ଅଟକିଛି କଲୁଙ୍ଗା-ଲାଠିକଟା ରେଳଲାଇନ୍‌: ସ୍ମାର୍ଟସିଟିରେ ବଢ଼ୁଛି ଟ୍ରାଫିକ ସମସ୍ୟା, ଜାମ ରହୁଛି ମୁମ୍ବାଇ-ହାୱଡା ରେଳ ଲାଇନ୍‌

ରାଉରକେଲା: ବାଣିଜ୍ୟିକ ପରିବହନ ସମସ୍ୟାର ସମାଧାନ ସହ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ନିକଟରେ ଗଠନ ହୋଇଛି ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା (ଓଆର୍‌ଆଇଡିଏଲ୍‌)। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଟ୍ରାଫିକ ଓ ଅର୍ଥନୈତିକ ଅଭିବୃଦ୍ଧିର ସମସ୍ୟାର ସମାଧାନ ପାଇଁ ୬ଟି ନୂଆ ରେଳ ଲାଇନ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ମଧ୍ୟରେ ରହିଛି ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର ରେଳଲାଇନ୍‌ । ଜୁନାଗଡ-ନବରରଙ୍ଗପୁର, ବରଗଡ଼ରୋଡ-ନୂଆପଡା, ବାଂଶପାଣି-ବଡ଼ବିଲ୍‌, ବୁରାମରା-ଚକୁଳିଆ ନୂଆ ଲାଇନ। ମାତ୍ର ବର୍ଷ ବର୍ଷ ଧରି ଅଟକି ରହିଛି କଲୁଙ୍ଗା-ଲାଠିକଟା (୧୮ କି.ମି.) ବାଇପାସ୍‌ ରେଳ ଲାଇନ୍‌। ଏଥିସକାଶେ ପାଖାପାଖି ୨୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଆକଳନ କରାଯାଇଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ବହୁ ପ୍ରତୀକ୍ଷିତ ବାଇପାସ୍‌ ରେଳଲାଇନ ସେମିତି ପ୍ରସ୍ତାବରେ ଅଟକି ରହିଛି। ରାଉରକେଲା ସ୍ମାର୍ଟସିଟି ହେବା ପରେ ମୁମ୍ବାଇ-ହାଓଡା ମୁଖ୍ୟ ରେଳଲାଇନ ଓ ସହର ଟ୍ରାଫିକ ସମସ୍ୟା ଏଡାଇବାକୁ କଲୁଙ୍ଗା-ଲାଠିକଟା ଲାଇନ ବେଶ୍‌ ଗୁରୁତ୍ବ ରହିଛି। କାରଣ ଡୁର୍ମେତା-ବିଶ୍ରା ୧୨ କି.ମି. ବାଇପାସ୍‌ ରେଳଲାଇନ କାମ ଚାଲିଛି। ଡୁର୍ମେତା- ଲାଠିକଟା ମଧ୍ୟରେ ପୂର୍ବରୁ ରେଳ ଲାଇନ ରହିଛି। ବର୍ତ୍ତମାନ କଲୁଙ୍ଗା -ଲାଠିକଟା ମଧ୍ୟରେ ନୂଆ ରେଳ ଲାଇନ ନିର୍ମାଣ ହେଲେ ବାଇପାସ୍‌ ରେଳ ଲାଇନ ସମ୍ପୂର୍ଣ୍ଣ ହୋଇଯିବ।

କଲୁଙ୍ଗା ଓ ଅନ୍ୟାନ୍ୟ ଅଞ୍ଚଳରୁ ରାଉରକେଲା ଦେଇ ବନ୍ଧମୁଣ୍ଡା ମାର୍ଶଲିଂ ୟାର୍ଡ ଓ ରାଉରକେଲା ମାଲଗୋଦାମ ୟାର୍ଡକୁ ମାଲଗାଡ଼ି ନଯାଇ ସିଧାସଳଖ ବାଇପାସ୍‌ ଦେଇ ବିଶ୍ରା ଓ ବନ୍ଧମୁଣ୍ଡାକୁ ଯାଇପାରିବ। ସହର ମାଲଗୋଦାମ ସାଇଡିଂକୁ କଲୁଙ୍ଗା କିମ୍ବା ଲାଠିକଟାକୁ ସ୍ଥାନାନ୍ତର ହୋଇଗଲେ ସହରର ଟ୍ରାଫିକ ସମସ୍ୟାର ପୂର୍ଣ୍ଣଚ୍ଛେଦ ପଡିବ। ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗରେ ମଧ୍ୟ ମାଲଗାଡ଼ିକ ଯାତାୟତ କମ୍‌ ରହିବ। ଏକ୍ସପ୍ରେସ୍, ସୁପରଫାଷ୍ଟ ଓ ସାଧାରଣ ପାସେଞ୍ଜର ଟ୍ରେନ୍‌ ଗୁଡ଼ିକ ଯାତାୟତ ସ୍ବାଭାବିକ ହୋଇପାରିବ। କଲୁଙ୍ଗା-ଲାଠିକଟା ୧୮ କି.ମି. ରେଳ ଲାଇନ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟାକୁ ରାଜ୍ୟ ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। କେବଳ ଏତିକି ନୁହେଁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଦଳମତ ନିର୍ବିଶେଷର ଏକାଠି ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉଠାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର