ଚାନ୍ଦପୁରରେ ଚାଲିଛି ବେଆଇନ ବାଲିଘାଟ: ପ୍ରତିଦିନ ଲୁଟ୍‌ ହେଉଛି ଶହଶହ ଟ୍ରିପ ବାଲି, ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି

ବ୍ରହ୍ମବରଦା : ରସୁଲପୁର ବ୍ଲକ ମହେଶ୍ବରପୁର ପଞ୍ଚାୟତ ଚାନ୍ଦପୁରରେ ଚାଲିଛି ବେଆଇନ ବାଲିଘାଟ। ୭ ମାସରୁ ଅଧିକ ହେଲାଣି ବିନା ରୟାଲିଟରେ ଏହି ବାଲିଘାଟରୁ ଖନନ ହେଉଛି। ଫଳରେ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି। ପ୍ରତିଦିନ ଶହଶହ ଟ୍ରିପ ବାଲି ଲୁଟ୍‌ ହେଉଛି।

ମହେଶ୍ବରପୁର ପଞ୍ଚାୟତ ବ୍ରହ୍ମଣୀ ନଦୀର ୧୦ ଏକର ପରିମିତ ଚାନ୍ଦପୁର ଘାଟରୁ ବାଲି ଉତ୍ତୋଳନ ପାଇଁ ସରକାରୀ ଭାବେ ୨୦୧୯ ରେ ଅନୁମତି ଦିଆଯାଇଥିଲା। ଏନେଇ ଠିକାଦାର ଅଗଷ୍ଟ ୯ ତାରିଖରେ ୧୨ ଲକ୍ଷ ୮୮ ହଜାର ୨୯୭ ଟଙ୍କାରେ ରୟାଲିଟି କାଟିଥିଲେ। ପରେ ୨୦୨୦ ଅକ୍ଟୋବର ୧୬ ତାରିଖରେ ୧୨ଲକ୍ଷ ୮୯ ହଜାର ୯୨୭ ଟଙ୍କାରେ ରୟାଲିଟି ଭରଣା କରାଯାଇଥିଲା। ସେବେଠାରୁ ଆଉ ରୟାଲିଟି ଭରଣା କରା ନଯାଇ ଠିକାଦାର ବେଧଡ଼କ ଭାବେ ପ୍ରତିଦିନ ଶହଶହ ଟ୍ରିପ ବାଲି ଉଠାଇ ଚାଲିଛନ୍ତି।

ଘାଟରେ ମେସିନ ପରିବର୍ତ୍ତେ ଶ୍ରମିକଙ୍କ ଦ୍ବାରା ବାଲି ବୋଝେଇ କରିବାର ନିୟମ ରହିଥିଲେ ବି ଏହାର ଖୋଲା ଉଲ୍ଲଂଘନ ହେଉଛି। କରୋନା ସମୟରେ ଶ୍ରମିକଙ୍କୁ କାମ ଦେବା ପାଇଁ ସରକାର ନୂଆ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ୩-୪ଟି ମେସିନରେ ଦିନରାତି ବାଲି ଉଠାଯାଇ ହାଇୱା, ଟିପର, ଟ୍ରାକଟର ଆଦି ବଡ଼ ଗାଡ଼ିରେ ଶହଶହ ଟ୍ରିପ ବାଲି ଚାଲାଣ ହେଉଛି। ୧୦ ଏକର ପରିମିତ ସ୍ଥାନରୁ ବାଲି ଉଠାଇବାକୁ ନିୟମ ରହିଥିବାବେଳେ ଠିକାଦାର ଧର୍ମଶାଳା ଅଞ୍ଚଳର ଅଧିକ ୫ ଏକର ଜାଗା ମାଡ଼ି ଯାଇଥିବା ଦେଖିବାକୁ ମିଳୁଛି। ବାଲି ବୋଝେଇ ଓଭରଲୋଡି˚ ଗାଡ଼ିଗୁଡ଼ିକ ଦିନରାତି ଯାତାୟାତ କରିବା ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ରାସ୍ତାଘାଟ ଭାଙ୍ଗି ନଷ୍ଟ ହେଉଛି। ଅଧା ପାଲ ପକାଇ ବାଲି ପରିବହନ ହେଉଥିବାରୁ ତାହା ଉଡ଼ି ବାଇକ୍‌, ସାଇକଲରେ ଯାଉଥିବା ଲୋକଙ୍କ ପାଇଁ ଦୁର୍ଘଟଣାର କାରଣ ହେଉଛି।

ବାଲି ଉଡ଼ିବା ଦ୍ବାରା ପୋଲଠୁ ଆରମ୍ଭ କରି ରାସ୍ତା ସାରା ବାଲିମୟ ହେଉଛି। ଏନେଇ ଗ୍ରାମବାସୀ ବହୁବାର ବିରୋଧ କରିଥିଲେ ବି ପ୍ରଶାସନ ଦୃଷ୍ଟି ଦେଉନାହିଁ। ଜିଲ୍ଲାପ୍ରଶାସନ ଏହି ଘାଟ ଚାଲିବା ପାଇଁ ଗୋଟିଏ ନିର୍ଦିଷ୍ଟ ରୁଟ ଦେଇଥିଲେ ବି ଲିଜ୍‌ଧାରୀ ମନଇଚ୍ଛା ରାସ୍ତା କରି ଚାଷଜମିରେ ବାଲି ବୁହାହେଉଛି। ସେହିପରି ବ୍ରହ୍ମବରଦା ଓ କାକୁଡ଼ିକୁଦ ଅନ୍ୟ ଦୁଇଟି ଘାଟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏନେଇ ରସଲପୁର ତହସିଲଦାର ନିର˚ଜନ ସାହୁ କୁହନ୍ତି, ସେ ନୂତନଭାବେ ଯୋଗ ଦେଇଥିବାରୁ ଏ ବିଷୟରେ କିଛି ଜାଣି ନାହାନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର