ବାପା ମରିବାର ୩ ବର୍ଷ ପରେ ଜନ୍ମ ହେଲା ପୁଅ

ମୁମ୍ବାଇ: କାର୍‌ ଦୁର୍ଘଟଣାରେ ଜଣେ ଯୁବତୀ ମାର୍କେଟିଙ୍ଗ୍‌ କନ୍‌ସଲାଣ୍ଟ୍‌ ତାଙ୍କ ସ୍ୱାମୀଙ୍କୁ ହରାଇବାର ଠିକ୍‌ ତିନି ବର୍ଷ ପରେ ଯଶଲୋକ ହସ୍‌ପିଟାଲ୍‌ର ମାଟର୍ଣ୍ଣନିଟି ଓ୍ଵାର୍ଡରେ ତାଙ୍କ ଔରସରୁ ପୁଅଟିଏ ଜନ୍ମ ଦେଇଛନ୍ତି।

ଅଗଷ୍ଟ ୨୦୧୫ରେ ଆରମ୍ଭ ହୋଇଥିଲା ଏ ଭଳି ଅପୂର୍ବ କାହାଣୀ। ବେଙ୍ଗାଲୁରୁ ନିବାସୀ ସୁପ୍ରିୟା ଜୈନ୍‌ ଏବଂ ଗୌରବ ଏସ୍‌ଙ୍କୁ ବୟସ ୩୦ ପରେ ହେବ। ବିବାହର ୫ ବର୍ଷ ପରେ ସେମାନେ ପିତାମାତା ହେବାକୁ ସ୍ଥିର କରିଥିଲେ। କିନ୍ତୁ ସ୍ୱାଭାବିକ ଭାବେ ସେମାନଙ୍କର ସନ୍ତାନ ସନ୍ତତି ନ ହେବାରୁ ଆଭିଏଫ୍‌ର ସହାୟତା ନେବାକୁ ନିସ୍ପତ୍ତି ନେଲେ ସେମାନେ। ଆଇଭିଏଫ୍‌ର ପ୍ରଣାଳୀରେ ଯଥାବିଧି କାର୍ଯ୍ୟ ଆରମ୍ଭ ହେବା ପରେ ଦିନେ ହୁବ୍‌ଲି ନିକଟରେ ଗୋଟାଏ ଟ୍ରକ୍‌ ତାଙ୍କ କାର୍‌କୁ ଧକ୍କା ଦେବାରୁ ଗୌରବଙ୍କର ମୃତ୍ୟୁ ଘଟିଲା। ଦୁଃଖରେ ଅଧୀର ହୋଇ ଭାଙ୍ଗି ପଡ଼ିଲେ ଜୈନ୍‌। କିଛି ମାସ ବିତି ଯିବା ପରେ ସେ ନିଜ ପରିବାର ଏବଂ ସ୍ୱାମୀଙ୍କ ପରିବାରର ବିନା ପରାମର୍ଶରେ ସ୍ଥିର କଲେ ଯେମିତି ହେଉ ସେ ଆରମ୍ଭ ହୋଇ ଥିବା କାହାଣୀକୁ ଶେଷ କରିବେ। ଅର୍ଥାତ୍‌ ଆଇଭିଏଫ୍‌ ଦ୍ୱାରା ମୃତ ସ୍ୱାମୀଙ୍କ ହିମିକୃତ ଔରସରୁ ସନ୍ତାନ ଜାତ କରିବେ। ମୁମ୍ବାଇର ଡାକ୍ତର ଫିରୁଜା ପାରିଖ ତାଙ୍କୁ ଏ ଭଳି ଅଲୌକିକ ସନ୍ତାନ ଜନ୍ମ କରାଇବାରେ ସହାୟତା କରିବେ ବୋଲି କେହି ଜଣେ ତାଙ୍କୁ ପରାମର୍ଶ ଦେଲେ। ସେହି ଅନୁଯାୟୀ ଯଶଲୋକ ହସ୍‌ପିଟାଲ୍‌ରେ ଆରମ୍ଭ କଲେ କଠିନ ଓ ବ୍ୟୟବହୁଳ ଯାତ୍ରା।

ଶୋକ ଜର୍ଜରିତା ଜୈନ୍‌ଙ୍କର କିଛି ଦିନ ମାନସିକ ଚିକିତ୍ସା କରାଇବା ପରେ ଡାକ୍ତର ପାରିଖ୍‌ ଅସଲ ଉଦ୍ୟମ ଆରମ୍ଭ କଲେ। ବଡ଼ ଭୟ ଓ ଆଶଙ୍କା ସହ ଡାକ୍ତର ପାରିଖଙ୍କ ଟିମ୍‌ ବେଙ୍ଗାଲୁରୁରୁ ହିମିକୃତ ଅବସ୍ଥାରେ ଛୋଟିଆ ଶିଶିରେ ଆସିଥିବା ଗୌରବଙ୍କ ଔରସ ଦ୍ୱାରା ଜୈନ୍‌ଙ୍କ ଡିମ୍ବାଣୁ ଫର୍ଟିଲାଇଜ୍‌ କରାଗଲା। ଏଇଟା କିନ୍ତୁ ଅତି କଷ୍ଟକର ବ୍ୟାପାର ଥିଲା। ଅନେକ ଋତୁଚକ୍ରରୁ ସଂଗୃହୀତ ଡିମ୍ବାଣୁ ଅକାମୀ ହେବା ପରେ ଡାକ୍ତରମାନେ ସରୋଗେଟ୍‌ ପ୍ରଣାଳୀ ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଲେ। ଏଥି ପାଇଁ ଆଉ ଦୁଇ ଥର ଉଦ୍ୟମ କଲେ ଡାକ୍ତରମାନେ। ସଫଳ ବି ହେଲେ।

ଜୈନ୍‌ ପ୍ରତିବର୍ଷ ସ୍ୱାମୀଙ୍କ ମୃତ୍ୟୁ ବାର୍ଷିକୀ ପୂର୍ବରୁ ବେଙ୍ଗାଲୁରୁରୁ ବାହାରକୁ ଚାଲି ଯାଆନ୍ତି। ଏ ବର୍ଷ ମଧ୍ୟ ସେ ବାଲିରେ ଥିବାବେଳେ ଫୋନ୍‌ କଲ୍‌ ପାଇଲେ: ତାଙ୍କ ପୁଅ ଜନ୍ମ ହୋଇଛି। ତୁରନ୍ତ ସେ ବିମାନ ଯୋଗେ ଡାକ୍ତରଖାନାରେ ପହଞ୍ଚି ପୁଅକୁ କୋଳେଇ ନେଲେ।

ଜୈନ୍‌ କହନ୍ତି: ଆଶା କରୁଛି ଇଏ ତା’ ବାପା ପରି ଦିଶିବ। ମୁଁ ପିଲା ଚାହୁଁ ନ ଥିଲି, ଚାହୁଁଥିଲି ଗୌରବଙ୍କ ପିଲା।

ସମ୍ବନ୍ଧିତ ଖବର