ଅସୀମା ସାହୁ’ଙ୍କ ‘ଇସାରାରେ ଡାକେ କିଏ ଦିଗ୍‌ବଳୟର ସେ ପାରିରୁ’ କବିତା ସଂକଳନକୁ କଳିଙ୍ଗ ପୁସ୍ତକ ମେଳା-୨୦୨୦ ସମ୍ମାନ

ବାରିପଦା : ବିଶିଷ୍ଟ କବୟିତ୍ରୀ ଓ ସ୍ତମ୍ଭକାର ଅସୀମା ସାହୁଙ୍କ ସଦ୍ୟ ପ୍ରକାଶିତ କବିତା ସଙ୍କଳନ ‘ଇସାରାରେ ଡାକେ କିଏ ଦିଗ୍‌ବଳୟର ସେ ପାରିରୁ’ ରାଜ୍ୟସ୍ତରୀୟ ସମ୍ମାନଜନକ କଳିଙ୍ଗ ପୁସ୍ତକ ମେଳା ପୁରସ୍କାର-୨୦୨୦ ପାଇବା ନିମନ୍ତେ ମନୋନୀତ ହୋଇଛି । ଆସନ୍ତା ଡିସେମ୍ବର ୮ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଥିବା ୨୩ତମ କଳିଙ୍ଗ ପୁସ୍ତକ ମେଳାର ଉଦ୍‌ଯାପନୀ ସମାରୋହରେ ଶ୍ରୀମତୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ।

ସୂଚନାଯୋଗ୍ୟ ଯେ, ସମଗ୍ର ରାଜ୍ୟରେ ୯ଟି ବିଭାଗ ପାଇଁ ୧୧ଟି ପୁସ୍ତକ କଳିଙ୍ଗ ପୁସ୍ତକ ମେଳା ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସେଥିମଧ୍ୟରୁ ‘ଇସାରାରେ ଡାକେ କିଏ ଦିଗ୍‌ବଳୟର ସେ ପାରିରୁ’ ପୁସ୍ତକ ଅନ୍ୟତମ । ଏହି କବିତା ସଙ୍କଳନକୁ ଓଡ଼ିଶାର ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା ହିନ୍ଦୀରେ ଅନୁବାଦ କରିଛନ୍ତି। ଏଥିସହିତ ଏହି ପୁସ୍ତକ ଯୁକ୍ତରାଷ୍ଟ୍ର ଆମେରିକାର ଚର୍ଚ୍ଚିତ ପ୍ରକାଶନୀ ସଂସ୍ଥା ବ୍ଲାକ୍ ଇଗଲ ଦ୍ୱାରା ପ୍ରକାଶିତ ହୋଇ ଦେଶ ବିଦେଶରେ ପାଠକଙ୍କ ନିକଟରେ ବିଶେଷ ଭାବେ ଆଦୃତ ହୋଇପାରିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ରାଗ୍‌ଧାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଶ୍ରୀମତୀ ସାହୁଙ୍କ ଏହି କବିତା ସଙ୍କଳନକୁ ଗଞ୍ଜାମ କବିତା ଘର ଲିଟେରାରୀ ଟ୍ରଷ୍ଟ ଦ୍ୱାରା ସମ୍ମାନିତ କରାଯାଇଥିଲା। କବୟିତ୍ରୀ ଶ୍ରୀମତୀ ସାହୁଙ୍କର ଏଯାବତ ୩ଟି କବିତା ପୁସ୍ତକ ଏବଂ ଗୋଟିଏ ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ଭଞ୍ଜମାଟିର ଏହି କବୟିତ୍ରୀଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ସମାଜସେବୀ ଓ ଶିକ୍ଷାବିତ ପ୍ରମୁଖ ବଧେଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର