ସ୍ବାବଲମ୍ବୀ ସୁମିତ୍ରାଙ୍କ ପ୍ରେରଣାଦାୟୀ କାହାଣୀ : ୬୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର

୫ ହଜାର ମହିଳାଙ୍କୁ ଦେଇଛନ୍ତି ଆତ୍ମନିର୍ଭର ହେବାର ମନ୍ତ୍ର

ଯାଜପୁରଟାଉନ, (ଅରୁଣ ରାଉତରାୟ) : ଘର ନୁହେଁ ତ ଏକ ମିନି ଉଦ୍ୟୋଗ। ବଡ଼ି, ଆଚାର, ପାମ୍ପଡ଼, ଧୂପକାଠି, ସିଲେଇ, ଛତୁଚାଷ ଏକାସାଙ୍ଗରେ ସବୁ ଚାଲିଛି ସେହି ଘରେ। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଆଗକୁ ବଢ଼ିବାର ମାର୍ଗଦର୍ଶନ କରିଆସୁଛନ୍ତି ଯାଜପୁରଟାଉନ ଭବାନୀଗଞ୍ଜର ସୁମିତ୍ରା ସାମଲ। ଦୀର୍ଘ ୩୦ ବର୍ଷର ସଂଘର୍ଷରୁ ତାଙ୍କୁ ମିଳିଛି ଅଶେଷ ସଫଳତା। ମାସିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ସିଧାସଳଖ ସେ ୬୦ ଜଣ ମହିଳାଙ୍କୁ କାମ ଯୋଗାଉଛନ୍ତି। ସେମାନେ ମାସିକ ୧୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ନିଜେ ଆଗକୁ ବଢ଼ିବା ସହ ପ୍ରାୟ ୨ ହଜାର ସ୍ଥାନୀୟ ମହିଳାଙ୍କୁ ଆତ୍ମନିର୍ଭର ହେବାର ମାର୍ଗ ଦେଖାଇଛନ୍ତି। ଏହି ସଫଳତା ଭିତରେ ସେ ନିଜ ସାମାଜିକ ଦାୟିତ୍ବବୋଧକୁ ଭୁଲିନାହାନ୍ତି। କରୋନା କଟକଣାର ତିରୋଟ ସମୟରେ ସେ ମାଗଣାରେ ଲୋକଙ୍କୁ ବାଣ୍ଟିଛନ୍ତି ୧୦ ହଜାରରୁ ଅଧିକ ମାସ୍କ। ଯାହା ସମାଜସେବା କ୍ଷେତ୍ରରେ ମଧ୍ୟ ସୁମିତ୍ରାଙ୍କୁ ସୁପରିଚତ କରିଛି।

ବିବାହ ପୂର୍ବରୁ ପ୍ରାୟ ୩୦ ବର୍ଷ ତଳେ ଆରମ୍ଭ ହୋଇଥିଲା ତାଙ୍କର ସିଲେଇ ଶିକ୍ଷା। ଧୀରେଧୀରେ ଏଥିରେ ଯୋଡ଼ି ହୋଇଥିଲା ଧୂପ କାଠି ପ୍ରସ୍ତୁତି, ଛତୁଚାଷ, ଆଚାର, ପାମ୍ପଡ଼, ବଡ଼ି ତିଆରି ଆଦି। ଏ କୌଶଳକୁ ସେ ନିଜ ଭିତରେ ସୀମିତ ନ ରଖି ଆଖପାଖ ମହିଳାଙ୍କୁ ବାଣ୍ଟିଚାଲିଥିଲେ।

ତାଙ୍କଠାରୁ ତାଲିମ ନେଇ ଅନେକ ମହିଳା ମାସିକ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଆଜି ପର୍ଯ୍ୟନ୍ତ ୫ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ତାଲିମ ଦେଇ ରୋଜଗାରକ୍ଷମ ହେବାର ରାସ୍ତା ଦେଖାଇଛନ୍ତି। ଅନେକ ମହିଳା ସୁମିତ୍ରାଙ୍କଠାରୁ ବିଭିନ୍ନ କାର୍ଯ୍ୟର କୌଶଳ ଶିଖି ନିଜେ ମଧ୍ୟ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି।

ତାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଅନ୍‌ଲାଇନ ଯୋଗେ ରାଜ୍ୟ ବାହାରକୁ ମଧ୍ୟ ପଠାଉଛନ୍ତି। ନିଜର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ‘ସହେଲୀ’ ସ୍ବେଚ୍ଛ‌ାସେବୀ ଅନୁଷ୍ଠାନ ଗଠନ କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ତାଲିମ କେନ୍ଦ୍ର ଖୋଲି ବିଭିନ୍ନ କାର୍ଯ୍ୟକ୍ରମରେ ମହିଳାଙ୍କ ସହଭାଗିତା ବୃଦ୍ଧି କରିବା ପାଇଁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦେଉଛନ୍ତି। ତେବେ ସେମାନଙ୍କୁ ଆଉ ଅଧିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ସୁମିତ୍ରା କହିଛନ୍ତି। ଏହି କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଗକୁ ଯଥା ସମ୍ଭବ ଅଧିକରୁ ଅଧିକ ମହିଳାଙ୍କୁ ଆତ୍ମନିଯୁକ୍ତିର ସ‌ୁଯୋଗ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର