ସରିଲା ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା : ୯ଟି ଜୋନ୍‌ରେ ୯୫୦ ପ୍ରତିଯୋଗୀ

ବିତର୍କରେ ୩୪୬, ସାରେଗାମାରେ ୬୦୪, ଅକ୍ଟୋବର ୩ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ୱର : ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବଂ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍‌’ ପକ୍ଷରୁ ସାରେଗାମା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆଜି ‘ସମ୍ବାଦ’ର ୯ଟି ଜୋନ୍‌ ଭୁବନେଶ୍ୱର, କଟକ, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର ଓ ଯାଜପୁରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦୁଇଟି ଯାକ ପ୍ରତିଯୋଗିତାରେ ୯୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିତର୍କରେ ୩୪୭ ଜଣ ଭାଗ ନେଇଥିବାବେଳେ ସାରେଗାମାରେ ୬୦୧ଜଣ ଭାଗ ନେଇଥିଲେ। ଏହି ଦୁଇଟି ଯାକ ପ୍ରତିଯୋଗିତାରେ କେବଳ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଭୁବନେଶ୍ୱର ସଂସ୍କରଣରେ ସର୍ବାଧିକ ୧୬୦ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ବିତର୍କରେ ୫୦ଜଣ ଏବଂ ସାରେଗାମାରେ ୧୧୦ଜଣ ଭାଗ ନେଇଥିଲେ। ବାଲେଶ୍ୱର ସଂସ୍କରଣରେ ଦ୍ୱିତୀୟ ସର୍ବାଧିକ ୧୩୬ଜଣ ଭାଗ ନେଇଥିବାବେଳେ ଏଥିରୁ ୪୬ଜଣ ବିତର୍କରେ ଏବଂ ୯୦ଜଣ ସାରେଗାମାରେ, ଜୟପୁର ସଂସ୍କରଣରେ ତୃତୀୟ ସର୍ବାଧିକ ୧୩୪ଜଣ ଭାଗ ନେଇଥିବାବେଳେ ୪୯ଜଣ ବିତର୍କରେ ଏବଂ ୮୫ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍‌ରେ ମୋଟ୍‌ ୧୩୨ଜଣ ଭାଗ ନେଇଥିବାବେଳେ ୫୩ଜଣ ବିତର୍କରେ ୭୯ଜଣ ସାରେଗାମାରେ ଭାଗ ନେଇଥିଲେ। ସେହିପରି ସମ୍ବଲପୁର ସଂସ୍କରଣରେ ୧୦୪ଜଣ ଭାଗ ନେଇଥିବାବେଳେ ଏଥିରୁ ବିତର୍କରେ ୪୦ଜଣ ଏବଂ ସାରେଗାମାରେ ୬୪ ଜଣ, କଟକ ସଂସ୍କରଣରେ ୧୦୦ଜଣ ଭାଗ ନେଇଥିବାବେଳେ ଏଥିରୁ ୪୨ଜଣ ବିତର୍କରେ ଏବଂ ସାରେଗାମାରେ ୫୮ଜଣ, ଯାଜପୁର ସଂସ୍କରଣରେ ୬୭ଜଣ ଭାଗ ନେଇଥିବାବେଳେ ବିତର୍କରେ ୨୫ ଏବଂ ସାରେଗାମାରେ ୪୨ଜଣ, ରାଉରକେଲା ସଂସ୍କରଣରେ ୬୨ଜଣ ଭାଗ ନେଇଥିବାବେଳେ ବିତର୍କରେ ୨୮ ଜଣ ଏବଂ ସାରେଗାମାରେ ୩୪ଜଣ, ଅନୁଗୁଳ ସଂସ୍କରଣରେ ୫୫ଜଣ ଭାଗ ନେଇଥିବାବେଳେ ବିତର୍କରେ ୧୩ଜଣ ଏବଂ ସାରେଗାମାରେ ୪୨ଜଣ ଭାଗ ନେଇଥିଲେ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାର ୧ଘଣ୍ଟା ପୂର୍ବରୁ ବିତର୍କର ବିଷୟ ବସ୍ତୁ ଘୋଷଣା କରାଯାଇଥିଲା। ବିଷୟ ଥିଲା ‘ଭାରତୀୟ ରାଜନୀତି ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ’। ପ୍ରତିଯୋଗୀମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ଏହି ବିଷୟ ବସ୍ତୁ ସପକ୍ଷରେ/ବିପକ୍ଷରେ ନିଜର ମତ ରଖିଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଭାଷା, ବିଷୟ ଓ ତର୍କକୁ ନେଇ ମାର୍କ ଦେଇଥିଲେ। ସେହିପରି ସାରେଗାମା ପ୍ରତିଯୋଗିତାର ପ୍ରତିଯୋଗୀମାନେ ଓଡ଼ିଆ ବା ହିନ୍ଦୀ ଭାଷାର ଲଘୁ କଣ୍ଠ ସଙ୍ଗୀତ (ଭଜନ/ଆଧୁନିକ) ଗାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଶେଷ ହେବା ପରେ ପୁରସ୍କୃତ କରାଯାଇଥିଲା। ପ୍ରତି ଜୋନ୍‌ରେ ଉଭୟ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହି କୃତୀ ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉକ୍ତ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଖୁବ୍‌ ଶୀଘ୍ର ସବିଶେଷ ଖବର ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର