ଜମିବାଡ଼ି ବିବାଦରୁ କଙ୍ଗାରୁ କୋର୍ଟ: ୫ ବର୍ଷ ହେଲା ଗାଁରୁ ବାସନ୍ଦ ପରିବାର

ନିଆଁ, ପାଣି, ଦୋକାନ ବନ୍ଦ

ଦଶପଲ୍ଲା : ଜମିବାଡ଼ି ବିବାଦ ନେଇ ଦୀର୍ଘ ୫ ବର୍ଷ ହେଲା ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଗାଁରୁ ନିଆଁ, ପାଣି, ଦୋକାନ ବନ୍ଦ କରାଯିବା ସହ ସଂପୃକ୍ତ ପରିବାର ସହ କେହି କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ କରାଯାଇଛି ହୁଇପ୍ ଜାରି। ଏପରିକି ଏବେ ଯେଉଁ ଜମିକୁ ନେଇ ବିବାଦ ଦେଖାଦେଇଛି ସେହି ଜମିକୁ ଗାଁକୁ ନଦେବା ପର୍ଯ୍ୟନ୍ତ ଜମିବାଡିକୁ ଯିବାକୁ ସମସ୍ତ ରାସ୍ତାଘାଟକୁ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ଡିଗିରି ଗ୍ରାମରେ।

ସୂଚନାଯୋଗ୍ୟ, ଗ୍ରାମର ବସନ୍ତ ବାଜୁଙ୍କ ପିତା ଶୁକୁରିଆଙ୍କ ନାମରେ ଥିବା ୨ଟି ପ୍ଲଟ୍‌କୁ ଦୀର୍ଘ ବର୍ଷ ଧରି ଗ୍ରାମର ୨ ଜଣ ବ୍ୟକ୍ତି ଅଧିକାର କରି ରଖିଥିଲେ। ଯାହାକି ୨୦୧୫/୧୬ରେ ଆବାସ ପାଇଥିବା ଜଣେ ବ୍ୟକ୍ତି ଉକ୍ତ ଜାଗା ଉପରେ ଘର କରିବାରୁ ବସନ୍ତ ଏହାକୁ ବିରୋଧ କରିଥିଲେ। ଗ୍ରାମ ସଭାପତିଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ବୈଠକ ବସିଥିଲା। ବୈଠକରେ ବସନ୍ତଙ୍କୁ ଜାଗା ରଖିଥିବା ବ୍ୟକ୍ତିମାନେ ୧୫ ଦିନ ମଧ୍ୟରେ ୬୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଧାରିତ ସମୟରେ ସେ ଟଙ୍କା ନ ପାଇବାରୁ ଗ୍ରାମରେ ବାରମ୍ବାର ଜଣାଇଥିଲେ। କୈାଣସି ନ୍ୟାୟ ନ ମିଳିବାରୁ ଶେଷରେ ସେ ଏକ ମାମଲା ଦାୟର କରିଥିଲେ। ଉକ୍ତ ଜାଗା ଉପରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହା ପରେ ଗ୍ରାମସଭା ଡକାଯାଇ ବସନ୍ତଙ୍କୁ ଗ୍ରାମରୁ ବାସନ୍ଦ ରଖାଯାଇଥିଲା।

ଏ ସମ୍ପର୍କରେ ସେ ପୁଲିସଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଶେଷରେ ପୁଲିସ ହସ୍ତକ୍ଷେପ କରିବା ପରେ ଘଟଣାର ସମାଧାନ ହୋଇଥିଲା। ଏହାର କିଛି ଦିନ ପରେ ପୁଣି ଆଉ ଏକ ଜାଗା ନେଇ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ବାପାଙ୍କ ନାମରେ ଥିବା ଜାଗାକୁ ଗ୍ରାମବାସୀ ଅକ୍ତିଆର କରି ରଖିଥିଲେ। ଏହାକୁ ସେ ଅଧିକାର କରିବାରୁ ପୁଣି ଗ୍ରାମରୁ ବାସନ୍ଦ ରଖାଯାଇଛି। ଯେଉଁ ପର୍ଯ୍ୟନ୍ତ ଉକ୍ତ ଜାଗାକୁ ଗ୍ରାମ ନାମରେ ସେ ନ କରିଛନ୍ତି ସେ ପର୍ଯ୍ୟନ୍ତ ବାସନ୍ଦ ରହିବାକୁ ଗାଁ ସଭାରେ ନିଷ୍ପତ୍ତି ହୋଇଛି। ଏପଟେ ଗ୍ରାମରେ ଅନ୍ୟ ଜଣେ ବ୍ୟକ୍ତି ଦୋକାନ ଦେଇଥିବାରୁ ଗତକାଲି ବସନ୍ତଙ୍କ ପୁଅ ସୁଦାମ ସଉଦା କରିବାକୁ ଯାଇଥିଲେ। ଗ୍ରାମବାସୀ ସଉଦା ଦେବାକୁ ମନା କରିଥିବା ଦୋକାନୀ କହିବାରୁ ସେ ଗାଳିମନ୍ଦ କରିଥିଲେ। ସାଙ୍ଗେସାଙ୍ଗେ ଗାଁରେ ଘଣ୍ଟ ବାଜିବା ସହ ବସନ୍ତଙ୍କ ଦୁଆରେ ଏକ ବୈଠକ ବସିଥିଲା। ଏପଟେ ଗ୍ରାମ ସଭାପତି ଓ ସମ୍ପାଦକ ଘରେ ପଶି ତାଙ୍କ ପୁଅ ଓ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥିବା ନେଇ ବସନ୍ତ ଗଣମାଧ୍ୟମ ସମ୍ମୁଖରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ଖାଲି ସେତିକି ନୁହେଁ ଘରକୁ ଆସିଥିବା ଝିଅ, ଜ୍ବାଇଁ ଓ ପୁଅର ୨ଟି ବାଇକ୍‌ ଛଡାଇ ରଖିଥିବା ସେ ଅଭିଯୋଗ କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି। ମାତ୍ର ରାତିରେ କୈାଣସି ସମାଧାନ ହୋଇନଥିବା ବେଳେ ଆଜି ପୂର୍ବାହ୍ଣରେ ପୁଣି ବସନ୍ତଙ୍କ ଦୁଆରେ ବୈଠକ ହୋଇଥିଲା। ଏହି ସମୟରେ ବସନ୍ତଙ୍କୁ ଘରକୁ ଛାଡିବାକୁ ଯାଇଥିଲେ ତାଙ୍କ ମାଲିକ ଯୋଗାଚାର୍ଯ୍ୟ ଜ୍ୟୋତି ରଂଜନ। ବୈଠକ ବସିଥିବା ସ୍ଥାନରେ ସେ ବାଇକ୍‌ ରଖିବାରୁ ତାକୁ ନେଇ ସେଠାରେ ତାଙ୍କୁ ଭୁଲ୍‌ ମାଗିବାକୁ କୁହାଯିବା ସହ ତାଙ୍କ ବାଇକ୍‌କୁ ଛଡାଇ ରଖିଥିଲେ। ଏ ସମ୍ପର୍କରେ ସେ ପୁଲିସ ଓ କିଛି ଭଦ୍ର ବ୍ୟକ୍ତିଙ୍କୁ ଫୋନ୍‌ କରିଥିଲେ। ପୁଲିସ ଓ ଭଦ୍ରବ୍ୟକ୍ତି ପହଞ୍ଚିବା ପରେ ସେ ସେଠାରୁ ମୁକୁଳିଥିବା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ବସନ୍ତ ଓ ତାଙ୍କ ଜ୍ବାଇଁ ପ୍ରକାଶ ବେହେରା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି।

ଗ୍ରାମସଭାପତି ଭରତ ବାଜୁଙ୍କ କହିବା ଅନୁଯାୟୀ, ଗାଁ ଏକ ଜାଗାକୁ ୩୦ ବର୍ଷ ହେଲା କିଣିଥିଲେ। ହେଲେ ଏହା ପଟା ହୋଇ ପାରୁନି। ବସନ୍ତ ଏହାକୁ ୫/୭ ବର୍ଷ ହେଲା ଚାଷ କରୁଛନ୍ତି। ଯାହାକୁ ନେଇ ତାକୁ ବାସନ୍ଦ ରଖାଯାଇଥିବା କହିଛନ୍ତି। ଏପଟେ ଗାଁରେ ତାଙ୍କ ପୁଅ ମଦପିଇ ଗାଳିମନ୍ଦ କରିଥିଲା। ତାଙ୍କ ଦୁଆରେ ଗାଁ ସାରା ପାଲ ପକାଇ ବସିଥିଲୁ। ଯେବେ ସିଏ ଗାଁ ନାଁରେ ଜମିକୁ ପଟ୍ଟା କରିଦେବ, ଏହାର ସମାଧାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର