ଖୋର୍ଧା-ବଲାଙ୍ଗୀର ରେଳପଥ ନେଇ ବି ମତ ରଖିଲେ ବିଧାନସଭା ସ୍ଥାୟୀ କମିଟି

ଟୋଲ୍‌ ଗେଟ୍‌ରେ ବସ୍‌-ବେ ନିର୍ମାଣ କର

ଭୁବନେଶ୍ବର : ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ବିଳମ୍ବିତ ହେଉଛି। ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ନୟାଗଡର ଅନ୍ୟ ଭାଗରେ ଏଯାଏ କାମ ଆରମ୍ଭ ହୋଇନାହିଁ। ଯଦିଓ ସରକାରୀ ଜମି ଓ କିଛି ଘରୋଇ ଜମି ଇତିମଧ୍ୟରେ ରେଳବାଇ କର୍ତୃପକ୍ଷଙ୍କୁ ଦିଆଯାଇଛି। ବିଧାୟକ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ସ୍ଥାୟୀ କମିଟି (ପରିବହନ) ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି। କମିଟି ସୁପାରିସ କରିଛନ୍ତି ଯେ ସମସ୍ତ ନଦୀ ଓ ନାଳ ଉପରେ ପୋଲ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ସରକାରୀ ଜମି ଉପରେ ରେଳବାଇ ବିଭାଗ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଦରକାର। କେବଳ ସେତିକି ନୁହେଁ, ଯେଉଁସବୁ ଘରୋଇ ଜମି ଅଧିଗ୍ରହଣ ସରିଲାଣି, ତା ଉପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଆବଶ୍ୟକତା ରହିଛି।

କମିଟି କହିଛି ଯେ ଟୋଲ୍ ଗେଟ୍ ମାନଙ୍କରେ ବସ୍ ବେ ନିର୍ମାଣ ହେବା ଦରକାର। ପାଇଖାନା ଓ ବିଦ୍ୟୁତ ବ୍ୟବସ୍ଥା ହେବା ବାଞ୍ଛନୀୟ। ଏନେଇ ପୂର୍ତ ବିଭାଗ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଜଣାଇୂବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ସେହିପରି ବସ ବେ ନିକଟରେ ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟ ପାଇଁ ବ୍ୟବସ୍ଥା ହେବା ଉଚିତ୍। ଯେଉଁ ସବୁ ବ୍ଲକରେ ବସ ରହଣୀସ୍ଥଳ ନାହିଁ, ସେଠାରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ଲାଗି ବଜେଟରେ ଅର୍ଥ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଅନୁରୂପ ଭାବେ ଜିଲ୍ଲା ମୁଖ୍ୟାଳୟ ବସଷ୍ଟାଣ୍ଡର ନବକଳେବର ଉପରେ କମିଟି ଜୋର ଦେଇଛନ୍ତି। ଏଥିପାଇଁ ବଜେଟ୍‌ରେ ବ୍ୟୟ ବରାଦ ଲାଗି ସୁପାରିସ କରାଯାଇଛି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ଉଷା ଦେବୀ, ବିଷ୍ଣୁ ଚରଣ ଦାସ, ଶଶୀ ଭୂଷଣ ବେହେରା, ଦାଶରଥୀ ଗମାଙ୍ଗ, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଶ୍ରୀକାନ୍ତ ସାହୁ, ଧ୍ରୁବ ଚରଣ ସାହୁ, ସୁବାସ ଚନ୍ଦ୍ର ବେହେରା, ଅଙ୍ଗଦ କହଁର, ମୁକେଶ ମହାଲିଙ୍ଗ ଓ ସନାତନ ବିଜୁଳି ପ୍ରମୁଖ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର