ଜୟପୁର-ନବରଙ୍ଗପୁର, ଜୟପୁର-ମାଲାକାନଗିରି ରେଳପଥ ପ୍ରସଙ୍ଗ: ବୋରିଗୁମ୍ମାରୁ ୪କିମି ଦୂରରେ ଯିବ ଟ୍ରାକ୍ 

ଜୟପୁର: ଜୟପୁର-ନବରଙ୍ଗପୁର ୩୮କିଲୋ ମିଟର, ଜୟପୁର–ମାଲକାନଗିରି ୧୩୦କିଲୋମିଟର ନୂତନ ଓସାରିଆ ରେଳପଥ ନିର୍ମାଣ ପ୍ରକଳ୍ପ ଘୋଷଣାର ୫ବର୍ଷ ମଧ୍ୟରେ କେବଳ ଜନଶୁଣାଣୀ ଓ ବିଶେଷଞ କମିଟି ବୈଠକ ହିଁ ସରିଛି।

ଏହି ପ୍ରକଳ୍ପ ପାଇଁ ଜନଶୁଣାଣୀ ସମୟରେ ଖାସ୍ କରି ଜୟପୁର-ନବରଙ୍ଗପୁର ପ୍ରକଳ୍ପରେ ବୋରିଗୁମ୍ମା ସହର  ଦେଇ ରେଳଟ୍ରାକ୍ ଯାଉଥିଲା। ଏହା ଫଳରେ ବହୁ ସ୍କୁଲ, କଲେଜ ସହ ବହୁ ଘରର କ୍ଷୟକ୍ଷତି ହେଉଥିବା ହିତାଧିକାରୀ ମାନେ ଜନଶୁଣାଣୀରେ ଟ୍ରାକକୁ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାସ୍ତରରେ ବିଶେଷଜ୍ଞ କମିଟିରେ ଜନଶୁଣାଣୀରେ ଉଭୟ ପ୍ରକଳ୍ପରେ କ୍ଷତି ସହୁଥିବା ହିତାଧିକାରୀ ମାନଙ୍କ ଆପତ୍ତି ଅଭିଯୋଗ, ରେଳବିଭାଗରେ ଚାକିରି ଦାବି ଓ ବୋରିଗୁମ୍ମାର ସମସ୍ୟାକୁ ନେଇ ଆଲୋଚନା କରି ରାଜ୍ୟସରକାରଙ୍କୁ ଅବଗତ କରାଯାଇଥିଲା ବୋଲି କହିଛନ୍ତି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ଉପଜିଲ୍ଲାପାଳ ହେମକାନ୍ତ ସୟ।

ଏହାରି ମଧ୍ୟରେ ଇଷ୍ଟ କୋଷ୍ଟ ରେଲୱେ ଜଗଦଲପୁର ପକ୍ଷରୁ ବୋରିଗୁମ୍ମା ସହର ଦେଇ ଯାଉଥିବା ଟ୍ରାକକୁ ପରିବର୍ତ୍ତନ କରିବା ପାଇଁ ସର୍ଭେ ସାରିଛନ୍ତି। ବୋରିଗୁମ୍ମା ସହରରୁ ୪କିଲୋମିଟର ପରେ ଏହି ଟ୍ରାକ୍ ଯିବାକୁ ସର୍ଭେ କରି ରିପୋର୍ଟ ଜଗଦଲପୁର ଇଷ୍ଟକୋଷ୍ଟ ରେଳୱେ ପକ୍ଷରୁ ପ୍ରଶାସନକୁ ଦେଇଥିଲେ। ଏହା ରାଜ୍ୟସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ଯିବା ସହ ଅନୁଥମୋଦିତ ବି ହୋଇ ସାରିଛି ବୋଲି କହିଛନ୍ତି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ। ଏହି ଚିହ୍ନଟ ନୂଆ ଜମିକୁ ଅଧିଗ୍ରହଣ ପାଇଁ କ୍ଷତି ସହୁଥିବା ହିତାଧିକାରୀଙ୍କୁ ନେଇ ଜନଶୁଣାଣୀ କରାଯିବ ବୋଲି କହିଛନ୍ତି  ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ।

ଅପରପକ୍ଷରେ ପୂର୍ବରୁ ଏହି ଦୁଇଟି ଯାକ ପ୍ରକଳ୍ପର ଜନଶୁଣାଣୀରେ ଭାଗ ନେଇଥିବା ସବୁ ହିତାଧିକାରୀଙ୍କୁ ସେମାନଙ୍କ ଜମିକୁ ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ।  ସେମାନଙ୍କର ଆଉ କିଛି ଆପତ୍ତି ଅଭିଯୋଗ ରହିଛି କି ନାହିଁ ସେ  ନେଇ ନୋଟିସ ୧୧-୧ କରାଯିବ। ଏହି ନୋଟିସ୍ କରିବା ପୂର୍ବରୁ ଏହାର ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଏହି ପ୍ରସ୍ତାବ ଯାଇଛି। ସରକାରଙ୍କ ଠାରୁ ନୋଟିସ୍ ଦେବାକୁ ନିର୍ଦେଶ ଆସିବା ପରେ ହିତାଧିକାରୀଙ୍କୁ ଏହି ନୋଟିସ ଦିଆଯିବ। ସେମାନେ ଏହାର ପ୍ରତି ଉତ୍ତର ଜଣାଇବେ। ଏହା ପରେ ପୁଣି ୧୯-୧ନୋଟିସ କରାଯାଇ କ୍ଷତି ପୁରଣ ପ୍ରଦାନ କରାଯିବା ଯୋଜନା ରହିଛି ବୋଲି କହିଛନ୍ତି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ।

ପ୍ରକଳ୍ପ ପାଇଁ ଜମି ହରାଉଥିବା ହିତାଧିକାରୀ ମାନେ ଚାକିରୀ ପାଇଁ ଦାବି କରିଥିଲେ ତାହାକୁ ନେଇ କେନ୍ଦ୍ର ସରକାରଙ୍କ ରେଳବିଭାଗକୁ ଅବଗତ କରାଯାଇଛି। କେନ୍ଦ୍ର ସରକାରଙ୍କ ଉପରେ ଏହା ନିର୍ଭର ବୋଲି କହିଛିନ୍ତି ସ୍ବତନ୍ତ୍ର ଭୁଅର୍ଜନ ଅଧିକାରୀ। ଜୟପୁର-ନବରଙ୍ଗପୁର ୩୮କିଲୋମିଟର ପ୍ରକଳ୍ପ ପାଇଁ ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର ତହସିଲର ୨୨ଟି ଗାଁର ୭୩୧ଏକର ଜମି ଅଧିଗ୍ରହଣ କରାଯିବ। ସେଭଳି ଜୟପୁର-ମାଲାକାନଗିରୀ ୧୩୦କିଲୋମିଟର ପ୍ରକଳ୍ପ ପାଇଁ ୨୯ଟି ଗାଁର ୫୦୦ଏକର ଜମି ଅଧିଗ୍ରହଣ କରାଯିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ। ସଂପ୍ରତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାରୁ ପ୍ରତିନିଧିତ୍ବ କରୁଥିବାରୁ ଏବଂ ଆସନ୍ତା ୨୦ ଓ ୨୧ଦୁଇ ଦିନିଆ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଥିବାରୁ ଏହି ଦୁଇ ପ୍ରକଳ୍ପକୁ ନେଇ ସମୀକ୍ଷା କରିବା ପରେ ଆଉ କିଛି ଅଗ୍ରଗତି ହେବ ବୋଲି ଲୋକେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର