କଳିଙ୍ଗନଗର ଶିଳ୍ପାଞ୍ଚଳର ବିକାଶ: ଆର୍‌ପିଡିଏସି ବନାମ ଡିପା

ଯାଜପୁର : ଇସ୍ପାତ ରାଜଧାନୀ କଳିଙ୍ଗନଗରର ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। ହେଲେ ଯୋଜନାର କାର୍ଯ୍ୟକାରିତା ପ୍ରତି ଆନ୍ତରିକତା ଅଭାବରୁ ସମସ୍ୟା ଉତ୍କଟର ରୂପ ଧାରଣ କରିଛି। ଶିଳ୍ପାଞ୍ଚଳର ବିକାଶ ସଂପର୍କରେ ସମୀକ୍ଷା ପାଇଁ ପ୍ରତି ୬ ମାସରେ ଥରେ ଆରଡିସିଙ୍କ ଅଧ୍ୟକ୍ଷତାରେ ବିସ୍ଥାପନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶତାତା କମିଟି(ଆରପିଡିଏସି) ବୈଠକ ହେବା କଥା। ହେଲେ ବର୍ଷ ବର୍ଷ ଧରି ବୈଠକ ହେଉନି। ଯାହା ଫଳରେ ତୃଣମୂଳରେ ବିକାଶ ଦିଗହରା ହୋଇପଡିଛି । ଏବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଣ୍ଟ୍ ପ୍ରମୋସନ୍ ଏଜେନସି(ଡିପା)କୁ କ୍ରିୟାଶୀଳ କରିବାକୁ ସରକାରୀ ତତ୍ପରତା ପ୍ରକାଶ ପାଇଛି। ଆରଡିସିଙ୍କ ଅଧ୍ୟକ୍ଷତାରେ ହେଉଥିବା ଆରପିଡିଏସି ବୈଠକ ବସୁନଥିବା ବେଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିପା କାର୍ଯ୍ୟକ୍ରମ କେତେ ସଫଳ ହେଉଛି? ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଥାଉକି ୨୦୦୬ ମସିହା କଳିଙ୍ଗନଗର ଟାଟା କାରଖାନା ପାଚେରି ନିର୍ମାଣ ବେଳେ ପୁଲିସ ଗୁଳିକାଣ୍ଡରେ ୧୩ ଜଣ ଆଦିବାସୀଙ୍କ ଶୋଚନୀୟ ମୃତ୍ୟୁ ପରେ ସରକାର ଯେଉଁ ନୂତନ ପୁନର୍ବାସ ଓ ଥଇଥାନ ନୀତି କରିକଲେ। ଏହା ଜାତୀୟ ସ୍ତରରେ ସବୁଠାରୁ ଉନ୍ନତ ବୋଲି କୁହାଗଲା। ଅଥଚ ହୀରାକୁଦ ନଦୀବନ୍ଧ ଯୋଜନା ଠାରୁ ଆରମ୍ଭ କରି କଳିଙ୍ଗନଗର ଶିଳ୍ପାୟନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟା ଆଜି ପର୍ଯ୍ୟନ୍ତ ସୁଧୁରିଲା ନାହିଁ। ଦିନେ ବିସ୍ଥାପନକୁ ବିରୋଧ କରି ପୁଲିସ ଗୁଳିରେ ଟଳି ପଡ଼ିଥିବା କଳିଙ୍ଗନଗରର ସାରଙ୍ଗପୁର ଭଳି ଅନେକ ଗାଁର ଲୋକ ଧୂଳିଧୂଆଁରେ ଛଟପଟ ହୋଇ ବିସ୍ଥାପନ ହେବା ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି। ଅଥଚ ସେମାନଙ୍କ ଦାବି ପ୍ରତି କାହାରି ଗୁରୁତ୍ବ ନାହିଁ।

ସବୁଠାରୁ ଉନ୍ନତ କୁହାଯାଉଥିବା ଓଡ଼ିଶାର ଆରଆର ପଲିସ-୨୦୦୬ରେ ଆରପିଡିଏସି ବୈଠକକୁ ବେଶ ଗୁରୁତ୍ବ ଦିଆଯାଇଛି। ଯାହାକି ୩ମାସରେ ଥରେ ଆରଡିସିଙ୍କ ନେତୃତ୍ବରେ ଶିଳ୍ପାନୁଷ୍ଠାନ, ବିସ୍ଥାପିତ, ଅଞ୍ଚଳବାସୀ, ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ବୈଠକ ବସି ସମସ୍ୟା ସମାଧାନ ପାଇଁ ବାଟ ଖୋଲୁଥିଲା। ମାତ୍ର କଳିଙ୍ଗନଗରରେ ୧୩ଟି ବୃହତ ଶିଳ୍ପାନୁଷ୍ଠାନ ସହିତ ଅନେକ ସିମେଣ୍ଟ କାରଖାନା ସାମିଲ ହେଲେଣି। ୬ମାସରେ ଥରେ ଆରପିଡିଏସି ବୈଠକ ବସିବା ବଦଳରେ ୭ବର୍ଷ ହେଲା ବସି ନାହିଁ। ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜିଲ୍ଲାପାଳ ‌ଭାବେ ଯାଜପୁରରେ ଯୋଗଦେବା ଦିନ ଆରପିଡିଏସି ବୈଠକ ହୋଇଥିଲା। ଶ୍ରୀ ଦାସ ୪ବର୍ଷରୁ ଅଧିକ ସମୟ ଜିଲ୍ଲାପାଳ ଏଠାରେ ରହିବା ସତ୍ତ୍ବେ ଆଉ ଆରପିଡିଏସି ବୈଠକ ହୋଇପାରିଲା ନାହିଁ। ମାତ୍ର ପ୍ରସ୍ତୁତି ବୈଠକ ହୋଇ ଅଧାରେ ଅଟକି ଗଲା। ସେହିପରି ଚକ୍ରବର୍ତ୍ତୀ ସିଂ ରାଠୋର ଜିଲ୍ଲାପାଳ ଭାବେ ୨୦୨୦ ନଭେମ୍ବରରୁ ଯୋଗ ଦେଲେଣି। ତାଙ୍କ ସମୟରେ ମଧ୍ୟ ଗୋଟିଏ ବୈଠକ ବସି ପାରିନାହିଁ। ଅଥଚ ଗତ ୨ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଘୋଷଣା କଲେ ଯେ ଗଠନ ହୋଇଥିବା ଡିପା(ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଣ୍ଟ ପ୍ରମୋସନ ଏଜେନସି) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର ତ୍ବରାନ୍ବିତ କରାଯିବ ।

ପ୍ରକାଶ ଥାଉକି ଡିପା ଗତ ବର୍ଷ ୨୦୨୦ ମାର୍ଚ୍ଚ ୮ତାରିଖରୁ ଗଠନ ହୋଲାଣି। ଡିପା ଗଠନ ହେବାର ‌ବର୍ଷେ ୩ ମାସ ପରେ ଏବେ ଜିଲ୍ଲାରେ ଘୋଷଣା କରାଯାଉଛି। ଆରଡିସିଙ୍କ ଅଧ୍ୟକ୍ଷତାରେ ହେଉଥିବା ଆରପିଡିଏସି ବିଫଳ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଡିପା କେତେଦୂର ଶିଳ୍ପାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବ? ଅର୍ଥନୈତିକ ସଙ୍କଟ ଓ ପରିଚାଳନାଗତ ତ୍ରୁଟି ପାଇଁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବନ୍ଦ ହୋଇପଡିଥିବା ନୀଳାଚଳ, ମେସ୍କୋ, ରୋହିତ, ମୈଥାନ ପ୍ରଭୃତି ଇସ୍ପାତ କାରଖାନା ଏବେ ସଚଳ ହେବାକୁ ଆରମ୍ଭ କରିଛି। ମାତ୍ର ଅଞ୍ଚଳର ବିକାଶ, ସ୍ଥାନୀୟ ନିଯୁକ୍ତି ପ୍ରତି କେହି ଉତ୍ତରଦାୟୀ ନୁହନ୍ତି। ଫଳରେ ଆନ୍ଦୋଳନ ବ୍ୟାପିବାରେ ଲାଗିଛି। ଏହି ପରିସ୍ଥିତିରେ ଜିଲ୍ଲାରେ ଶିଳ୍ପାୟନର ବିକାଶ ପାଇଁ ରାଜ୍ୟ ସରକାରଙ୍କର ଉଚ୍ଚପଦାଧିକାରୀଙ୍କ ଶିଳ୍ପ ଯତ୍ନ ନାମରେ ଖୋଲା ଆଲୋଚନା ଆଶାର ଆଲୋକ ସୃଷ୍ଟି କରିଛି। ଏବେ କିପରି ସ୍ଥାନୀୟ ଅଞ୍ଚଳର ବିକାଶ ଓ ନିଯୁକ୍ତିକୁ ତ୍ବରାନ୍ବିତ କରାଯାଉଛି? ତା ଉପରେ ଅଞ୍ଚଳବାସୀଙ୍କ ନଜର।

ସମ୍ବନ୍ଧିତ ଖବର