ଉପକୂଳ ଥାନାରେ ଖତ ଖାଉଛି ଇଣ୍ଟର୍‌ସେପ୍ଟର: କର୍ମଚାରୀ ଅଭାବ ଯୋଗୁ ବଢ଼ୁଛି ସମସ୍ୟା

ବ୍ରହ୍ମଗିରି: ମୁମ୍ବାଇରେ ଆତଙ୍କୀ ହାମ୍‌ଲା ପରେ ସରକାର ଉପକୂଳ ସୁରକ୍ଷା ପାଇଁ ଉପକୂଳ ଥାନା ପ୍ରତିଷ୍ଠା ନିଷ୍ପତ୍ତି ନେଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କଲେ। ଉପକୂଳରେ ଥାନା ପ୍ରତିଷ୍ଠା ହେଲା। ଗୋଟିଏ ଥାନାରେ ଶହେରୁ ଅଧିକ କର୍ମଚାରୀ ରହିବାକୁ ନିଷ୍ପତ୍ତି ହେଲା। ବ୍ୟବସ୍ଥା ଥିଲା ଯେ କର୍ମଚାରୀଙ୍କ ମଧ୍ୟରେ ୬୦ ଜଣ ଅବସରପ୍ରାପ୍ତ ନୈାସେନାର କର୍ମଚାରୀ ରହିବେ। ୪୦ ଜଣ ରାଜ୍ୟ ସରକାରଙ୍କର ପୁଲିସ କର୍ମଚାରୀ ରହିବେ। ସେମାନଙ୍କ ମଧ୍ୟରେ ଜଣେ ଆରକ୍ଷୀ ନୀରିକ୍ଷକ(ଇନସପେକ୍ଟର) ରହିବେ। ସ୍ବତନ୍ତ୍ର ଇଣ୍ଟରସେପ୍ଟର ବୋଟ ମଧ୍ୟ ରହିବ। କୋଷ୍ଟ ଗାର୍ଡ ସହିତ ମେରାଇନ ପୁଲିସ ମିଳିତ ଭାବରେ ଉପକୂଳ ଜଗିବେ। ଏହି ସ୍ବତନ୍ତ୍ର ବୋଟ୍ ପ୍ରତି ଦିନ ପାଟ୍ରୋଲିଂ କରିବ। ଉଭୟ ସ୍ଥଳ ଓ ଜଳଭାଗରେ ପୁଲିସ କାମ କରିବ। ମେରାଇନ ଥାନା ହେଲା। ବୋଟ ମଧ୍ୟ ଆସିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏବେ ବୋଟ ଖତ ଖାଉଛି। ଥାନାରେ କର୍ମଚାରୀଙ୍କ ଅଭାବ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଠାରେ ମେରାଇନ ଥାନା ପ୍ରତିଷ୍ଠା ହୋଇଛି।

ଏହି ଥାନାରେ ଏବେ ଜଣେ ଏସ୍‌ଆଇ, ୪ ଜଣ କନେଷ୍ଟବଲ, ୧୪ ଜଣ ହୋମଗାର୍ଡ ରହିଛନ୍ତି। ବ୍ରହ୍ମଗିରି ଆଇଆଇସି ବ୍ରହ୍ମଗିରି ଥାନା ସହିତ ଏହି ଥାନାର ଦାୟିତ୍ବରେ ରହିଛନ୍ତି। ସ୍ବତନ୍ତ୍ର ବୋଟ ସାତପଡା ଜେଟିରେ ରହି ଖତ ଖାଉଛି। ବୋଟ୍‌ର ୧୦ ଜଣ କର୍ମଚାରୀ ସାତପଡାରେ ରହିଛନ୍ତି। କିନ୍ତୁ ବୋଟ ଥାନା ପାଖରେ ନାହିଁ। ଏଠାରେ ବୋଟ ରହିବାକୁ ବ୍ୟବସ୍ଥା ମଧ୍ୟ ନାହିଁ। ଥାନା ସମ୍ମୁଖରେ ରହିଛି ସମୁଦ୍ର। ଏହା ସହିତ ୪ଟି ପ୍ରାକୃତିକ ମୁହାଣ। ବୋଟ ପାଟ୍ରୋଲିଂ ମଧ୍ୟ କରୁ ନାହିଁ। ରାମଭରତିଆଠାରୁ ବାଲିହରଚଣ୍ତି ମୁହାଣ ପର୍ଯ୍ୟନ୍ତ ଉପକୂଳ ମୁକୁଳା ପଡିଛି। ନିକଟରେ ସରକାର ପ୍ରତ୍ୟେକ ଫାଣ୍ତିରେ ଜଣେ ଏସ୍‌ଆଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଉପକୂଳ ଥାନା ମାତ୍ର ଜଣେ ଏଏସଆଇଙ୍କ ହାତରେ ରହିଛି। ସ୍ଥାୟୀ ଭାବରେ ଜଣେ ଆଇଆଇସି ନାହାନ୍ତି। ଅନ୍ୟ ଥାନାର ଆଇଆଇସି ଦାୟିତ୍ବରେ ରହୁଛନ୍ତି। ଏହି ଥାନାରେ ଥିବା ଆଇଆଇସି ଅନ୍ୟତ୍ର ବଦଳି ହେବା ପରେ ଏବେ ପଦବି ଖାଲି ପଡିଛି। ଏହି ଥାନା ଅଞ୍ଚଳରେ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ବସବାସ କରୁଥିବା ବେଳେ ପଯ୍ୟଟନସ୍ଥଳୀ ମଧ୍ୟ ରହିଛି। ଏହା ସହିତ ପୁରୀ-ସାତପଡା ରାଜପଥର କିଛି ଅଂଶ ମଧ୍ୟ ରହିଛି। ୨୫ କିଲୋମିଟର ଉପକୂଳ ମଧ୍ୟ ରହିଛି। ଉପକୂଳ ଥାନା ପ୍ରତିଷ୍ଠା ହେବାର ଲକ୍ଷ୍ୟ କିଭଳି ପୁରଣ ହେଉଛି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର