ମହିଳାଙ୍କ ସୁନାଚେନ ଉଦ୍ୟମ କରି ଛେଚା ଖାଇଲେ ଦୁଇ ଯୁବକ

ଧଉଳି : ମଙ୍ଗଳବାର ରାତି ସାଢ଼େ ୧୦ଟା ବେଳେ ଧଉଳି ଥାନା ଅଧୀନ ଇନ୍ଦିରା କଲୋନୀ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ ବିଫଳ ହୋଇଛି । ତେବେ ମହିଳାଙ୍କୁ ଟାର୍ଗେଟ କରି ସୁନାଚେନ ଝାମ୍ପି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଲୁଟେରା ଦ୍ବୟ ନିର୍ଧୁମ ଛେଚା ଖାଇଛନ୍ତି । ଖବର ପାଇ ଧଉଳି ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଏନେଇ ଲୁଟର ଶିକାର ହୋଇଥିବା ମହିଳା ଜଣକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଧଉଳି ଥାନା ଅଞ୍ଚଳରେ ମଧ୍ୟାହ୍ନରେ ଘଟିଥିବା ଆଉ ଗୋଟିଏ  ଲୁଟ ଘଟଣା ଭଳି ରିପୋର୍ଟ  ଲେଖା ହେବା ବେଳେକୁ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ଝିଅ ସହ ଘରଠାରୁ କିଛି ଦୂର ଇନ୍ଦିରାକଲୋନୀ ଛକକୁ କିଛି ଜିନିଷ କିଣିବାକୁ ଆସିଥିଲେ । ସାମଗ୍ରୀ କିଣିସାରି ଘରକୁ ଫେରଉଥିବା ବେଳେ ପଛରୁ ଦୁଇ ଜଣ ଯୁବକ ପିଛା କରି ସୁନାଚେନ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ । ହେଲେ ଚେନ ଛିଣ୍ଡାଇବା ବେଳେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ଯୁବକଙ୍କ ହାତକୁ ଖୁବ ଜୋରରେ ଧରି ପକାଇଥିଲେ । ଫଳରେ ସେମାନେ ବାଇକ ଉପରୁ ଛିଟିକିପଡ଼ି ଆହାତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି । ପୁଲିସ ଲୁଟେରା ଦ୍ବୟଙ୍କ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ ସେମାନଙ୍କ ବାଇକଟିକ ମଧ୍ୟ ଜବତ କରିଛି ।

ସମ୍ବନ୍ଧିତ ଖବର