଂ, ୩ ଟ୍ରକ ଚାଳକ ଗଣିଲେ ସାଢ଼େ ୩୬ ହଜାର ଜରିମାନା

ଜୟପୁର: ଜୟପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ପାର୍କିଂ ପାଇଁ ବାରଣ ‌ହୋଇଛି। ଏଥିସହ ଏନେଇ ଗାଡି ମାଲିକଙ୍କୁ ବାରମ୍ବାର ଅବଗତ କରାଯାଉଛି। କିନ୍ତୁ ସେଥିରେ ସୁଫଳ ମିଳିପାରୁ ନାହିଁ। ଓଲଟା ଗାଡିମାଲିମାନେ ଟ୍ରକ ଓ ବସ୍‌କୁ ଜାତୀୟ ରାଜପଥରେ ରଖି ଅଧା ରାସ୍ତା ଅବ‌ରୋଧ କରୁଛନ୍ତି। ଏନେଇ ଆଞ୍ଚଳିକ ପରିବହନ ବିଭାଗ, ପୁଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବ‌େ ଯାଞ୍ଚ କରି ଜରିମାନା ଆଦାୟ କରାଯାଇଛି।

ଆଜି ରାତିରେ ସ୍ଥାନୀୟ ଢ଼େପଗୁଡା ଛକ ଠାରୁ ଗାନ୍ଧୀ ଛକ ମଧ୍ୟରେ ଜାତୀୟ ରାଜପଥରେ ପାର୍କିଂ କରିଥିବା ୩ଟି ଟ୍ରକ ଚାଳକଙ୍କ ଠାରୁ ୩୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରଥମେ ଗୋଟିଏ ଟ୍ରକରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଦ୍ବିତୀୟ ଟ୍ରକଟି ରାସ୍ତା ଉପରେ ପାର୍କିଂ କରିବା ସହ କାଗଜପତ୍ର ନଥିବାରୁ ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ତୃତୀୟ ଟ୍ରକଟିର ଚାଳକ ମଦ୍ୟପାନ କରି ଗାଡି ଚଳାଇବା ସହ କାଗଜପତ୍ର ନଥିବା ବେଳେ ଗାଡି ଜାତୀୟ ରାଜପଥରେ ପାର୍କିଂ କରିଥିବାରୁ ୨୫ ହଜାର ୫୦୦ ଟଙ୍କା ଜରିମାନା ଦେଇଛନ୍ତି। ଏହି ଯାଞ୍ଚ ସମୟରେ କୋରାପୁଟ ଅତରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି, ସହକାରୀ ମୋଟର ଯାନ ନିରୀକ୍ଷକ ପି ନାଗଭୂଷଣ ରାଓ, ଟାଉନ ଥାନା ଏସ୍‌ଆଇ ଶୁକ୍ଲା ମଣ୍ଡଳ, ଉପଖଣ୍ଡ ଲୋକ ସୂଚନା ସର୍ମ୍ପକ ଅଧିକାରୀ ପିତବାସ ବିଶ୍ବାଳଙ୍କ ସମେତ ପୁଲିସ ଓ ପରିବହନ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର