ଜୁନିୟର କିରାଣି ପରୀକ୍ଷାରେ ଅନିୟମିତତା! ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ପରୀକ୍ଷାର୍ଥୀ

ବଲାଙ୍ଗୀର : ସାରା ଓଡ଼ିଶାରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ୱାରା କରାଯାଇଥିବା ଜୁନିୟର କିରାଣି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କରାଯାଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ ଉଠାଇଛନ୍ତି। ଗାଇଡ୍‌ଲାଇନ୍‌ ଅନୁସାରେ ଚୟନ ଆୟୋଗ ପରୀକ୍ଷା କରୁ ନାହିଁ ବୋଲି ଅଭିଯୋଗ ହୋଇଛି।

ପରୀକ୍ଷାର୍ଥୀମାନଙ୍କ ଅଭିଯୋଗ ହେଲା, ୨୦୧୮ ମସିହାରେ ଲିଖିତ ପରୀକ୍ଷା ହୋଇଥିଲା। ୨୦୧୯ ଏବଂ ୨୦୨୦ ମସିହାରେ ପର୍ଯ୍ୟାୟକ୍ରମେ ପ୍ରବନ୍ଧ ଓ ପତ୍ରଲିଖନ ପରୀକ୍ଷା କରାଯାଇଥିଲା। ଏବେ ଆସନ୍ତା ମାର୍ଚ୍ଚ ୭ ତାରିଖରେ କମ୍ପ୍ୟୁଟର ସ୍କିଲ ପରୀକ୍ଷା କରାଯିବ। ବଲାଙ୍ଗୀର ଜିଲ୍ଲାର ୯୩ଟି ପଦବି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ନିୟମ ଅନୁସାରେ ଗୋଟିଏ ପଦବି ପାଇଁ ୫ ଜଣ ପରୀକ୍ଷାର୍ଥୀ ଅନୁପାତରେ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ। ସେ ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ୪୬୫ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଏବଂ ପ୍ରବନ୍ଧ ଓ ପତ୍ର ଲିଖନ ପରୀକ୍ଷା ଦେଇଥିଲେ। ଏବେ ଓଏସ୍‌ଏସ୍‌ଏସ୍‌ସି କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ଯେତିକି ପଦବି ଅଛି, ସେତିକି ଅର୍ଥାତ ୯୩ ଜଣଙ୍କୁ ଚୟନ କରିଛି। ପ୍ରବନ୍ଧ ଓ ପତ୍ର ଲିଖନ ପରୀକ୍ଷାରେ ଜିରୋ ମାର୍କ ରଖିଥିବା ପରୀକ୍ଷାର୍ଥୀମାନଙ୍କୁ ମଧ୍ୟ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ଚୟନ କରାଯାଇଛି। ଏପରିକି ମହିଳାମାନଙ୍କ ପାଇଁ ରିଜର୍ଭ ଥିବା କମ୍ପ୍ୟୁଟର ସ୍କିଲ ଟେଷ୍ଟରେ ପୁରୁଷମାନଙ୍କ ନାଁ ପୂରାଇ ଦିଆଯାଇଛି। ଲିଖିତ ଏବଂ ପ୍ରବନ୍ଧ ଓ ପତ୍ର ଲିଖନ ପରୀକ୍ଷାରେ ୧:୫ ଅନୁପାତ ନିୟମ ଅନୁସାରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇଥିବା ବେଳେ କମ୍ପ୍ୟୁଟର ସ୍କିଲ ଟେଷ୍ଟ ପାଇଁ ୧:୧ ଫର୍ମୁଲାରେ କିପରି ଚୟନ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ। ତେଣୁ ପୂରା ପରୀକ୍ଷା ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ କିଛି ଭିତିରି କାରବାର ହୋଇଥିବା ପରୀକ୍ଷାର୍ଥୀ ସନ୍ଦେହ କରିଛନ୍ତି। ରାଜ୍ୟସାରା ସମସ୍ତ ଜିଲ୍ଲାରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ତେଣୁ ପରୀକ୍ଷାର୍ଥୀମାନେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସଜବାଜ ହେଉଛନ୍ତି ବୋଲି ଅଶୋକ ପାଣିଗ୍ରାହୀ, ଯଶୋବନ୍ତ ସିଂ ଓ ଅନ୍ୟ ପରୀକ୍ଷାର୍ଥୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର