କନକ ନ୍ୟୁଜ୍‌ ପକ୍ଷରୁ ‘ଆମର୍ ନୂଆଁଖାଇ’ : ‘ଓଡ଼ିଶା ବିକାଶରେ ପଶ୍ଚିମ ଓଡ଼ିଶାର ବଳିଷ୍ଠ ଅବଦାନ ରହିଛି’

ଦୁଲୁକିଲା ସମ୍ବଲପୁର ତପସ୍ବିନୀ ହଲ୍‌ ମଞ୍ଚ, ଦୁଇ ପଦ୍ମଶ୍ରୀଙ୍କ ସହ ୯ ପ୍ରତିଭାଙ୍କୁ ସମ୍ବର୍ଧନା

ସମ୍ବଲପୁର : ଓଡ଼ିଆ ଭାଷା ସୁରକ୍ଷା ଓ ଏହି ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ହୋଇଥିବା ଆନ୍ଦୋଳନରେ ପଶ୍ଚିମ ଓଡ଼ିଶା ପ୍ରମୁଖ ଭୂମିକା ନେଇଥିଲା। କେବଳ ସେତିକି ନୁହେଁ କଳା ସଂସ୍କୃତି, ସାହିତ୍ୟ, ରାଜନୀତି, ଅର୍ଥନୀତି ସବୁ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ବଳିଷ୍ଠ ଓ ଅତୁଳନୀୟ ଅବଦାନ ରହିଛି। କିନ୍ତୁ ସାମଗ୍ରୀକ ବିକାଶ ନ ହେବା କାରଣରୁ ଏହି ଅଞ୍ଚଳର ଲୋକମାନଙ୍କ ମନରେ ଏବେ ଅସନ୍ତୋଷ ରହିଛି। ତେଣୁ ଏ ଅଞ୍ଚଳର ଲୋକଙ୍କ ମନର କଥାକୁ ବୁଝିବାକୁ ପଡ଼ିବ, ସେମାନଙ୍କ ଭାବପ୍ରବଣତାକୁ ସମ୍ମାନ ଦେବାକୁ ପଡ଼ିବ ବୋଲି କନକ ନ୍ୟୁଜ୍‌ର ‘ଆମର ନୂଆଁଖାଇ’ କାର୍ଯ୍ୟକ୍ରମ ଅବସରରେ ବକ୍ତାମାନେ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ‘ଓଡ଼ିଶାର ବିକାଶରେ ପଶ୍ଚିମ ଓଡ଼ିଶାର ଅବଦାନ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କ‌ହିଲେ, ଓଡ଼ିଶାକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ତିଆରି ହୋଇଥିବା ହୀରାକୁଦ ବନ୍ଧ ପାଇଁ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଲୋକ ନିଜ ଭିଟାମାଟି ହରାଇ ଥିଲେ, ହଜାର ହଜାର ପରିବାର ଉଜୁଡ଼ି ଯାଇଥିଲା। ଜଳଭଣ୍ଡାର ଭିତରେ ୩୦୦ରୁ ଅଧିକ ଗାଁ ବୁଡ଼ି ଯାଇଥିଲା। ବର୍ତ୍ତମାନ ବି ଏହି ଲୋକେ ନିଜ ଜୀବନକୁ ବ୍ୟବସ୍ଥିତ କରିବା ପାଇଁ ସଂଘର୍ଷ କରୁଛନ୍ତି। ଓଡ଼ିଶା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କର ଏହାଠୁ ବଡ଼ ବଳିଦାନ କଣ ହୋଇପାରେ। ସ୍ବାଧୀନତା ସଂଗ୍ରାମଠୁ ଆରମ୍ଭ କରି ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ବତନ୍ତ୍ର ପ୍ରଦେଶ ଗଠନ ପର୍ଯ୍ୟନ୍ତ ସବୁଠି ପଶ୍ଚିମ ଓଡ଼ିଶାର ଲୋକେ ହିଁ ଅଗ୍ରଣୀ ଭୂମିକା ନେଇ ଆସିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ସେ କହିଥି‌ଲେ ଯେତେବେଳେ ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ ବୋଲି ପ୍ରଚାର କରାଯାଉଥିଲା, ସେ ସମୟରେ ସମ୍ବଲପୁରୀ ଭାଷାଭାଷୀ ଲୋକେ ହିଁ ଓଡ଼ିଆ ଭାଷା ବଞ୍ଚାଇବା ଲାଗି ଆନ୍ଦୋଳନ କରିଥିଲେ। ସେତେବେଳେ କେନ୍ଦ୍ରୀୟ ପ୍ରଦେଶର ଅନ୍ତର୍ଭୂକ୍ତ ପଶ୍ଚିମ ଓଡ଼ିଶାର ଲୋକମାନେ କୋର୍ଟ କଚେରିରେ ହିନ୍ଦୀ ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଉଦ୍ୟମ ଓ ଆନ୍ଦୋଳନ କରିଥିଲେ। ଶିମଳା ଯାଇ ବଡ଼ଲାଟଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ଓଡ଼ିଆ ଭାଷା ପ୍ରତି ସମ୍ବଲପୁର ଲୋକଙ୍କର ଏହା ବଡ଼ ଅବଦାନ।

ପଶ୍ଚିମ ଓଡ଼ିଶାର ମହତ୍ତ୍ବ ଓ ସ୍ବତନ୍ତ୍ରତାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଲେ, ଆମର ସ୍ବତନ୍ତ୍ର କଳା, ସଂସ୍କୃତି ଓ ଭାଷା ରହିଛି। ଆମ ଭାଷା ସ୍ବତନ୍ତ୍ର ଓ ସରକାରୀ ମାନ୍ୟତା ପାଇବାକୁ ଯୋଗ୍ୟ। ଏହା କୌଣସି ଉପଭାଷା ନୁହେଁ। ଏହି ଭାଷାରେ ନିର୍ମିତ ସିନେମା ସବୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ। ଯେବେ ପୃଥିବୀର ବିଭିନ୍ନ ସ୍ଥାନରେ ରାଜତନ୍ତ୍ର ଶାସନ ଚାଲିଥିଲା, ସେତେବେଳେ ଏହି ଅଞ୍ଚଳରେ ଗଣତନ୍ତ୍ର ଶାସନ ଥିଲା। ପ୍ରାଚୀନ ଯୁଗରେ ଏହି ଅଞ୍ଚଳରେ ଦୁଇ ଦୁଇଟି ବିଶ୍ବବିଦ୍ୟାଳୟ ଥିଲା। ପଶ୍ଚିମ ଓଡ଼ିଶାର ଇତିହାସ ଓ ସଂସ୍କୃତି ଅତି ସମୃଦ୍ଧ ବୋଲି ଶ୍ରୀ ମିଶ୍ର କହିଥିଲେ। ସେହିପରି ଶାନ୍ତି, ଏକତା ଓ ଭାଇଚାରାର ନିଆରା ପର୍ବ ନୂଆଁଖାଇ ଏହି ଅଞ୍ଚଳର ଜୀବନଧାରାକୁ ଆହୁରି ସମୃଦ୍ଧ କରିଛି ବୋଲି ସେ କହିଥିଲେ।

ଅନ୍ୟତମ ଆଲୋଚକଭାବେ ଯୋଗ ଦେଇ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଲେ, ରାଜ୍ୟ ଅର୍ଥନୀତିକୁ ପଶ୍ଚିମ ଓଡ଼ିଶାର ଅବଦାନ ଅତୁଳନୀୟ। କେନ୍ଦୁପତ୍ରରୁ ପଶ୍ଚିମ ଓଡ଼ିଶା ୩୦୦ କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଦେଉଛି। ବକ୍ସାଇଟ, କ୍ରୋମାଇଟ୍, କୋଇଲା ଆଦି ଖଣିଜ ଏହି ଅଞ୍ଚଳରୁ ଉତ୍ପାଦିତ ହୋଇ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରୁଛି। ପଶ୍ଚିମ ଓଡ଼ିଶାର ବସ୍ତ୍ର, ନୃତ୍ୟ, ସଂଗୀତ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରି ପାରିଛି। ଭୀମ ଭୋଇ ଓ ଗଙ୍ଗାଧର ମେହେରଙ୍କଠାରୁ ଆରମ୍ଭ କରି ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଏବଂ କ୍ରିଷ୍ଣା ପଟେଲଙ୍କ ଭଳି କବି ଓ କଳାକାର ଦେଶ ବିଦେଶରେ ଆମର ସମୃଦ୍ଧ କଳା, ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ ସାଜିଛନ୍ତି। ତଥାପି ସାମଗ୍ରୀକ ବିକାଶ ‌ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି ବୋଲି ଶ୍ରୀ ପୁରୋହିତ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଅଭିଭାଷଣ ରଖି ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଜୀବନର ବ୍ୟସ୍ତତା ଭିତରେ ପର୍ବପର୍ବାଣୀ ଏକ ବ୍ରେକ୍‌ ଭଳି। ଯାହା ଜୀବନର ବ୍ୟସ୍ତତା ଭିତରେ ମଣିଷ ପାଇଁ କ୍ଳାନ୍ତି ଦୂର କରିବା ଓ ଅବସର ବିନୋଦନର ସୁଯୋଗ ଆଣିଥାଏ। ନୂଆଁଖାଇ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଓ ବହୁ କାରଣରୁ ଏହା ସ୍ବତନ୍ତ୍ର ଓ ନିଆରା। ଆଗ କାଳର ପର୍ବପର୍ବାଣୀର ମଜା ଆଉ ନାହିଁ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ନୂଆ ସମୟ ଓ ଜ୍ଞାନକୌଶଳ ସହିତ ଖାପଖୁଆଇ ଆମକୁ ନିଜ ପରଂପରା ଓ ପର୍ବାଣୀ ଉପଭୋଗ କରିବାର କଳା ଶିଖିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗ, ସମାଜସେବୀ ଅନନ୍ୟା ଅନସୂୟା ନାୟକ, ଜେଏନ୍‌ୟୁର ଗବେଷିକା ବିଜୟିନୀ ମିଶ୍ର, କଣ୍ଠଶିଳ୍ପୀ ପଦ୍ମିନୀ ଦୋରା, ହାସ୍ୟ ଅଭିନେତା କେଦାର ପଟେଲ, ରଂଗବତୀ ଯୋଡ଼ି ଡ. କ୍ରିଷ୍ଣା ପଟେଲ ଏବଂ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ବରଗଡ଼ ଧନୁଯାତ୍ରାର କଂସ ଭୁବନେଶ୍ବର ପ୍ରଧାନ ଏବଂ ଗାୟକ ଦିଲୀପ ବାଗଙ୍କୁ ସମ୍ବର୍ଧିତ କରା ଯାଇଥିଲା। ଏହି ସମସ୍ତ କବି ଓ କଳାକାର ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରି ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ଗୁରୁ ମୋହିତ ସ୍ବାଇଁ ଓ ସହଯୋଗୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ ହୋଇଥିଲା। ଆଲୋଚନାକୁ କନକ ନ୍ୟୁଜ୍‌ର ଏଡିଟର ମନୋରଂଜନ ମିଶ୍ର ସଂଯୋଜନା କରିଥିଲାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଭିନ୍ନ ଆଶୁତୋଷ, ମିଲନ ହୋତା ଏବଂ ମଧୁସ୍ମିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର