ବନ୍ଧା ହେଲେ କୋଟିପତି ବିଡିଓ

କଟକ ଓ କେନ୍ଦ୍ରାପଡ଼ାରେ ୨୪ଟି ପ୍ଲଟ୍‌, ୩ ମହଲା ଓ ୨ ମହଲା ଘର

ଜଳେଶ୍ବର : ଓଏଏସ୍‌ ଚାକିରି କାଳ ଭିତରେ କୁବେର ପାଲଟି ଯାଇଥିଲେ। ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଦେଖିବା ପରେ ଭିଜିଲାନ୍‌ସର ବି ହୋସ୍‌ ଉଡ଼ିଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଶନିବାର ଦିନ ଭିଜିଲାନ୍‌ସ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଛି।

ଇଟା କାରଖାନା, ସୁନାରୁପା ସହ ଦାମୀ ଏସ୍‌ୟୁଭି ଠାବ
୬ଟି ସ୍ଥାନରେ ଏକକାଳୀନ ଚଢ଼ଉ, ପତ୍ନୀ ଓ ସଂପର୍କୀୟଙ୍କୁ ଜେରା

ଶନିବାର ଭୋର୍‌ ସମୟରେ ବିଡିଓ ଶ୍ରୀ ଦାସଙ୍କ ଜଳେଶ୍ବରସ୍ଥିତ ସରକାରୀ ବାସଭବନ ସମେତ କଟକ, କେନ୍ଦ୍ରାପଡ଼ା ୬ଟି ସ୍ଥାନରେ ଭିଜିଲାନ୍‌ସର ୫ଟି ଟିମ୍ ଚଢ଼ଉ କରିଥିଲା। କଟକସ୍ଥିତ ଭିଜିଲାନ୍‌ସ ସ୍ବତନ୍ତ୍ର କୋର୍ଟର ଓ୍ବାରେଣ୍ଟ ବଳରେ ୫ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍‌ସର ଏକାଧିକ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। କଟକ ବୟାଳିଶମୌଜାସ୍ଥିତ ଶ୍ରୀକ୍ରିଷ୍ଣାବିହାର ଝିଙ୍କିରିଆସ୍ଥିତ ୨ ମହଲା ବାସଭବନ, କାଳପଡ଼ାସ୍ଥିତ ୩ ମହଲା କୋଠା, ବିଡିଓଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ କଟକ ଖପୁରିଆସ୍ଥିତ ସରକାରୀ ପ୍ରେସ୍‌ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ାସ୍ଥିତ ସମ୍ପର୍କୀୟଙ୍କ ଘର, ଜଳେଶ୍ବର ବ୍ଲକରେ ବିଡିଓଙ୍କ ଅଫିସ ଓ ସରକାରୀ ବାସଭବନରେ ଅତର୍କିତ ଚଢ଼ଉ କରିଥିଲା ଭିଜିଲାନ୍‌ସ ଟିମ୍‌।

ପ୍ରାରମ୍ଭିକ ଆକଳନ ଅନୁସାରେ, ଝିଙ୍କରିଆସ୍ଥିତ ୨ ମହଲା କୋଠାର ମୂଲ୍ୟ ୧.୧୦ କୋଟି, କାଳପଡ଼ାସ୍ଥିତ ୩ ମହଲା କୋଠାର ମୂଲ୍ୟ ୧.୨୨ କୋଟି ହେବ ବୋଲି ଆକଳନ କରାଯାଇଛି। ସେହିଭଳି କଟକ ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ୨୪ଟି ପ୍ଲଟ୍‌, କାଳପଡ଼ାଠାରେ ଏକ ଇଟା କାରଖାନା, ୩୩୦ ଗ୍ରାମର ସୁନାଅଳଙ୍କାର, ୧.୧ କେଜି ରୁପା ଅଳଙ୍କାର, ୪୧ ଲକ୍ଷ ଟଙ୍କା ମୂଲ୍ୟର ୪ଟି ଦାମୀ ଚାରିଚକିଆ ଗାଡ଼ି ଯଥା ସ୍କୋଡା-ରାପିଡ୍‌ ଆକ୍ଟିଭ, ଇନୋଭା, ସ୍କର୍ପିଓ, ନାନୋ ଓ ୩ଟି ଦୁଇଚକିଆ ଗାଡ଼ି ଠାବ କରିଛନ୍ତି ଭିଜିଲାନ୍ସ ଟିମ୍‌। ସେପଟେ ବିଡିଓଙ୍କ ସରକାରୀ ବାସଭବନ ସମେତ ଅନ୍ୟ ଗୋଟିଏ ସ୍ଥାନକୁ ମିଶାଇ ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା ଜବତ ହୋଇଛି। କୋଟି କୋଟି ଟଙ୍କାର ଏସବୁ ସମ୍ପତ୍ତି ଠାବ ହେବା ପରେ ଶ୍ରୀ ଦାସଙ୍କୁ ଜଳେଶ୍ବରସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରି କଟକ ନେଇଯାଇଛି ଭିଜିଲାନ୍‌ସ।

ବିଡିଓଙ୍କ ସରକାରୀ ବାସଭବନରେ ଅଜ୍ଞାତ ମହିଳା!
ଆଜି ଭୋର୍‌ ସମୟରେ ବିଡିଓଙ୍କ ସରକାରୀ ବାସଭବନରେ ଚଢ଼ଉ କରାଯିବା ବେଳେ ସେଠାରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ମହିଳା ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ସେ ଏକ ଚାରିଚକିଆ ଗାଡ଼ିରେ ଦୀଘା ବୁଲିବାକୁ ଯାଇଥିଲେ। ରାତିରେ ବିଡିଓଙ୍କ ସରକାରୀ ବାସଭବନକୁ ଫେରିଥିଲେ ସମ୍ପୃକ୍ତ ମହିଳା। ଆଜି ଚଢ଼ଉ ସମୟରେ ବିଡିଓଙ୍କ ସରକାରୀ ବାସଭବନରେ ଉକ୍ତ ମହିଳାଙ୍କୁ ଦେଖି ଭିଜିଲାନ୍‌ସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଏହି ମହିଳାଙ୍କ ସହ ବିଡିଓ ଶ୍ରୀ ଦାସ ଦୀଘା ଯାଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଡିଓଙ୍କ ସହ ତାଙ୍କର ସମ୍ପର୍କ କଣ, ବିଡିଓଙ୍କ ସରକାରୀ ବାସଭବନକୁ ସେ କାହିଁକି ଆସିଥିଲେ, ପୂର୍ବରୁ ବିଡିଓଙ୍କ ସରକାରୀ ବାସଭବନକୁ ସେ କେବେ ଆସିଛନ୍ତି କି ନାହିଁ, ସେ ସଂପର୍କରେ ଖୋଳତାଡ଼ ଚାଲିଛି।

ଗତକାଲି ବଦଳି ଆଦେଶ; ଆଜି ଗିରଫ
ଜଳେଶ୍ବରରେ ବିଡିଓ ଭାବେ କାର୍ଯ୍ୟରତ ଅଶ୍ବିନୀ କୁମାର ଦାସଙ୍କ ବଦଳି ପାଇଁ ଗତକାଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀ ଦାସଙ୍କୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲଦାର ଭାବେ ବଦଳି କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା। ତେବେ ବଦଳି ଆଦେଶକୁ ୨୪ ଘଣ୍ଟା ନପୂରୁଣୁ ଆଜି ଶ୍ରୀ ଦାସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର