ଇଣ୍ଟରସେପ୍ଟର ମିସାଇଲ୍‌ର ପରୀକ୍ଷଣ

ବାଲେଶ୍ୱର/ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ୍‌ ପ୍ୟାଡ୍‌ରୁ ଆଜି ରାତି ୮ଟା ୪ମିନିଟ୍‌ରେ ଭାରତର ପ୍ରତିରକ୍ଷା ବିଭାଗର ଆଡ୍‌ଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିସାଇଲର ପରୀକ୍ଷଣ ସମ୍ପନ୍ନ ହୋଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଛଡ଼ା ଯାଇଥିବା ପୃଥିବୀକୁ ଆକାଶ ମାର୍ଗରେ ୩୦କିମି ଉଚ୍ଚ ଏକ ଟାର୍ଗେଟ ପଏଣ୍ଟରେ ଆଡଭାନ୍ସ ଏୟାର ଡିଫେନ୍ସ ଲକ୍ଷ୍ୟ ଭେଦ କରି ବିଧ୍ୱଂସ କରିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହି ମିସାଇଲର ପରୀକ୍ଷଣ ପ୍ରଥମ ଥର ପାଇଁ ରାତିରେ କରାଯାଇଥିଲା। ପରୀକ୍ଷଣ ସମୟରେ ଭାରତର ପ୍ରତିରକ୍ଷା ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀ, ବୈଜ୍ଞାନିକ, ନିର୍ଦ୍ଦେଶକ, ପ୍ରତିରକ୍ଷା ବିଭାଗର ମିସାଇଲ ମହାନିର୍ଦ୍ଦେଶକ, ଇଣ୍ଟରସେପ୍ଟର ବୈଜ୍ଞାନିକ ଉପସ୍ଥିତ ଥିଲେ।

ଅବଦୁଲ କାଲାମ ଦ୍ୱୀପରୁ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିସାଇଲର ଏହା ଥିଲା ଅଷ୍ଟାଦଶ ପରୀକ୍ଷଣ। ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୨ତାରିଖରେ ଏହି ପରୀକ୍ଷଣ ହୋଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲର ଉଚ୍ଚତା ୭.୫ ମିଟର ଓ ଗୋଲେଇ ୦.୫ ମିଟର ହୋଇଥିବାବେଳେ ଏହାର ୧.୨ ଟନ ଓଜନର ମାରକଶକ୍ତି ବହନ କରିବାର କ୍ଷମତା ରହିଛି। ଏହା କ୍ଷେପଣାସ୍ତ୍ରକୁ ବହନ କରିଥିବା ଇଞ୍ଜିନ ୧ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ବଙ୍ଗୋପସାଗର ମଧ୍ୟରେ ୧୨୦ କି.ମି. ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟ ଭେଦ କରି ବିଧ୍ୱଂସ କରିବାର କ୍ଷମତା ରହିଛି।

ସମ୍ବନ୍ଧିତ ଖବର