‘ପିଏମ୍‌ କିଷାନ୍‌’ ଓ ‘କାଳିଆ’ର ମିଶ୍ରଣକୁ ନବନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ବର : ପିଏମ୍ କିଷାନ୍ ଓ କାଳିଆ ଯୋଜନାର ମିଶ୍ରଣ ରାଜ୍ୟର ଚାଷୀଙ୍କ ପାଇଁ ଶତାବ୍ଦୀର ସବୁଠାରୁ ବଡ଼ ବିଶ୍ବାସଘାତକତା। ଏହାଦ୍ବାରା ଚାଷୀମାନେ ପ୍ରତାରିତ ହୋଇଛନ୍ତି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ‌ତାହା ବୁଢ଼ା ବାଘର ସୁନା କଙ୍କଣ ସଦୃଶ ହୋଇଛି ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ଆଜି ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ରାଜ୍ୟରେ ଚାଷୀ ପେନସନ୍‌ ନେଇ ସରକାରଙ୍କ ଉପରେ ଯେଉଁ ଆକ୍ରୋଶ ଥିଲା, ତାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଘୋଷଣା କରିଥିଲେ। ହଠାତ୍ ଚାଷୀଙ୍କ ସଂଖ୍ୟା ୩୬ ଲକ୍ଷରୁ ୭୫ ଲକ୍ଷ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର। ପରେ କାଳିଆ ଯୋଜନାରେ ବ୍ୟାପକ ଜାଲିଆତି ନଜରକୁ ଆସିଥିଲା। ତେବେ ନିର୍ବାଚନ ସମୟରେ କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚାହୁଥିବା ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରୁଥିଲେ, ତାହା ନାଟକ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। ‌ଏପଟେ ପିଏମ୍ କିଷାନ ଯୋଜନାରେ କାଳିଆର ମିଶ୍ରଣ ଫଳରେ ଚାଷୀଙ୍କୁ ଉଭୟ ଯୋଜନାରୁ ମିଳିବାକୁ ଥିବା ଅର୍ଥରୁ ୬ହଜାର ଟଙ୍କା କମ୍ ମିଳିବ। ତେଣୁ ରାଜ୍ୟର ୭୦ଭାଗ ଚାଷୀଙ୍କୁ ଠକି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସନ୍ତା ୧୬ ତାରିଖରେ ସମସ୍ତ ଜିଲ୍ଲା ଏସ୍‌ପି କାର୍ଯ୍ୟାଳୟରେ ଗଣ ଏତଲା ପ୍ରଦାନ କରାଯିବ ବୋଲି ଶ୍ରୀ କୁମାର କହିଥିଲେ। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ, ଆବଶ୍ୟକ ପଡ଼ିଲେ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯିବ। ରାଜ୍ୟବ୍ୟାପୀ ଚାଷୀମାନେ ଏହାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମିରଂଜନ ସ୍ବାଇଁ, ନିମାଇଁ ରାୟ, ଦୁର୍ଗାପ୍ରସାଦ ଦାଶ, ଯୁବଛାତ୍ର ସଂଗଠକ ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର