ପାନୀୟ ଜଳଯୋଗାଣରେ ଅନିୟମିତତା: ହୋଣ୍ଡା ଆକ୍ଟିଭାରେ ଜଳଯୋଗାଣ

ଦୁର୍ନୀତିର ସ୍ବରୂପ ବଦଳାଉଛନ୍ତି କି ଅଧିକାରୀ? ଭିଜିଲାନ୍ସ ଠାରୁ ଅଧିକ ଚାଲାକ ଦୁର୍ନୀତିଗ୍ରସ୍ତ

ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ୍‌ ଶିଶୁଅ ପଞ୍ଚାୟତରେ ପାନୀୟ ଜଳଯୋଗାଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଛି। ଏହି ଅଭିଯୋଗକୁ ନେଇ ଖୋଳତାଡ଼ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ଜଳଯୋଗାଣ ପାଇଁ ଟ୍ରାକ୍ଟର ନୁହେଁ, ବରଂ ଦୁଇଚକିଆ ଯାନ ବ୍ୟବହାର ହୋଇଛି। ସୂଚନା ଅଧିକାର ଆଇନ ବଳରେ ଜ୍ୟାକେଶ ପଢ଼ିଆରୀ ଏହି ତଥ୍ୟ ହାସଲ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ପାନୀୟ ଜଳ ଯୋଗାଣରେ ହୋଇଥିବା ପ୍ରକୃତ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଜଳଯୋଗାଣରେ ଲାଗିଥିବା ଗାଡ଼ି ନମ୍ବରରୁ କିଭଳି ପାନୀୟ ଜଳ ଯୋଗାଣରେ କେଳେଙ୍କାରୀ ହୋଇଛି ତାହା ଜଣାପଡ଼ୁଛି। କେବଳ ସେତିକି ନୁହେଁ, ଭିଜିଲାନ୍ସ ଡାଳେ ଡାଳେ ଗଲେ ଦୁର୍ନୀତିଗ୍ରସ୍ତ ପତରେ ପତରେ ଯାଉଛନ୍ତି, ଏକଥା ବି ଧୀରେ ଧୀରେ ପ୍ରମାଣିତ ହେଲାଣି।

ମିଳିଥିବା ତଥ୍ୟ ଅନୁଯାୟୀ, ପଞ୍ଚାୟତକୁ ଜଳଯୋଗାଣ ପାଇଁ ଓଆର୍‌ ୧୩ ଡି ୩୫୯୧ ବିଶିଷ୍ଟ ଏକ ପିକ୍‌ଅପ ଭ୍ୟାନ୍ ଏବଂ ଓଡି ୩୩ ଜେ ୧୦୭୮ ନମ୍ବର ବିଶିଷ୍ଟ ଟାଟା ଏସିଇ ବ୍ୟବହାର କରାଯାଇଛି ବୋଲି ଫାଇଲରେ ଦର୍ଶ‌ାଯାଇଛି।। କିନ୍ତୁ ପରିବହନ ପୋର୍ଟାଲରୁ ଏ ଗାଡ଼ି ଦୁଇଟି ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଜଣାପଡ଼ିଛି ଯେ ପ୍ରଥମ ଗାଡ଼ିଟି ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ହୋଇଥିବା ବେଳେ ଦ୍ବିତୀୟ ନମ୍ବରଟି ଏକ ବୋଲେରୋ ଗାଡ଼ି। ଏକ ହୋଣ୍ଡା ଆକ୍ଟିଭାରେ କିଭଳି ହଜାର ହଜାର ଲିଟର ପାଣି ବୁହାହେଲା ତାହା ସମସ୍ତଙ୍କୁ ଚକିତ କରୁଥିଲେ ମଧ୍ୟ ବିଭଗୀୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଚାଲିଛନ୍ତି। ତେଣୁ ଜଳଯୋଗାଣରେ ଏକ ବଡ଼ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି।

ସୂଚନା ଅଧିକାର ତଥ୍ୟ ମୁତାବକ ଶିଶୁଅ ପଞ୍ଚାୟତରେ ଦୈନିକ ୭ରୁ ୮ହଜାର ଲିଟର ପାନୀୟ ଜଳ ଯୋଗାଣ ହୋଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ୩୫୧ ଦିନକୁ ୪ ଲକ୍ଷ ୬୮ ହଜାର ଟଙ୍କା, ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୦ ଦିନକୁ ୬ ଲକ୍ଷ ୩୧ ହଜାର ଟଙ୍କା ଜଳ ଯୋଗାଣରେ ଖର୍ଚ୍ଚ ହୋଇଛି। ତନ୍ମଧ୍ୟରୁ କିଛି ବିଲ୍ ହୋଇଥିଲା ବେଳେ ଅବଶିଷ୍ଟାଂଶ ବିଲ୍ ବାକିରହିଛି। ୨୦୨୦ ଏପ୍ରିଲ ୧ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ କୌଣସି ବିଲ୍ ହୋଇ ନ ଥିବା ମଧ୍ୟ ତଥ୍ୟରେ ଉଲ୍ଲେଖ ରହିଛି। ଜଳଯୋଗାଣରେ ଲାଗିଥିବା ପିକ୍‌ଅପ୍ ଭ୍ୟାନ୍ ଗାଡ଼ି ନମ୍ବର କହୁଛି ଏହା ଏକ ହୋଣ୍ଡା ଆକ୍ଟିଭା। ଏଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିବ ଯେ ଏଥିରେ କିଭଳି ହଜାର ହଜାର ଲିଟର ପାଣି ବୁହାହେଲା?

ଖବର ନେବାରେ ଜଣାଯାଏ ଯେ ବନ୍ଦାଳ, ଛେନୁ, ତଣ୍ଡାହର, କଳମକଣି, କଟକଣା ଓ ଉଦୟକଣି ମୌଜା ସମୁଦ୍ରରୁ ଅତି ନିକଟବର୍ତ୍ତୀ। ସେଠାରେ ଅଧିକାଂଶ ଅଞ୍ଚଳରେ ମଧୁରଜଳ ମିଳେନାହିଁ। ଅପରପକ୍ଷେ ବନ୍ଦାଳ ମୌଜାରେ ବର୍ଷତମାମ ପାଣି ଯୋଗାଇବାକୁ ନେଇ ପ୍ରଶ୍ନ ଉଠିଛି। ଏଠାରେ ୫୦ଟି ପରିବାର ବସବାସ କଲାବେଳେ ତନ୍ମଧ୍ୟରୁ ୨୫ଟି ପରିବାର ନିଜସ୍ୱ ପାଣି ବ୍ୟବସ୍ଥା କରିଛନ୍ତି। ବର୍ଷ ତମାମ ପାଣି ଦେବା ଆଳରେ ଏଠି ବର୍ଷକୁ କେତେ ଟଙ୍କା ଖର୍ଚ୍ଚ ହେଉଛି ସେ ନେଇ ସ୍ଥାନୀୟ ବାଉରୀବନ୍ଧୁ ପ୍ରଧାନଙ୍କ ସମେତ ଅନ୍ୟମାନେ ପ୍ରଶ୍ନ ଉଠାଇ ବ୍ଲକ୍‌ ପାନୀୟ ଜଳ ବିଭାଗର ଦୃଷ୍ଟିଆକର୍ଷଣ କରିଛନ୍ତି। ତେବେ ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସତ୍ୟପ୍ରକାଶ ମହାନ୍ତିଙ୍କୁ ପଚାରିବାରେ ସେ କହନ୍ତି ଶିଶୁଅ ପଞ୍ଚାୟତରେ ସବୁ ଜାଗାରେ ପାଣି ଦିଆଯାଇନି। ସୂଚନା ଅଧିକାର ତଥ୍ୟରେ ଗାଡ଼ି ନମ୍ବର ଭୁଲ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର