ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ‌ରେ ଭାରତୀୟ ରେଳ : ମେ’ରେ ୮୨.୨୭ ନିୟୁତ ଟନ୍‌ ପରିବହନ

ମାର୍ଚ୍ଚ ୨୪ରୁ ଏପର୍ଯ୍ୟନ୍ତ ଗଡ଼ିଛି ୩,୮୬୧ ପାର୍ସଲ ଟ୍ରେନ୍‌
୩୧.୯୦ ଲକ୍ଷ ୱାଗନ ମାଲ ଯୋଗାଣ

ଭୁବନେଶ୍ବର : କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ ସମୟରେ ଭାରତୀୟ ରେଳପଥ ପକ୍ଷରୁ ମାଲ୍‌ ପରିବହନ/ପାର୍ସଲ ସେବା ଜାରି ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଛି। ଲକ୍‌ଡାଉନ ସତ୍ତ୍ବେ ଭିତ୍ତିଭୂମି କ୍ଷେତ୍ର ଓ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଉଦ୍ଦେଶ୍ୟରେ ରେଳପଥ ମାଲ ପରିବହନ କରି ଉଭୟ ଜନସାଧାରଣ ଓ ଶିଳ୍ପାନୁଷ୍ଠାନଗୁଡିକର ଆବଶ୍ୟକତା ପୂରଣ କରିଛି। ମେ’ ମାସରେ ଭାରତୀୟ ରେଳ ୮୨.୨୭ ନିୟୁତ ଟନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଛି, ଯାହାକି ଏପ୍ରିଲରେ ପରିବହନ ହୋଇଥିବା ୬୫.୧୪ ନିୟୁତ ଟନ୍‌ ତୁଳନାରେ ୨୫ ପ୍ରତିଶତ ଅଧିକ ରହିଛି। ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳପଥ ୧୭୫.୪୬ ନିୟୁତ ଟନ୍‌ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିଛି।

ମାର୍ଚ୍ଚ ୨୪ରୁ ଆଜି ପର୍ଯ୍ୟନ୍ତ ଯୋଗାଣ ବ୍ୟବସ୍ଥାକୁ ସକ୍ରିୟ ରଖିବା ପାଇଁ ଭାରତୀୟ ରେଳ ୩୧.୯୦ ଲକ୍ଷ ୱାଗନ ମାଲ ଯୋଗାଇଛି। ସେଥିମଧ୍ୟରୁ ୧୭.୮୧ ଲକ୍ଷ ୱାଗନ ଖାଦ୍ୟଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ, ପନିପରିବା, ପେଟ୍ରୋଲଜାତ ସାମଗ୍ରୀ, କୋଇଲା ଓ ସାର ଭଳି ଅତ୍ୟାବଶ୍ୟକ ଜିନିଷ ରହିଛି। ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ରେଳପଥ ୧୨.୫୬ ଲକ୍ଷ ଟନ ଖାଦ୍ୟଶସ୍ୟ ପରିବହନ କରିଛି, ଯାହାକି ଗତବର୍ଷର ୬.୭ ଲକ୍ଷ ଟନ୍‌ ଅଧିକ। ଏହାବ୍ୟତୀତ ମାର୍ଚ୍ଚ ୨୨ରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳ ୩ ହଜାର ୮୬୧ଟି ପାର୍ସଲ ଟ୍ରେନ ଚଳାଇଛି। ସେଥିରୁ ୩ ହଜାର ୭୫୫ଟି ନିୟମିତ ଶ୍ରେଣୀର ଟ୍ରେନ୍‌ ଅନ୍ତର୍ଭୁକ୍ତ। ଏହି ପାର୍ସଲ ଟ୍ରେନଗୁଡିକରେ ୧ ଲକ୍ଷ ୩୭ ହଜାର ୩୦ ଟନ୍‌ ସାମଗ୍ରୀ ପଠାଯାଇଛି। କୋଭିଡ-୧୯ ସମୟରେ ଔଷଧ ସାମଗ୍ରୀର ଗୁରୁତ୍ଵ ଦୃଷ୍ଟିରୁ ସେଗୁଡିକ ମଧ୍ୟ ପରିବହନ କରାଯାଇଛି।

ବର୍ତ୍ତମାନ ୯୬ଟି ରୁଟରେ ଏହି ଟ୍ରେନଗୁଡିକ ଚଳାଚଳ କରୁଛି। ଯେଉଁ ରୁଟ୍‌ଗୁଡିକ ଏଥିପାଇଁ ଚିହ୍ନଟ ହୋଇଛି ସେଗୁଡିକ ମଧ୍ୟରେ ଦେଶର ପ୍ରମୁଖ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ନିୟମିତ ସଂଯୋଗ କରୁଛି। ରାଜ୍ୟ ରାଜଧାନୀରୁ ଦେଶର ସମସ୍ତ ପ୍ରମୁଖ ମହାନଗରୀ ସହ ଯୋଗାଯୋଗ, ଦେଶର ଉତ୍ତର-ପୂର୍ବାଞ୍ଚଳ ସହ ସଂଯୋଗୀକରଣର ସୁନିଶ୍ଚିତତା, ବଳକା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ସ୍ଥାନ(ଗୁଜରାଟ, ଆନ୍ଧ୍ରପ୍ରଦେଶ)ରୁ ଚାହିଦା ଥିବା ଅଞ୍ଚଳକୁ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ (କୃଷିଜାତ ଦ୍ରବ୍ୟ, ଔଷଧପତ୍ର ଓ ମେଡିକାଲ ଯନ୍ତ୍ରାଂଶ)ଗୁଡିକର ଉତ୍ପାଦିତ ଅଞ୍ଚଳରୁ ଦେଶର ଅନ୍ୟଭାଗକୁ ଯୋଗାଣ ହେଉଛି। ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି ବ୍ୟାହତ ନହୁଏ ସେଥିପାଇଁ ବିଭିନ୍ନ ରେଳପଥ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ଯ୍ୟାଳୟରେ କର୍ମଚାରୀମାନେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି। ଟ୍ରାକ, ସିଗନାଲ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀ ରେଳଗୁଡିକର ନିରବଚ୍ଛିନ୍ନ ଯାତ୍ରାକୁ ସୁନିଶ୍ଚିତ କରିଛନ୍ତି।

ସମ୍ବନ୍ଧିତ ଖବର