କନ୍ଧମାଳ ଶ୍ରମିକଙ୍କୁ ଲୁଟୁଛନ୍ତି କେରଳ ବସ୍ ମାଲିକ : ୩୫ ଶହ ଟଙ୍କା ଭଡ଼ା ଦେଇ ଯାଉଛନ୍ତି ଦାଦନ Latestକନ୍ଧମାଳରାଜ୍ୟ By Sambad Digital Last updated Feb 17, 2021 ସେୟାର Sambad is now on WhatsApp Join and get latest news updates delivered to you via WhatsApp Join Now ଘୁ.ଉଦୟଗିରି : ଜଣକ ଟିକଟ ଦେୟ ୩୫୦୦ ଟଙ୍କା। ଏତିକି ନହେଲେ ପଳାଇଯାଅ। କାମ ଆଶାରେ ପିଲାଛୁଆ ଧରି ରାଜ୍ୟ ବାହରକୁ ଯାଉଥିବା କନ୍ଧମାଳ ଶ୍ରମିକଙ୍କ ଏ ହେଉଛି ସୁଦୂର କେରଳରୁ ଆସିଥିବା ବସ୍ ମାଲିକଙ୍କ ଚରମବାଣୀ। ହେଲେ କରୋନା କାଳରେ କାମଧନ୍ଦା ନପାଇ ୯ ମାସ ହେଲା ହାତବାନ୍ଧି ବସିଥିବା ଶ୍ରମିକଙ୍କ ପାଖରେ ଟଙ୍କା ନଥିବା ବେଳେ ଯେନତେନ ପ୍ରକାରେ ଧାରଉଧାର କରି ଟଙ୍କା ଯୋଗାଡ଼ କରୁଛନ୍ତି। ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଦାଦନ ଶ୍ରମିକଙ୍କୁ ଦଲାଲ୍ ମାଧ୍ୟମରେ ଲୁଟୁଛନ୍ତି କେରଳ ବସ୍ ମାଲିକ। କେରଳରୁ କନ୍ଧମାଳକୁ ଦାଦନ ଶ୍ରମିକଙ୍କୁ ସେଠାକୁ ନେବା ନିମନ୍ତେ ବସ୍ ଆସୁଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ କେରଳ ମୁହାଁ ହେବାରେ ଲାଗିଛନ୍ତି। ସ୍ଥାନୀୟ ଅଞ୍ଚଳର ଜନଗହଳିପୂର୍ଣ୍ଣ ଛକ ମାନଙ୍କରେ ବଡ଼ବଡ଼ ପ୍ରଚାର ହୋଡ଼ିଂ ଲାଗିଛି। ଯେଉଁଠି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ କେରଳକୁ ବସ ଭଡ଼ା ୩୫୦୦ଟଙ୍କା ଲେଖାଯାଇଛି। ବର୍ତ୍ତମାନ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇ ନଥିବାର ସୁଯୋଗ ନେଇ ଚଢ଼ା ଦରରେ ସ୍ଥାନୀୟ ଶ୍ରମିକଙ୍କ ଠାରୁ ବସ୍ ଭଡ଼ା ଆଦାୟ କରି କେରଳ ନେଉଛନ୍ତି। ଟ୍ରେନ୍ରେ କେରଳ ଯାତ୍ରା କଲେ ଟିକଟ ମାତ୍ର ୭୦୦ ଟଙ୍କା। ବର୍ତ୍ତମାନ ବସ୍ ଯୋଗେ ଗଲେ ପାଞ୍ଚ ଗୁଣା ଅଧିକ ଭଡ଼ା ଦେବାକୁ ପଡୁଛି। ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ନ ଥିବା ହେତୁ ଯୁବକଯୁବତୀମାନେ ଯେକୌଣସି ମତେ କେରଳ ଯିବାକୁ ବାଧ୍ୟ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସହରରେ ଲାଗିଥିବା ହୋଡ଼ିଂରେ କେରଳ ଯାତ୍ରା କରିବା ନିମନ୍ତେ ବସ୍ ଭଡ଼ା ଓ ମୋବାଇଲ୍ ନମ୍ବର ଦିଆଯାଇଛି। ଅଥଚ ପ୍ରଶାସନ ଏହି ସବୁ ଦୃଶ୍ୟ ଦେଖି ଚୁପ ହୋଇ ବସିବା ସମସ୍ତଙ୍କୁ ବିସ୍ମିତ କରୁଛି। ସ୍ଥାନୀୟ ଶ୍ରମିକଙ୍କ ଠାରୁ ଦଲାଲ୍ ମାଧ୍ୟମରେ କେରଳ ବସ୍ ମାଲିକ ଲୁଟୁଛନ୍ତି। ବେଳେବେଳେ ଏହି ଭଡ଼ା ସ୍ଥାନକାଳ ଦେଖି ଆହୁରି ବଢ଼ିଯାଉଛି। ନିର୍ଦ୍ଧାରିତ ଭଡ଼ା ଠାରୁ ଅଧିକ ଭଡ଼ା ନେଉଥିବା ବେଳେ ଟୁରିଷ୍ଟ୍ ପରମିଟ୍ରେ ଶ୍ରମିକ ବୋହିବା କାର୍ଯ୍ୟ ଚାଲିଛି। କେରଳରୁ ଆସୁଥିବା ବସ୍ଗୁଡ଼ିକର ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ପରିମିଟ୍ ରହିଛି କି ନାହିଁ ତାହା ଯାଞ୍ଚ ହେଉନି। ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ନିରବ ଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଚକିତ କରିଛି।