ପାନପୋଷ ଆଇଟିଡିଏ: ବଦଳି ପରେ ବି ରାଉରକେଲା ମୋହ, ୨ ସ୍ଥାନରେ ୩ ଜେଇ ନିଯୁକ୍ତି

ରାଉରକେଲା: ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟସ ସଂସ୍ଥା (ଆଇଟିଡିଏ)। ବଦଳି ସତ୍ବେ ବିଭାଗୀୟ ଅଧିକାରୀ ରାଉରକେଲା ଛାଡୁ ନାହାନ୍ତି। ଅଭିଯୋଗ ଆସିବା ପରେ ଜେଇମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଉଛି। କିଛି ମାସ ପରେ ପୁଣି ରାଉରକେଲାକୁ ଫେରି ଆସୁଛନ୍ତି। ଏବେ ଏମିତି ସ୍ଥିତି ଦେଖିବାକୁ ମିଳିଛି ପାନପୋଷ ଆଇଟିଡିଏରେ। ବିଭାଗରେ ଦୁଇଟି କନିଷ୍ଠ ଯନ୍ତ୍ରୀ (ଜେଇ) ପଦବି ରହିଛନ୍ତି। ନିଯୁକ୍ତି ହୋଇଛି ୩ ଜଣ। ପୂର୍ବରୁ ଦୁଇଜଣ ଜେଇ ଥିଲାବେଳେ ଏବେ ଆଉ ଜଣେ ଜେଇଙ୍କୁ ନିଯୁକ୍ତି ଦିଆଯାଇଛି।

ରାଉରକେଲା ଜଳ ସମ୍ପଦ ବିଭାଗର ଜନୈକ ଜେଇ ଦୀର୍ଘ ବର୍ଷ ରହିବା ପରେ ଗତ କିଛି ମାସ ତଳେ ତାକୁ ପାନପୋଷ ଆଇଟିଡିଏକୁ ଡେପୁଟେସନ୍‌ରେ ପଠାଯାଇଥିଲା। ଜେଇ ଜଣଙ୍କ ୫/୬ ମାସ ଆଇଟିଡିଏ ରହିବା ପରେ ବିଭାଗର ଚାଲିଥିବା କାର୍ଯ୍ୟକଳାପ ସଂକ୍ରାନ୍ତରେ ଭଲ ଭାବେ ବୁଝି ପାରିଲେ। ପରେ ତାଙ୍କୁ ଭୁବନେଶ୍ବର ଏସ୍‌ସି ଏସ୍‌ଟି ବିଭାଗକୁ ବଦଳି କରାଯାଇଥିଲା। ସେଠାରେ ମାତ୍ର କେଇ ମାସ ରହିବା ପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ପୁଣି ରାଉରକେଲା ଫେରି ଆସିଛନ୍ତି। ତାହା ପୁଣି ପାନପୋଷ ଆଇଟିଡିଏ ସଂସ୍ଥାକୁ। ଯେଉଁ ବିଭାଗ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ବାରମ୍ବାର ଅଭିଯୋଗ ‌ହୋଇଆସୁଛି। ଏହି ବିଭାଗର ଆଉ ଜଣେ ଜନୈକ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇ ସାରିଛି। ସେ କିନ୍ତୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଆଳ ଦେଖାଇ ରାଉରକେଲା ଛାଡୁ ନାହାନ୍ତି।

ଅଧିକାରୀ, ଜେଇ ଓ ଠିକା ସଂସ୍ଥା ମଧ୍ୟରେ ଭିତିର ସଲାସୁତୁରାରେ ଚାଲୁଛି ସବୁକିଛି କାମ। ଅନ୍ୟ ବିଭାଗରେ ୫ ଲକ୍ଷରୁ ଅଧିକ ଟଙ୍କାର କାମକୁ ସରକାରଙ୍କ ନୀତି ନିୟମ ଅନୁଯାୟୀ ଟେଣ୍ଡର କରାଯାଉଛି। ଆଇଟିଡିଏର କରିତକର୍ମା ଅଧିକାରୀମାନେ କିନ୍ତୁ ଏହି ନିୟମକୁ ଫୁଃ କରି ଦେଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଆଇଟିଡିଏର ଜନୈକ ଅଧିକାରୀଙ୍କ ଭାଇ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ବ୍ଲକରେ ସମଗ୍ର ଶିକ୍ଷା ଅଭିଯାନରେ ଚାଲିଥିବା ୯ଟି ସ୍କୁଲ କାମ ହାତେଇଛନ୍ତି। ଯାହା ତଦନ୍ତ ସାପେକ୍ଷ। ତେବେ ଆଇଟିଡିଏ ବର୍ଷ ବର୍ଷ ଧରି ଚାଲିଥିବା ଚାଲିଥିବା ଏଭଳି ଅନିୟମିତା ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର