ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ବ୍ୟାପକ ଗବେଷଣା ହେଉ

ଆନ୍ତର୍ଜାତିକ ହେଲ୍‌ଥ ମେଡିକନ୍‌ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଆୟୁର୍ବେଦ ଓ ଅନ୍ୟାନ୍ୟ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଦିଗ ସମ୍ପର୍କରେ ବ୍ୟାପକ ଗବେଷଣା କରିବାକୁ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆହ୍ଵାନ ଦେଇଛନ୍ତି। ଆଜି ଏଠାରେ ପ୍ରଥମ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ‘ହେଲ୍‌ଥ ମେଡିକନ୍‌-2019’ର ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପରୋକ୍ତ ଆହ୍ଵାନ ଦେବା ସହିତ କହିଛନ୍ତି ଯେ, ଆୟୁର୍ବେଦ ସମେତ ଅନ୍ୟ ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଛି। ଏହି ସମ୍ମିଳନୀରେ ହେଉଥିବା ଆଲୋଚନାବଳୀର ନିର୍ଯ୍ୟାସକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କଲେ ସେସବୁକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ସରକାର ବିଚାର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଇଣ୍ଡିଆନ ପ୍ରୋକେ୍‌ଟାଲୋଜି ସୋସାଇଟି (ଆଇପିଏସ୍‌) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ମିଳିତ ଉଦ୍ୟମରେ ଆୟୋଜିତ ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ବିିହାରର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନ୍ତଃବିଭାଗୀୟ ଚିକିତ୍ସା ଗବେଷଣା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ବୋଲି କହିଥିଲେ। ଅନ୍ୟତମ ଅତିଥି ଭୁବନେଶ୍ୱର ସାଂସଦ ଡକ୍‌ଟର ପ୍ରସନ୍ନ ପାଟ୍ଟଶାଣୀ ଡାକ୍ତରମାନଙ୍କୁ ଦେବତା ବୋଲି ଦର୍ଶାଇ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଉତ୍ସବରେ କଟକସ୍ଥିତ ଏସସିବି ମେଡିକାଲ କଲେଜର ପ୍ରଫେସର ଚିତ୍ତରଞ୍ଜନ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମଳାଶୟ ସମ୍ପର୍କିତ ରୋଗ ପାଇଁ ଆମ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଚମତ୍କାର ବ୍ୟବସ୍ଥା ରହିଥିବା ଦର୍ଶାଇଥିଲେ।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଇଣ୍ଡିଆନ ପ୍ରୋକେ୍‌ଟାଲୋଜି ସୋସାଇଟି (ଆଇପିଏସ୍‌)ର ପ୍ରତିଷ୍ଠାତା ସଭାପତି ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ପ୍ରଫେସର (ଡାକ୍ତର) ଚତୁର୍ଭୁଜ ଭୂୟାଁ ସ୍ୱାଗତ ଭାଷଣ, ଓୟୁଏଟି ଡିନ୍‌ ପ୍ରଫେସର ପି କେ ରାଉଳ ପ୍ରାରମ୍ଭିକ ସୂଚନା ଏବଂ ଆଇପିଏସ୍‌ ରାଜ୍ୟ ଆବାହକ ଡାକ୍ତର ଅନନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଯୋଗ ବିଶେଷଜ୍ଞ ଦମ୍ପତି ଡକ୍‌ଟର ଦିନେଶ ପ୍ରସାଦ ସ୍ୱାଇଁ ଏବଂ ପ୍ରତିଭା ଶ୍ରୀଙ୍କୁ ‘ଯୋଗରତ୍ନ’ ଉପାଧି ପ୍ରଦାନ କରାଯାଇଥିଲା। ଡାକ୍ତର ପ୍ରଶାନ୍ତ କୁମାର ରଥ ଏବଂ ଡାକ୍ତର ମନସ୍ୱିନୀ ଦେହୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର