ଜୟଶ୍ରୀ ମିଶ୍ର ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର : ସମ୍ବଲପୁର ସହରର ଚର୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଏହାପୂର୍ବରୁ ଗତ ଜାନୁଆରି ମାସରେ ସମ୍ବଲପୁର ଏସ୍‌ଡିଜେଏମ୍‌ ବସନ୍ତଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ଏହାପରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜଷ୍ଟିସ ଏସ୍‌କେ  ସାହୁଙ୍କ ଜଣିକିଆ ବେଞ୍ଚ ଏହାର ଶୁଣାଣି କରିଥିଲେ। ବସନ୍ତ ପଣ୍ଡାଙ୍କ ବିରୋଧରେ ଆଇପିସି ଧାରା ୩୬୪, ୩୦୨ ଏବଂ ୨୦୧ରେ ମାମଲା ରୁଜ୍ଜୁ ହୋଇଛି।

ଆବେଦନ ଅନୁସାରେ, ୨୦୧୧ ମସିହା ଅକ୍ଟୋବର ୧୪ ତାରିଖରେ ଜୟଶ୍ରୀ ମିଶ୍ର ନିଖୋଜ ନେଇ ମାମଲା ରୁଜ୍ଜୁ ହୋଇଥିଲା। ମାତ୍ର ୮ ବର୍ଷ ଧରି ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିଲା। ୨୦୧୯ ମସିହାରେ ଏ ସଂକ୍ରାନ୍ତରେ ତଦନ୍ତ ପରେ ସେହି ବର୍ଷ ଜୁଲାଇ ୨୧ ତାରିଖରେ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କ ବିରୋଧରେ ମାମଲା ରୁଜୁ ସହିତ ପରବର୍ତ୍ତୀ ସମୟରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏହି ହତ୍ୟାକାଣ୍ଡର କୌଣସି ସାକ୍ଷୀ ନାହାନ୍ତି। ପାରିପାର୍ଶ୍ବିକ ପ୍ରମାଣକୁ ଭିତ୍ତି କରି ମାମଲା ରୁଜୁ ହୋଇଛି। ଏଥିରେ ଚୈତନ୍ୟ କୁଅଁର ଓରଫ ମାନୁଙ୍କ ବୟାନ ଗୁରୁତ୍ବପୂର୍ଣ୍ଣ ଅଟେ। ମାନୁ ନିଜ ବୟାନରେ ତାଙ୍କୁ ଅଭିଯୁକ୍ତ ଏକ ଗାତ ଖୋଳିବାକୁ କହିଥିବା କହିଥିଲେ। ସେହି ଗାତରେ ଜୟଶ୍ରୀ ମିଶ୍ରଙ୍କୁ ପୋତାଯାଇଥିଲା। ଅନ୍ୟଦିଗରେ ଜୟଶ୍ରୀଙ୍କ ଝିଅ ବିଜୟିନୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଏହି ମାମଲାରେ କେବଳ ବସନ୍ତ ପଣ୍ଡା ଏକୁଟିଆ ନୁହେଁ ଆହୁରି କିଛି ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି। ଏହାକୁ ନେଇ ତଦନ୍ତ କଲେ ସହଯୋଗୀଙ୍କ ମୁଖା ମଧ୍ୟ ଖୋଲିବ। ପୂର୍ବତନ ଏସ୍‌ଡିପିଓ ଭବାନୀ ଉଦ୍‌ଗାତାଙ୍କ ପ୍ରତ୍ୟକ୍ଷ ଚେଷ୍ଟାରେ ୮ ବର୍ଷ ପୁରୁଣା ଏହି ମାମଲାର ପର୍ଦାଫାସ ହୋଇଥିଲା। ମାତ୍ର କିଛି ମାସ ପରେ ତାଙ୍କୁ ସମ୍ବଲପୁରରୁ ବଦଳି କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର