କୁଚିଣ୍ଡା ଅତିରିକ୍ତ ତହସିଲଦାରଙ୍କ ଗିରଫ ପରେ ପଦାକୁ ଆସୁଛି ବେଆଇନ୍‌ କାମ

ଜଙ୍ଗଲ ପଦା କରି ଖୋଳା ହୋଇଛି ଏକାଧିକ ପାଉଁଶ ପୋଖରୀ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଖୋଣ୍ଡୋକଟା ପଞ୍ଚାୟତର ଜୁନାନୀ ନିକଟରେ ଏକାଧିକ ପାଉଁଶ ପୋଖରୀ ଦେଖିବାକୁ ମିଳିଛି। ଏଠାରେ ଥିବା ଜଙ୍ଗଲକୁ ପଦା କରି ଏପରି ପୋଖରୀ ଖୋଳାଯାଇଛି। ଜଙ୍ଗଲ ଭିତରେ ପାଉଁଶ ପୋଖରୀ ଖୋଳିବା ପାଇଁ ବହୁ ସଂଖ୍ୟାରେ ମୂଲ୍ୟବାନ ଗଛ କଟାଯାଉଛି । ଉକ୍ତ ଗଛକୁ କିଏ ନେଇଛି ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶନିବାର କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଭିଜିଲାନ୍‌ସ ଟିମ୍‌ ଗିରଫ କରିବା ପରେ ଧୀରେ ଧୀରେ ଏପରି ବେଆଇନ୍‌ କାର୍ଯ୍ୟକଳାପ ଲୋକଲୋଚନକୁ ଆସିବାରେ ଲାଗିଛି। ଜଙ୍ଗଲ ଜମି ପଦା କରି ଏପରି ପାଉଁଶ ପୋଖରୀ ଖୋଳିବା କାମ ଯେ ଦୀର୍ଘ ଦିନରୁ ଚାଲି ଅସାଥୁଲା ତାହା ସ୍ପଷ୍ଟ ହେବାରେ ଲାଗିଛି। ଏ‌ହା ସହିତ ପ୍ରଶାସନର ଅଜାଣତରେ ଯେ ଏପରି କାମ ହୋଇଛି ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ପ୍ରାଶାସନିକ ଅଧିକାରୀ, ସ୍ଥାନୀୟ ଠିକାଦାର ଏବଂ କାରଖାନା କର୍ତୃପକ୍ଷଙ୍କ ଅସାଧୁ ମେଣ୍ଟକୁ ନେଇ ହୋଇଥିବା ରାକେଟ ଏପରି ବେଆଇନ୍‌ କାମ କରିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।

ମାଟି, ମୂଲ୍ୟବାନ ଗଛ ଗାଏବ

ବଡ଼ଧରରଣ ରୢାକେଟ୍‌ ସନ୍ଦେହ

ନଷ୍ଟ ହେଉଛି ପରିବେଶ, ଲୋକଙ୍କ ଜୀବନ ସହିତ ଖେଳ

କୁହାଯାଉଛି ଝାରସୁଗୁଡ଼ା ଶିଳ୍ପାଞ୍ଚଳ ବିଭିନ୍ନ କାରଖାନାରୁ ବାହାରୁଥିବା ପାଉଁଶ କୁଚିଣ୍ଡା ବ୍ଲକ ରବଡେଗା ନାଳା ନିକଟରେ ଗଦା କରାଯାଉଛି। ସେଠାରେ ଏଥିପାଇଁ ବିରାଟ ବିରାଟ ପାଉଁଶ ପୋଖରୀ ଖୋଳାଯାଇଛି। ପୋଖରୀ ଖୋଳି ସେଥରୁ ବାହାରୁଥିବା ମାଟିକୁ ଅନ୍ୟତ୍ର ବିକ୍ରି କରିବା ପରେ ସେଠାରେ ପାଉଁଶ ପକାଇ ଭର୍ତ୍ତି କରାଯାଉଛି। ପୋଖରୀ ଖନନ କରି ମାଟି ବିକ୍ରି କରୁଥିବା ଘଟଣା ଉପଜିଲ୍ଲାପାଳଙ୍କ ନଜରରେ ଆସିବାପରେ ଏହି କାମରେ ନିୟୋଜିତ ଗାଡ଼ି ଓ ଜେସିବି ମେସିନ୍‌କୁ ତହସିଲଦାର ଜବତ କରି ଥାନା ଜିମା ଦେଇଥିଲେ। ବେଆଇନ ମାଟି ଖନନ, ଜଙ୍ଗଲ ପଦା କରିବା, ମୂଲ୍ୟବାନ ଗଛ କାଟି ନଷ୍ଟ କରିବା ପରି ସଂଗିନ ଅଭିଯୋଗରେ ପୋଖରୀ ଖନନ କରୁଥିବା ବ୍ୟକ୍ତିଙ୍କ ନାମରେ ପାଞ୍ଚଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ଜରିମାନା ଅର୍ଥକୁ ‌ହ୍ରାସ କରିବା ଏବଂ ଜବତ ଗାଡ଼ିକୁ ଛାଡ଼ିଦେବା ନେଇ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ୭ ତାରିଖ ଦିନ ଅଶୋକ ପଟେଲ ନାମକ ଜଣେ ଠିକାଦାରଙ୍କ ଅଭିଯୋଗରେ ଅତିରିକ୍ତ ତହସିଲଦାର ସାରଦା ମହାରଣା ଲାଞ୍ଚ ନେଉଥିବା ସମୟରେ ଭିଜଲାନ୍ସ ଜାଲରେ ଧରାପଡ଼ି ଜେଲ ଯାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି କୁଚିଣ୍ଡା ଜୁନାନୀ ନିକଟରେ ପାଉଁଶ ପୋଖରୀ ଖନନ ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ଜୁନାନୀ ଢାବା ପଛପଟେ ରବଡେଗା ନାଳ ନିକଟରେ ମଧ୍ୟ ଏକ ବିରାଟ ପୋଖରୀ ଖୋଳାଯାଇଛି। ତା’ ଭିତରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କାରଖାନାରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀ ଓ ପାଉଁଶ ଭର୍ତ୍ତି କରାଯାଇଛି। ଏଠାରେ ବାହାରିଥିବା ମାଟି କାହା ଅନୁମତିରେ ଏବଂ କାହାକୁ କେତେ ଟଙ୍କାରେ ବିକ୍ରି କରାଯାଇଛି ତାହାର ହିସାବ କାହା ପାଖରେ ନାହିଁ।  ପ୍ରାୟ ୬ ହଜାର ଟ୍ରିପରୁ ଅଧିକ ପାଉଁଶ ଏଠାରେ ଗଦା କରାଯାଇଛି। ଏପରିକି ଖୋଳାଯାଇଥିବା ପୋଖରୀରୁ ପ୍ରାୟ ୩୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପାଉଁଶ ଗଦା କରାଯାଇଛି। ଏଠାରୁ ବାହାରିଥିବା ମାଟି ଗାଏବ ହୋଇଯାଇଥିବା ବେଳେ ଜଙ୍ଗଲ ପଦା। ଜଙ୍ଗଲରେ ଥିବା କାଠଗୁଡ଼ିକ ମଧ୍ୟ କୁଆଡ଼େ ଗଲା ତାହାର ମଧ୍ୟ ଖୋଜ ଖବର ନାହିଁ।

ଏହା ଗୋଟିଏ କି ଦୁଇ ଦିନର କାମ ନୁହେଁ। ଏହି କାମକୁ ଅତି ଚତୁରତାର ସହିତ ମାସ ମାସ ଧରି କରାଯାଉଥିଲା। ଏଥିରେ ରାଜନେତାଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀ ଓ ଜଙ୍ଗଲ ବିଭାଗର କିଛି କର୍ମଚାରୀଙ୍କ ହାତ ଥିବା ଅନୁମାନ କରାଯାଉଛି। ରାଜନେତାଙ୍କ ଆଶୀର୍ବାଦରେ କିଛି ସରକାରୀ କର୍ମଚାରୀ ଏହାକୁ ସଫଳତାର ସହିତ ପରିଚାଳନା କରୁଥିବା ବେଳେ ଏହା ଏବେ ଲୋକଲୋଚନକୁ ଆସିଛି। ଜଙ୍ଗଲ କାଟିବା, ଜଙ୍ଗଲ ଭିତରୁ ମାଟି ଖନନ କରି ବିକ୍ରି କରିବା ଘଟଣାରେ ଯେ ବଡ଼ ଧରଣର ରାକେଟ କାମ କରୁଛି ତାହା ତଦନ୍ତସାପେକ୍ଷ ବୋଲି ଅଞ୍ଚଳର ପରିବେଶବିତ୍‌ ଦାବି କରୁଛନ୍ତି। ସେହିପରି ସ୍ଥାନୀୟ ଆରଆଇ, ଫରେଷ୍ଟ ଗାର୍ଡ କିମ୍ବା ରାଜନୈତିକ କର୍ମୀମାନେ କ’ଣ କରୁଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଯଦି ପ୍ରଶାସନ ଜାଣତରେ ହେଉଥିଲା, ତାହା ହେଲେ ସାରଦା ମହାରଣାଙ୍କ ପୂର୍ବରୁ ଥିବା ତହସିଲ କର୍ମଚାରୀ, ଜଙ୍ଗଲ ବିଭାଗ ନିରବ ରହିବା ପଛରେ ରହସ୍ୟ କ’ଣ ? ବର୍ଷା ହେଲେ ପାଉଁଶ ପୋଖରୀରୁ ପାଣି ଆସି ରବଡେଗା ନଦୀ ଭିତରେ ପଶିବ। ଏହା ସହିତ ନିକଟସ୍ଥ ଚାଷ ଜମି ମଧ୍ୟ ନଷ୍ଟ ହୋଇଯିବ। ଏହା ବାଦ ହାଡିପାଲି ପଞ୍ଚାୟତରେ ମଧ୍ୟ ପାଉଁଶ ଗଦା କରାଯାଇଛି। ଏହି କାର୍ଯ୍ୟରେ ପଡ଼ୋଶୀ ନିର୍ବାଚନ ମଣ୍ଡଳୀର ପ୍ରଭାବଶାଳୀ ଲୋକ ତଥା ସ୍ଥାନୀୟ କିଛି କୁଜିନେତାଙ୍କ ହାତ ଥିବା ବାବଦରେ ଚର୍ଚ୍ଚା ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ନିର୍ମାଣ ସରିଥିବା ପାଉଁଶ ପୋଖରୀ ମାଲିକଙ୍କୁ ପରିବେଶ ନଷ୍ଟ କରି ଲୋକଙ୍କ ଜୀବନ ସହିତ ଖେଲୁଥିବା ଅଭିଯୋଗରେ ଜରିମାନା ସହିତ ଆଜୀବନ ଦଣ୍ଡାଦେଶ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର