ଚାଷୀ ପରିବାରରୁ ଇସ୍ରୋର ବୈଜ୍ଞାନିକ ପାଇଁ ସୁଯୋଗ ପାଇଲେ ଝାରପାଲିର ନିହାର

ଅମ୍ବାଭୋନା : ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ଝାରପାଲି ଗ୍ରାମର ଏକ ଚାଷୀ ପରିବାରର ଉଦୀୟମାନ ଯୁବକ  ନିହାର ରଞ୍ଜନ ପ୍ରଧାନ ଇସ୍ରୋର ବୈଜ୍ଞାନିକ ଭାବେ ସୁଯୋଗ ପାଇଛନ୍ତି। ସେ ଆସନ୍ତା ଜାନୁଆରିରେ ଇସ୍ରୋରେ ଯୋଗଦେବେ ବୋଲି ନିହାର କହିଛନ୍ତି।

ବାପା ରାଜକୁମାର ଓ ମା’ ପଙ୍କଜିନୀଙ୍କ ସେ ସାନ ପୁଅ ଅଟନ୍ତି। ପିଲା ଦିନରୁ ସେ ନୂତନ ଜିନିଷ ତିଆରି କରିବାରେ ଆଗ୍ରହ ପ୍ରକାଶ କରୁଥିଲେ। ସେ ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ, ଅମ୍ବାଭୋନାସ୍ଥିତ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ବରଗଡ଼ସ୍ଥିତ ବିକାଶ ଜୁନିୟର କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ନାମ ଲେଖାଇ ଥିଲେ। ଜେଇଇ ମେନ୍ସ ଏବଂ ଆଡଭାନ୍ସ ଫଳାଫଳକୁ ନେଇ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେଶ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି (ଆଇଆଇଏସ୍‌ଟି)ର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗରେ ବି-ଟେକ୍‌ ପାଇଁ ନାମ ଲେଖାଇଥିଲେ। ଚଳିତ ବର୍ଷ ଗ୍ରାଜୁଏସନ ଶେଷ ହୋଇଥିଲା। ଆଇଆଇଏସ୍‌ଟି-ଅବ୍‌ଜର୍ପସନରେ ଦକ୍ଷତା ଥିବାରୁ ତାଙ୍କୁ ଇସ୍ରୋର ବୈଜ୍ଞାନିକ ଭାବେ ମନୋନୀତ କରିଥିବା ନିହାର କହିଛନ୍ତି । ମା’ ବାପା, ଭାଇ, ଭଉଣୀ ତାଙ୍କୁ ଚାପ ମୁକ୍ତ ବାତାବରଣରେ ମନ ପସନ୍ଦର ବିଷୟ ପଢ଼ିବାର ସୁଯୋଗ ଦେଇଥିବାରୁ ଏଭଳି ସଫଳତା ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର