ବିଜେପିକୁ ଫେରିଲେ ଜୀବନ ପ୍ରଦୀପ

ବାଲେଶ୍ୱର : ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ଆଜି ବାଲେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି। ଶ୍ରୀ ଦାଶଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହିତ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଏଥିସହିତ, ଶ୍ରୀ ଦାଶଙ୍କ ନେତୃତ୍ବରେ ଆଗକୁ ମଧ୍ୟ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ବାଲେଶ୍ବର ସଦର ପୂର୍ବତନ ବିଧାୟକ ଶ୍ରୀ ଦାଶ ୨୦୦୯ ମସିହାରେ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ୨୦୦୫ରେ ପ୍ରଥମେ ବିଜେପି ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ ଶ୍ରୀ ଦାଶ। ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଠାରୁ ସେ ପରାଜିତ ହୋଇଥିଲେ। ନିକଟରେ ହୋଇଥିବା ଉପନିର୍ବାଚନରେ ଶ୍ରୀ ଦାଶଙ୍କୁ ଦଳବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବନ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମାନସ କୁମାର ଦତ୍ତ, ଅଂଶୁମାନ ମହାନ୍ତି, ରାକେଶ ମଲିକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର