କବି ଶରତ ଚନ୍ଦ୍ର ପ୍ରଧାନ ପାଇବେ ସାହିତ୍ୟ ଭାରତୀ ସମ୍ମାନ

ସମ୍ମାନ ସ୍ବରୂପ ପାଇବେ ୧ ଲକ୍ଷ ଟଙ୍କା, ରୌପ୍ୟ ଫଳକ

କଟକ: ପ୍ରଖ୍ୟାତ କବି ତଥା ପ୍ରାବନ୍ଧିକ ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ଚଳିତ ବର୍ଷର ମର୍ଯ୍ୟାଦାଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। କବିତା, ସମାଲୋଚନା, ଅନୁବାଦ, ଆତ୍ମଜୀବନୀ ‌ରଚନା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଓ ସ୍ବତନ୍ତ୍ର ପାଠକୀୟ ସ୍ବୀକୃତି ପାଇଁ ଡକ୍ଟର ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ମାର୍ଚ୍ଚ ୧୭ ତାରିଖ ରବିବାର ସଂଧ୍ୟା‌ରେ କଟକର କଳାବିକାଶ କେନ୍ଦ୍ରରେ ଆୟୋଜିତ ସାରସ୍ବତ ସମାରୋହରେ ଡକ୍ଟର ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ସ୍ବରୂପ ଡକ୍ଟର ପ୍ରଧାନଙ୍କୁ କୋଣାର୍କ ମନ୍ଦିରର ‌ରୌପ୍ୟ ପ୍ରତିରୂପ ସମେତ ୧ ଲକ୍ଷ ଟଙ୍କା ପ୍ରଦାନ କରି ସମ୍ମାନିତ କରାଯିବ। ସେହିପରି ବିଶିଷ୍ଟ ରାଜନୀତିଜ୍ଞ ତଥା ସାରସ୍ବତ ସ୍ରଷ୍ଟା ସେକ୍ ମତ୍‌ଲୁବ ଅଲ୍ଲୀ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସମ୍ମାନସ୍ବରୂପ ସାହିତ୍ୟିକ ଶ୍ରୀ ଅଲ୍ଲୀଙ୍କୁ ଏକ ରୌପ୍ୟ ଫଳକ ସମେତ ମାନପତ୍ର ପ୍ରଦାନ କରାଯିବ। କାବ୍ୟ ସାହିତ୍ୟ ପାଇଁ ବିଶିଷ୍ଟ କବି ଡକ୍ଟର ଅପର୍ଣ୍ଣା ମହାନ୍ତିଙ୍କୁ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଓ ବିଶିଷ୍ଟ କଥାକାର କୃଷ୍ଣସାଗର ସାହୁଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବାକୁ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି। ପୁରସ୍କାରସ୍ବରୂପ କବି ଡକ୍ଟର ମହାନ୍ତି ଓ କଥାକାର ଶ୍ରୀ ସାହୁ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ସମେତ ରୌପ୍ୟ ଫଳକ ପ୍ରଦାନ କରାଯିବ। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କବି ପ୍ରୀତିଧାରା ସାମଲ ଓ ସାହିତ୍ୟିକ ସରୋଜ ବଳଙ୍କୁ ଚଳିତବର୍ଷର ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ଉଭୟ ପ୍ରତିଭାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସମେତ ରୌପ୍ୟ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ମାର୍ଚ୍ଚ ୧୭ତାରିଖ ସଂଧ୍ୟା ସାଢ଼େ ୬ଟାରେ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ସମାରୋ‌ହରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ପ୍ରତିଭା ରାୟ ଓ ଡକ୍ଟର ପ୍ରକାଶ କୁମାର ପରିଡ଼ା ଅତିଥି ଭାବ‌େ ଯୋଗଦେଇ ସମସ୍ତ ପ୍ରତିଭାଙ୍କୁ ସମ୍ମାନିତ କରିବେ ବୋଲି ଦରଘାବଜାରସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଟ୍ରଷ୍ଟର ସଂପାଦିକା କଥାଶିଳ୍ପୀ ସୁସ୍ମିତା ରଥ ଓ ଟ୍ରଷ୍ଟର ସଦସ୍ୟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ, ଟ୍ରଷ୍ଟର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଭାରତୀ’ ପୂର୍ବରୁ ମନୋଜ ଦାସ, ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ, ଡକ୍ଟର ବେଣୀମାଧବ ପାଢ଼ୀ, ନନ୍ଦିନୀ ଶତପଥୀ, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଅଧ୍ୟାପକ ପଠାଣି ପଟ୍ଟନାୟକ, ଅଧ୍ୟାପିକା ବୀଣାପାଣି ମହାନ୍ତି, ବ୍ରଜନାଥ ରଥ, ଅଧ୍ୟାପକ ଶାନ୍ତନୁ କୁମାର ଆଚାର୍ଯ୍ୟ, ରାଜେନ୍ଦ୍ର କିଶୋର ପଣ୍ଡା, ମହାପାତ୍ର ନୀଳମଣି ସାହୁ, ରମାକାନ୍ତ ରଥ, ଅଧ୍ୟାପକ ବିଭୂତି ପଟ୍ଟନାୟକ, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ଡକ୍ଟର କୃଷ୍ଣଚରଣ ବେହେରା, ଡକ୍ଟର ସୀତାକାନ୍ତ ମହାପାତ୍ର, ଚନ୍ଦ୍ରଶେଖର ରଥ, ଜାନକୀ ବଲ୍ଲଭ ପଟ୍ଟନାୟକ, ଡକ୍ଟର ପ୍ରତିଭା ଶତପଥୀ, ରବି ସିଂହ, ଡକ୍ଟର ପ୍ରତିଭା ରାୟ, ଡକ୍ଟର ରତ୍ନାକର ଚଇନି, ଡକ୍ଟର ସାତକଡ଼ି ହୋତା ପ୍ରମୁଖ ବିଶିଷ୍ଟ ସାରସ୍ବତ ସାଧକମାନେ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର