ଆଗୁଆ ନିର୍ବାଚନ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପାଇଁ ୨୦୧୯ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରସ୍ତୁତ କରିବାକୁ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ(ସିଇଓ) ଭୋଟର୍‌ ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେହେତୁ ଚୂଡ଼ାନ୍ତ ତାଲିକା ଜାନୁଆରିରେ ପ୍ରକାଶ ପାଇବ, ତେଣୁ ଆଗୁଆ ନିର୍ବାଚନର ଆଦୌ ସମ୍ଭାବନା ନାହିଁ ବୋଲି କୁହାଯାଉଛି। କିନ୍ତୁ ଆଜି ତେଲେଙ୍ଗାନା ସିଇଓଙ୍କ ଏକ ପ୍ରେସ୍‌ ବିବୃତି ଆଗୁଆ ନିର୍ବାଚନ ସମ୍ଭାବନାକୁ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି।

ଏହି ପ୍ରେସ୍‌ ବିବୃତିରେ ତେଲେଙ୍ଗାନା ସିଇଓ କହିଛନ୍ତି, ୨୦୧୯ ଜାନୁଆରି ସୁଦ୍ଧା ଭୋଟର୍‌ ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ନିର୍ବାଚନ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ନିର୍ବାଚନ କମିସନ୍‌ ଯେ କୌଣସି ସମୟରେ ଆଗୁଆ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ। ଏ ନେଇ ତାଙ୍କୁ କ୍ଷମତା ଦିଆଯାଇଛି। ଯଦି କମିସନ୍‌ ସେପରି ନିଷ୍ପତ୍ତି ନିଅନ୍ତି, ତେବେ ସେହି ଅନୁଯାୟୀ ନିର୍ବାଚନ ପରିଚାଳନା କରାଯିବ। ତେଣୁ ଭୋଟର୍‌ ତାଲିକା ପ୍ରସ୍ତୁତ ସହ ଆଗୁଆ ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଯଦିଓ ଭୋଟର୍‌ ତାଲିକା ପାଇଁ ଜାନୁଆରି ୪ ତାରିଖ ଧାର୍ଯ୍ୟ ହୋଇଛି, ତେବେ ନିର୍ବାଚନ କମିସନ୍‌ ଆଗୁଆ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାରେ କୌଣସି ଅସୁବିଧା ନାହିଁ।

ସୂଚନାଯୋଗ୍ୟ ଯେ ସେପ୍ଟମ୍ବର ୧ରେ ଚିଠା ଭୋଟର୍‌ ତାଲିକା ପ୍ରକାଶ ପାଇବ। ସେହି ଦିନ ଠାରୁ ଅକ୍ଟୋବର ୩୧ ଯାଏଁ ନୂଆ ଭୋଟର୍‌ମାନେ ସେମାନଙ୍କ ନାମ ଭୋଟର୍‌ ତାଲିକାରେ ରଖିବା ପାଇଁ ଆବେଦନ କରିପାରିବେ କିମ୍ବା ଯାହାର କିଛି ଆପତ୍ତି ଅଭିଯୋଗ ଅଛି, ସେମାନେ ମଧ୍ୟ ଏହି ସମୟରେ ଆବେଦନ କରିପାରିବେ। ନଭେମ୍ବର ୩୦ ତାରିଖ ପୂର୍ବରୁ ସବୁ ଆବେଦନ ଉପରେ ଫଇସଲା ହେବ। ୨୦୧୯ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇସାରିଛନ୍ତି। ସବୁ ରାଜ୍ୟରେ ଏହି ନିର୍ଦ୍ଧାରିତ ସମୟ ସୂଚୀ ଅନୁଯାୟୀ ଭୋଟର୍‌ ତାଲିକା ସଂଶୋଧନ କରାଯିବ।

ସମ୍ବନ୍ଧିତ ଖବର