ଅବସର ନେବେ ଜଷ୍ଟିସ୍‌ ଏସ୍‌.ସି.ପରିଜା, ଡକ୍ଟର ଜଷ୍ଟିସ୍‌ ଡି.ପି.ଚୌଧୁରୀ : ହାଇକୋର୍ଟ ଜଷ୍ଟିସ ପଦ ଅଧା ଖାଲି

କଟକ : ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୧ଟି ବିଚାରପତି ପଦ ଖାଲି ପଡିଥିବା ବେଳେ ଜୁଲାଇ ମାସରେ ଆଉ ଦୁଇଟି ପଦ ଖାଲି ପଡିବାକୁ ଯାଉଛି। ଜୁନ୍‌ ୩୦ ଓ ଜୁଲାଇ ୨ ତାରିଖରେ ଦୁଇ ଜଣ ବରିଷ୍ଠ ବିଚାରପତି ଅବସର ନେବାକୁ ଯାଉଥିବା ବେଳେ ସେମାନଙ୍କ ଅବସର ପରେ ହାଇକୋର୍ଟର ମଂଜୁରୀପ୍ରାପ୍ତ ବିଚାରପତି ପଦ ମଧ୍ୟରୁ ଅଧା ଖାଲି ପଡ଼ିବ। ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌.ସି.ପରିଜା ଜୁନ୍‌ ୩୦ ତାରିଖରେ ଅବସର ଗ୍ରହଣ କରିବେ। ୧୯୫୬, ଜୁଲାଇ ୧ ତାରିଖରେ ଜନ୍ମିତ ଜଷ୍ଟିସ ପରିଜା ୨୦୦୭, ନଭେମ୍ବର ୭ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଜୁନ୍‌ ୩୦ ତାରିଖ, ଶନିବାର ହାଇକୋର୍ଟ ଛୁଟି ରହୁଥିବାରୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାରକୁ ଜଷ୍ଟିସ ପରିଜାଙ୍କ ଶେଷ କାର୍ଯ୍ୟ ଦିବସ ଭାବେ ବିଚାର କରାଯାଉଛି।

ସେହିଭଳି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ଦୁର୍ଗା ପ୍ରସନ୍ନ ଚୌଧୁରୀ ଜୁଲାଇ ୨ ତାରିଖରେ ଅବସର ଗ୍ରହଣ କରିବେ। ୧୯୫୬, ଜୁଲାଇ ୩ରେ ଜନ୍ମିତ ଜଷ୍ଟିସ୍‌ ଚୌଧୁରୀ ୨୦୧୫, ଏପ୍ରିଲ ୧୭ରେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସୂଚନା ଯୋଗ୍ୟ ଯେ ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ମାତ୍ର ୧୬ ଜଣ ବିଚାରପତି ରହିଛନ୍ତି। ଜଷ୍ଟିସ ଏସ୍‌.ସି.ପରିଜା ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କ ଅବସର ଗ୍ରହଣ ପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୪କୁ ହ୍ରାସ ପାଇବ। ହାଇକୋର୍ଟ େଓ୍ଵବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ବର୍ତ୍ତମାନ ୧ ଲକ୍ଷ ୬୯ ହଜାର ୧୭୫ଟି ମାମଲା ବିଚାରାଧୀନ ରହିଛି। ଏଥି ମଧ୍ୟରେ ୭୪ ହଜାର ୪୯୮ ରିଟ୍‌ ପିଟିସନ୍‌(ସି), ୬ ହଜାର ୧୩୯ ଆଗୁଆ ଜାମିନ ଆବେଦନ, ୩ ହଜାର ୪୩୮ ନିୟମିତ ଜାମିନ ଆବେଦନ ଅନ୍ତର୍ଭୁକ୍ତ।

ସମ୍ବନ୍ଧିତ ଖବର