ସରକାରୀ କାର୍ଯ୍ୟକ୍ରମରେ କଂଗ୍ରେସ, ବିଜେପି ନେତା ଅଲୋଡ଼ା

ସ୍ବାୟତ୍ତ ଶାସନ ଦିବସ କି ବିଡିଏ ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ଡାକିଲେନି, ଜଟଣୀ ବିଧାୟକଙ୍କୁ ବି ଭୁଲିଗଲେ

ଭୁବନେଶ୍ବର : ଅଗଷ୍ଟ ୩୧ରେ ବି‌ଏମ୍‌ସି ସ୍ବାୟତ୍ତ ଶାସନ ଦିବସ ପାଳନ କଲା। ସାରା ରାଜଧାନୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲା। କିନ୍ତୁ ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଅତିଥି ଭାବେ ଡକା ଗଲାନି।

ସେପ୍ଟେମ୍ବର ୧ରେ ବିଡିଏ ୩୭ତମ ପ୍ରତିଷ୍ଠା ଦିବସ ପାଳନ କଲା। ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକଙ୍କୁ ଅତିଥି ଭାବେ ଡାକିଲା। ହେ‌ଲେ ଭୁବନେଶ୍ବର ସାଂସଦ କି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ନିମନ୍ତ୍ରଣ କଲେନି। ବିଡିଏ ଅଧୀନରେ ଖୋର୍ଦ୍ଧା ଓ ଜଟଣୀର ସହରାଞ୍ଚଳ ସମେତ କିଛି ଗ୍ରାମାଞ୍ଚଳ ଯାଉଥିଲେ ହେଁ ବିଡିଏ କର୍ତ୍ତୃପକ୍ଷ ଜଟଣୀ ବିଧାୟକଙ୍କୁ ଡାକି ନାହାନ୍ତି। ଖୋର୍ଦ୍ଧା ବିଧା‌ୟକ ଜିତୁ ମିତ୍ର ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଡକାଯାଇଥିଲା କି ନାହିଁ ତାହା ଜଣାପଡ଼ିନି। ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସ ଏବଂ ବିଡିଏର ପ୍ରତିଷ୍ଠା ଦିବସରେ ବିଜେପି ସାଂସଦ ଓ କଂଗ୍ରେସ ବିଧା‌ୟକ ଉପସ୍ଥିତ ନରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ସଂସ୍ଥା ସରକାରୀ କାର୍ଯ୍ୟକ୍ରମରେ କାହିଁକି ବିରୋଧୀ ଦଳର ନିର୍ବାଚିତ ନେତାଙ୍କୁ ଡାକୁ ନାହାନ୍ତି, ସେନେଇ ପ୍ରଶ୍ନ ଉଠିଲାଣି। ଏପରିକି ଏହି କାର୍ଯ୍ୟକ୍ରମକୁ ଶାସକ ଦଳର ପୂର୍ବତନ କର୍ପୋରେଟରମାନଙ୍କୁ ଡକାଯାଉଥିବା ବେଳେ ବର୍ତ୍ତମାନର ନିର୍ବାଚିତ ପ୍ରତିନିଧିମାନଙ୍କୁ ନ ଡାକିବା କେମିତିଆ ଅତିଥି ଚୟନ, ତାହା ଏବେ ଚର୍ଚ୍ଚା ହେଉଛି।

ଭୁବନେଶ୍ବର ସାଂସଦ କି ଜଟଣୀ ବିଧାୟକଙ୍କୁ କାହିଁକି ଡାକିଲେନି, ସେନେଇ ଜୋରଦାର ଚର୍ଚ୍ଚା ହେବାର କାରଣ ହେଲା ପୂର୍ବରୁ ବି‌ଏମ୍‌ସିର ସମସ୍ତ କାର୍ଯ୍ୟକ୍ରମରେ ସ୍ବାୟତ୍ତ ଶାସନ ଦିବସରେ ହେଉଥିବା ପ୍ରତିଟି ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀଙ୍କୁ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ନା ସାଂସଦଙ୍କୁ ଡକାଯାଉଛି ନା ସାଂସଦ ତାଙ୍କ ଆଡ଼ୁ କିଛି ବୈଠକ ନେଉଛନ୍ତି। ସାଂସଦ ଏବେ କେବଳ ଚିଠି ଓ ଟୁଇଟର୍ ମାଧ୍ୟମରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯାହା କହିବା କଥା କହୁଛନ୍ତି।

ରାଜ୍ୟର ଅନ୍ୟ ସହରାଞ୍ଚଳରେ ସ୍ବାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦମାନଙ୍କୁ ଡକାଯାଇଥିବା ବେଳେ ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସରେ ଅପରାଜିତାଙ୍କୁ ଅତିଥି ଭାବେ ନଡାକିବା ନେଇ କର୍ତ୍ତୃପକ୍ଷ କହିଲେ ଯେ, ସ୍ବାୟତ୍ତ ଶାସନ ଦିବସରେ କିଏ ଅତିଥି ହେବେ ନହେବେ ତାହା ଆମେ ନିଷ୍ପତ୍ତି ନେଇନୁ। ନଗର ଉନ୍ନୟନ ବିଭାଗ ସାରା ରାଜ୍ୟ ପାଇଁ ନିଷ୍ପତ୍ତି ନେଇଛି। ଏହା ପରଦିନ ଅର୍ଥାତ୍ ସେପ୍ଟେମ୍ବର ୧ରେ ବିଡିଏ ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ବି ଡାକିଲେନି। ପୂର୍ବରୁ ବିଡିଏ ପ୍ରତିଷ୍ଠା ଦିବସରେ ଜଟଣୀ ବିଧାୟକମାନେ ଅତିଥି ଭାବେ ଯୋଗ ଦେବାର ନଜିର୍ ଅଛି। ଏନେଇ ବିଧାୟକ ଶ୍ରୀ ରାଉତରାୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ‌ମୋ ନିର୍ବାଚନ ମଣ୍ଡଳୀ‌େର ବହୁ ଅଞ୍ଚଳ ବିଡିଏ ଅଧୀନ‌େର ଯାଉଛି। ହେଲେ ପ୍ରତିଷ୍ଠା ଦିବସ ନେଇ ମୋତେ କିଛି ନିମନ୍ତ୍ରଣ ପତ୍ର ଆସିନି। ମୋତେ ନଡାକି ସେମାନେ ସଂକୀର୍ଣ୍ଣ ମନୋଭାବ ଦେଖାଇଛନ୍ତି। ମୋତେ ଡାକିଥିଲେ ମୁଁ ମୋ ଅଞ୍ଚଳ ପାଇଁ କିଛି ଦାବି ରଖିଥାନ୍ତି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅତିଥି ଚୟନ ବିଡିଏସ୍ତରରେ ହୋଇନି। ନଗର ଉନ୍ନୟନ ବିଭାଗ କରିଛି। ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷଙ୍କ ଏହିଭଳି ବେପରୁଆ ଉତ୍ତର ଏବେ ପ୍ରଶ୍ନ ଉଠାଇଲାଣି ଯେ, ନିଜ ସଂସ୍ଥାର ସବୁଠୁ ବଡ଼ କାର୍ଯ୍ୟକ୍ରମରେ କିଏ ଅତିଥି ହେବ ତାହା କ’ଣ ସଂସ୍ଥାର ମୁଖ୍ୟମାନେ ନିଷ୍ପତ୍ତି ନେଉନାହାନ୍ତି।

ସମ୍ବନ୍ଧିତ ଖବର