ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍‌ରେ ଚାକିରି: ବିଜ୍ଞାନ ଶିକ୍ଷକ ଗିରଫ

ବଲାଙ୍ଗୀର/ଡୁଡୁକା: ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି କରୁଥିବା ଆଉ ଜଣେ ଶିକ୍ଷକଙ୍କୁ ବଲାଙ୍ଗୀର ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ଶିକ୍ଷକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଡୁଡୁକା ପଲ୍ଲିଶ୍ରୀ ନୋଡାଲ୍‌ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭକ୍ତ କୁମାର ସେଠ। ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଛାନଭିନ ଚାଲିଥିବା ବେଳେ ତାଙ୍କର ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ନକଲି ଶିକ୍ଷକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଆଜି ପୁଲିସ ତାଙ୍କୁ ଲୋଇସିଂହା ଅଞ୍ଚଳରୁ ଗିରଫ କରିଥିବା ନେଇ ଆଇଆଇସି ବିଶ୍ବଜିତ ମନବୋଧ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଶିକ୍ଷକ ଶ୍ରୀ ସେଠ ଡୁଡୁକା ହାଇସ୍କୁଲରେ ଗତବର୍ଷ ଅଗଷ୍ଟ ମାସରେ ନିଯୁକ୍ତି ପାଇଥିଲେ। ସେ ଚୌଧୁରୀ ଚରଣ ସିଂହ ଉତ୍ତର ପ୍ରଦେଶ ବିଶ୍ୱବିଦ୍ୟାଳୟର ଜାଲ୍‌ ବିଇଡି ପ୍ରମାଣପତ୍ର ଓ ମାର୍କସିଟ ଶିକ୍ଷା ବିଭାଗକୁ ଦେଇଥିଲେ।

ଗତ ୨ ତାରିଖ ଦିନ ଗୁଡ଼ଭେଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ ବିଆର୍‌ସିସି ଶ୍ୟାମସୁନ୍ଦର ପ୍ରଧାନକୁ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ୍ ଦେଇ ଚାକିରି ହାତେଇଥିବା ନେଇ ଅଭିଯୋଗ ପରେ ପୁଲିସ ଗିରଫ କରିଥିଲା। ସେହିଭଳି ଗତ କିଛିଦିନ ତଳେ ବଲାଙ୍ଗୀର ଏବିଇଓ ଶ୍ୟାମସୁନ୍ଦର ମେଣ୍ଡିଲି ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ନେଇ ଧରାପଡ଼ିବା ପରେ ଚାକିରିରୁ ବିଦା ହୋଇଥିଲେ। ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ଧରା ପଡ଼ିବା ପରେ ବଲାଙ୍ଗୀର ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହେବାରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟକୁ ପଠାଯାଇଥିଲା। ଜିଲ୍ଲାର ୪ ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ଜଣାପଡ଼ିଥିଲା। ଏତଲା ପରେ ଟାଉନ୍ ଥାନା ପୁଲିସ ପୁଇନ୍ତଲା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା I

ସମ୍ବନ୍ଧିତ ଖବର