ଚିଲିକାରୁ ଅବାଧ ଯାଆଁଳ ଚାଲାଣ

ବ୍ରହ୍ମଗିରି : ଚିଲିକାରୁ ପ୍ରତିଦିନ ଅବାଧରେ ଯାଆଁଳ ଚୋରା ଚାଲାଣ ଚାଲିଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଖବର ନେବାରେ ଜଣାପଡିଛି ଚିଲିକା କୂଳରେ ଏବେ କେତେକ ଅଞ୍ଚଳର ଲୋକେ ଯାଆଁଳ ଧରିବାରେ ଲାଗିଛନ୍ତି। ବିଭିନ୍ନ ପ୍ରଜାତିର ମାଛ ଓ ଚିଙ୍ଗୁଡି ଯାଆଁଳ ଧରା ଚାଲିଛି। ଖଙ୍ଗା, ଡାଙ୍ଗଳା, ସୋରଡା ଭଳି ପ୍ରଜାତିର ମାଛ ଉତ୍ପାଦନ କମିବାରେ ଲାଗିଛି। ସେହିପରି ଚିଙ୍ଗୁଡି ଉତ୍ପାଦନ ମଧ୍ୟ କିମିବାରେ ଲାଗିଛି। କଣ୍ଟଳି, ପାନୁ, ମରଡା,ବାଗଦା ପ୍ରଜାତିର ଚିଙ୍ଗୁଡି କମିବାରେ ଲାଗିଛି। ଏବେ ଚିଲିକାରେ ଯାଆଁଳ ସବୁ ପ୍ରବଳ ସଂଖ୍ୟାରେ ବୁଲୁଛନ୍ତି। ଏହି ସବୁ ଯାଆଁଳ ଧରିବାକୁ ସକାଳୁ ସକାଳୁ ଚିଲିକା କୂଳରେ ପ୍ରବଳ ଭିଡ଼ ଲାଗୁଛି। ଏକ ଛୋଟ ଜାଲ ସାହାଯ୍ୟରେ ଯାଆଁଳ ଧରି ବଡ଼ ହଣ୍ତାରେ ପୂରାଇ କୂଳକୁ ଅଣାଯାଉଛି। ଏହାକୁ ବେପାରୀମାନେ ପଲିଥିନ୍‌ ପ୍ୟାକେଟ୍‌ରେ ପୂରାଇ ଜରି ବସ୍ତାରେ ପ୍ୟାକ୍‌ କରି ବିକ୍ରି କରୁଛନ୍ତି। ଚିଲିକାରେ ଯାଆଁଳ ଧରିବା ପାଇଁ କଟକଣା ରହିଛି। ସେଥିପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ରହିଛି। କିନ୍ତୁ ଏହି କଟକଣା ସବୁ କାଗଜ କଲମରେ ଚାଲିଛି। ସେହିପରି ଚିଲିକା ଉନ୍ନୟନ କତ୍ତୃର୍ପକ୍ଷଙ୍କ ପକ୍ଷରୁ ମଧ୍ୟ ଚିଲିକାରେ ଯାଆଁଳ ଧରିବାକୁ ବାରଣ କରାଯାଇଛି। କିନ୍ତୁ ଏହି କଟକଣାକୁ ବେପାରୀମାନେ ମାନୁ ନାହାନ୍ତି। ଯାଆଁଳ ଚୋରା ଚାଲାଣକୁ ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ମତ୍ସଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର