ନୟାଗଡ଼ ଜିଲ୍ଲା ପୁଲିସର ସଫଳତା : ୧୩ ଦିନ ପରେ ଅପହୃତ‌ା ନାବାଳିକା ଉଦ୍ଧାର

ଅପହରଣକାରୀ ଦିବ୍ୟାଙ୍ଗ ଯୁବକ ଗିରଫ, ପୂର୍ବରୁ ଏଭଳି ୬ଟି କାଣ୍ଡ ଭିଆଇଥିଲା, ଛୋଟଛୁଆଙ୍କୁ ଅପହରଣ କରି ଭିକ ମଗାଉଥିଲା

ନୟାଗଡ଼/ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଚାନ୍ଦପୁର ଥାନା ଅଞ୍ଚଳର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀକୁ ଅପହରଣର ୧୩ ଦିନ ପରେ ଆଜି ପୁଲିସ ଉଦ୍ଧାର କରିଛି। ନାବାଳିକାକୁ ଉଦ୍ଧାର କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରେ ନୟାଗଡ଼ ଜିଲ୍ଲା ପୁଲିସ ସମସ୍ତ ବଳ ଲଗାଇ ଦେଇଥିଲା। ଶେଷରେ ଆଜି ଅପରାହ୍ଣରେ ରାଜଧାନୀ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ପରିସରରୁ ନାବାଳିକାକୁ ଉଦ୍ଧାର କରାଯାଇଥିବାବେଳେ ଅପହରଣକାରୀ ଯୁବକ ଶଙ୍କର ଭୋଇକୁ ପୁଲିସ ଗିରଫ କରିଛି। ଶଙ୍କର ଜଣେ ଦିବ୍ୟାଙ୍ଗ ଯୁବକ ହୋଇଥିବା ବେଳେ ପୂର୍ବରୁ‌ ସେ ରାଜ୍ୟର ବିଭିନ୍ନ ଥାନା ଅଞ୍ଚଳରେ ଏହିଭଳି ୬ଟି କାଣ୍ଡ ଭିଆଇଛି। ଛୋଟଛୁଆଙ୍କୁ ଅପହରଣ କରି ସେ ବିଭିନ୍ନ ସ୍ଥାନରେ ଭିକ ମଗାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିୟମନୁଯାୟୀ ସିଡବ୍ଲ୍ୟୁସି ଟିମ୍ ପହଞ୍ଚି ମିତାଲିକୁ ନେଇ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ୧୩ ଦିନ ପରେ ଝିଅକୁ ଫେରିପାଇଥିବାରୁ ମିତାଲିଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୬ ତାରିଖ ଦିନ ଚାନ୍ଦପୁର ଥାନା ଗୋପବନ୍ଧୁ ନଗର ରାଜେଶ କୁମାର ଚୌଧୁରୀଙ୍କ ଝିଅ ମିତାଲି (୮) ସମ୍ପର୍କୀୟ ଭାଇ ରୋହିତ ସହିତ ସ୍ଥାନୀୟ ମହର୍ଷି ପବ୍ଲିକ୍‌ ସ୍କୁଲ୍‌ ପରିସରରେ ‌ଖେଳୁଥିଲା। ଭାଇ, ଭଉଣୀ ସେଠାକୁ ନୂଆ କରି କିଣାଯାଇଥିବା ‌ସାଇକେଲ ନେଇ ଖେଳିବାକୁ ଯାଇଥିଲେ। ରୋହିତ କୌଣସି କାରଣରୁ ଟିକେ ଦୂରକୁ ଚାଲିଯାଇଥିବାବେଳେ ଶଙ୍କର ସେଠା‌ରେ ପହଞ୍ଚିଥିଲା ଏବଂ ମିତାଲିକୁ ଡାକି ତାକୁ କିିଛି ଦ୍ରବ୍ୟ ଶୁଙ୍ଘାଇ ଅପହରଣ କରି ନେଇଯାଇଥିଲା। ପରିବାର ପକ୍ଷରୁ ଏ ନେଇ ପରବର୍ତ୍ତୀ ସମୟରେ ଚାନ୍ଦପୁର ଥାନାରେ ଏତଲା ଦିଆଯାଇଥିଲା। ନୟାଗଡ଼ ଏସ୍‌ପି ନାବାଳିକାକୁ ଉଦ୍ଧାର ପାଇଁ ୪ଟି ଟିମ୍ ଗଠନ କରିଥିଲେ।

ଆଜି ନାବାଳିକା ଜଣକ ଉଦ୍ଧାର ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶଶୀଭୂଷଣ ଶତପଥୀ ଏ ସଂକ୍ରାନ୍ତରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଥିଲେ। ଅପହରଣକାରୀ ଯୁବକ ଶଙ୍କର ଜଣେ ଅନାଥ ହୋଇଥିବାରୁ ତା’ର କୌଣସି ନିର୍ଦ୍ଦିଷ୍ଟ ଠିକଣା ନଥିଲା। ପୁଲିସ ହାତ‌ରେ ଧରାପଡ଼ିବା ପରେ କେ‌ତେବ‌େଳେ ସେ ନିଜ ଠିକଣା ପଶ୍ଚିମବଙ୍ଗ ତ କେତେବେଳେ ବିଶାଖପାଟଣା, ଖୋର୍ଦ୍ଧା ଆଦି କହିଥିଲା। ତା’ର ଗୋଟିଏ ହାତ କାମ କରୁ ନ ଥିଲେ ମଧ୍ୟ ସେ ଖୁବ୍‌ ଧୂର୍ତ୍ତ। ଚାନ୍ଦପୁରର ମିତାଲି ଅପହରଣ ମାମଲାକୁ ମିଶାଇ ୨୦୧୦ ମସିହାରୁ ସେ ରାଜ୍ୟର ବିଭିନ୍ନ ଜାଗାରେ ଏହିଭଳି ୭ଟି ଅପହରଣ କରିଛି। ପୁରୀର ଗଡ଼ିଶାଗୋଦା, ଖୋର୍ଦ୍ଧା, ବାଲୁଗାଁ, ଟାଙ୍ଗୀ, ଭୁବନେଶ୍ବରର ବରଗଡ଼ ଥାନା ଅଞ୍ଚଳରେ ଶଙ୍କର ଏହି ଭଳି କାର୍ଯ୍ୟ ପୂର୍ବରୁ କରିଛି। ପିଲାମାନଙ୍କୁ ଧରି ନେଇ ରେଲ୍‌ୱେ ଷ୍ଟେସନ, ଚିକିତ୍ସାଳୟ ତଥା ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିକ ମଗାଉଥିଲା।

ମିତାଲିକୁ ଅପହରଣ କରିନେବା ପ‌‌‌ରେ ପୁରୀ, ପଶ୍ଚିମବଙ୍ଗ, ବିଶାଖାପାଟଣା, ଭୁବନେଶ୍ବରରେ ନେଇ ଶଙ୍କର ଭିକ ମଗାଉଥିବା ଜଣାପଡ଼ିଛି। ତେବେ ଶଙ୍କର ଜଣେ ଦିବ୍ୟାଙ୍ଗ ଓ ତା’ ସହିତ ଜଣେ ଛୋଟ ପିଲା ଥିବାରୁ ତାକୁ ସହଜରେ କେହି ପିଲାଚୋର ବୋଲି ସନ୍ଦେହ କରୁନଥିଲେ। ନୟାଗଡ଼ ଜିଲ୍ଲା ପୁଲିସ ଶଙ୍କରକୁ ଧରିବା ପାଇଁ ନିଜର ସମସ୍ତ ଉତ୍ସକୁ ଲଗା‌ଇ ଦେଇଥିଲା। ଏପରିକି ବିଶାଖାପାଟଣା ଓ ପୁରୀରେ ଶଙ୍କର ପୁଲିସର ସୂଚନା ପ୍ରଦାନକାରୀଙ୍କ ହାତରୁ ମଧ୍ୟ ଖସିଯାଇଥିଲା। ପ୍ରାଥମିକ ଅବସ୍ଥାରେ ଶଙ୍କର ସମ୍ପର୍କରେ ପୁଲିସକୁ ଏତିକି ସୂଚନା ମିଳିଥିବା ବେଳେ, ଅଧିକ ତଦନ୍ତ ପରେ ସବୁକିଛି ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର