ହାଇକୋର୍ଟରେ ଚାକିରି ଠକେଇ ଘଟଣା: ଗ୍ୟାଙ୍ଗ୍‌ର କାର୍ପଟଦାର୍ ସେନା ଅଧିକାରୀ

ମାଷ୍ଟରମାଇଣ୍ଡ ସମେତ ୨ ଗିରଫ

କଟକ: ହାଇକୋର୍ଟରେ ପିଅନ ଚାକିରି କରାଇବାର ଥୋପ ପକାଇ ଟଙ୍କା ଠକେଇ ନେଟ୍‌ୱର୍କ କଟକରୁ ଉତ୍ତର ଓଡ଼ିଶା ଯାଏ ଲମ୍ବିଛି। ଏହି ନେଟ୍‌ୱର୍କର ମାଷ୍ଟରମାଇଣ୍ଡ ଭୂଷଣ ପଟ୍ଟନାୟକ ସମେତ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରଦୀପ କୁମାର ଶତପଥୀ ବି ସାମିଲ ଅଛନ୍ତି । ପ୍ରଦୀପ ସେନାବାହିନୀରୁ ଅବସର ନେବାପରେ ବେକାର ଯୁବକଙ୍କୁ ଠକି ଟଙ୍କା ଲୁଟ୍ ଷଡ଼ଯନ୍ତ୍ର କରିଥିଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ଭୂଷଣ। ଏହି ଦୁଇ ଠକଙ୍କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଦୁଇ ଜଣଙ୍କୁ ମିଶାଇଲେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ହାଇକୋର୍ଟରେ ପିଅନ ଚାକିରି କରାଇବାର ଲୋଭ ଦେଖାଇ ଓଡ଼ିଶାରେ ଏକ ଠକ ଗ୍ୟାଙ୍ଗ୍ ବେକାର ଯୁବକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ସଂପର୍କରେ ହାଇକୋର୍ଟ ରେଜିଷ୍ଟ୍ରାର୍ ଜୁଡିସିଆଲ୍ ସୁମନ କୁମାର ମିଶ୍ର ଥାନାରେ ଏତଲା ଦେବାପରେ ଏହି କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ୧୨ ତାରିଖରେ ପୁଲିସ ଲାଲବାଗ ଦିଓ୍ବାନ୍‌ ବଜାରର ଜି. କମଲ୍ କୁମାର, ସିଡିଏ ସେକ୍ଟର-୯ର ସିଦ୍ଧାର୍ଥ ପଟ୍ଟନାୟକ, ମଙ୍ଗଳାବାଗ ମହ୍ଲାସାହିର ସ୍ବରାଜ ଓରଫ ଜିମି ରାଉତରାୟଙ୍କୁ ଗିରଫ କରିଥିଲା। ଜିମି ଓ କମଲ ମାଧ୍ୟମରେ ବେକାର ଯୁବକଙ୍କ ନିକଟରୁ ଚାକିରି ବାବଦ ଟଙ୍କା ସଂଗ୍ରହ ହେଉଥିଲା। ସିଡିଏରେ ସିଦ୍ଧାର୍ଥଙ୍କର ନିଜସ୍ବ କମ୍ପ୍ୟୁଟର ଦୋକାନ ଥିବାବେଳେ ସେହି ଦୋକାନରୁ ନିଯୁକ୍ତ ବିବାଦ କଲ୍ ଲେଟର୍ ଏବଂ ଅନ୍ୟାନ୍ୟ ଜାଲି କାଗଜପତ୍ର ପ୍ରସ୍ତୁତ ହେଉଥିଲା। ଏହା ଯୁବକଙ୍କୁ ପଠାଇ ଭୁଆଁ ବୁଲାଯାଉଥିଲା। ପୂରା କାରବାରକୁ ନିୟନ୍ତ୍ରଣ କରୁଥିବା କାର୍ପଟଦାର୍ କଳାହାଣ୍ଡି କୋକସରା ବ୍ଲକ ଲଡ଼ୁଗାଁର ଭୂଷଣ ଏବେ ସିଡିଏ ସେକ୍ଟର ୬ରେ ରହୁଛନ୍ତି। ସେ ହାଇକୋର୍ଟ ନିକଟରେ ଟାଇପ୍ ରାଇଟର୍ ଭାବେ ବି କାମ କରୁଥିଲେ। ତାଙ୍କର ଅନ୍ୟତମ ସହଯୋଗୀ ହେଉଛନ୍ତି, ମଧୁପାଟଣା କଲ୍ୟାଣୀନଗରରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଦୀପ କୁମାର ଶତପଥୀ। ଏମାନେ କଟକ ସମେତ ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଅଧିକ ସଂଖ୍ୟାରେ ବେକାର ଯୁବକଙ୍କୁ ନିଜ ଜାଲରେ ଫସାଇଥିଲେ। ବର୍ତ୍ତମାନ ସୁଦ୍ଧା ପୁଲିସ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବା ପ୍ରମାଣ ପାଇଥିବା ବେଳେ ଏହି ପରିମାଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର