କୋଣାର୍କ କଲେଜରେ +୨ ପ୍ରଶ୍ନପତ୍ର ବିଭ୍ରାଟ : ପୁଣିଥରେ ପରୀକ୍ଷା ଦେବେ ୧୭ ପରୀକ୍ଷାର୍ଥୀ

ମାର୍ଚ୍ଚ ୨୯ ପୂର୍ବାହ୍ନ ୧୦ଟାରେ ହେବ ପରୀକ୍ଷା

ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପ୍ରତିଥର ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷା ପରିଚାଳନା ବିବାଦ ଘେରକୁ ଆସିଛି। ପୁରୀ ଜିଲ୍ଲା କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟରେ ପୂର୍ଣ୍ଣଛେଦ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି ପରିଷଦ କର୍ତୃୃପକ୍ଷ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା କେନ୍ଦ୍ରର ବାଣିଜ୍ୟ ବିଭାଗର ୧୭ ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କର ଆଉ ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଯୁକ୍ତ୨ ପରୀକ୍ଷାର ଶେଷ ଦିନ ଅର୍ଥାତ୍‌ ମାର୍ଚ୍ଚ ୨୯ରେ ପୁଣିଥରେ ଉକ୍ତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ବୋଲି ଆଜି ବସିଥିବା ଯୁକ୍ତ୨ ପରୀକ୍ଷା ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଛି।

ଗତ ୮ ତାରିଖରେ ଯୁକ୍ତ୨ ବାଣିଜ୍ୟ ବିଭାଗର ମାତୃଭାଷା(ଓଡ଼ିଆ) ପରୀକ୍ଷା ଥିଲା। ସେହି ଅନୁଯାୟୀ ଏହି କେନ୍ଦ୍ରରେ ବାଣିଜ୍ୟରେ ୧୭ ଜଣ ରେଗୁଲାର, ୩ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ସମେତ ବିଜ୍ଞାନ ବିଭାଗର ପରୀକ୍ଷାର୍ଥୀ ବି ରହିଥିଲେ। ବାଣିଜ୍ୟ ବିଭାଗରେ ମୋଟ ୨୦ ଜଣ ପରୀକ୍ଷାର୍ଥୀ ଥିବା ବେଳେ ସମସ୍ତଙ୍କୁୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଏକ୍ସ-ରେଗୁଲାର ପଶ୍ନପତ୍ର ପାଇବା ପରେ ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କୁ ଜଣାଇଥିଲେ। ମାତ୍ର ପରୀକ୍ଷକ କିମ୍ବା କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ଏପରକିି ଯେଉଁ ପ୍ରଶ୍ନପତ୍ର ଦିଆଯାଇଛି ତାହାକୁ ଦେଖି ଉତ୍ତର ଲେଖିବାକୁ ପରୀକ୍ଷକ ନିର୍ଦ୍ଦେଶ ଦେଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ନ୍ୟାୟ ପାଇବା ଲାଗି ପରୀକ୍ଷାର୍ଥୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରିଷଦର ଦ୍ୱରସ୍ଥ ହୋଇଥିଲେ। ପରିଷଦ ପକ୍ଷରୁ ମଧ୍ୟ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମଗାଯାଇଥିଲା।

ରିପୋର୍ଟ ମିଳିବା ପରେ ଆଜି ପରୀକ୍ଷା ପରିଚାଳନା କମିଟି ବୈଠକ ଡକାଯାଇଥିଲା। ଏଥିରେ ପରୀକ୍ଷାର୍ଥୀଙ୍କ ସମସ୍ୟା ନେଇ ବିଷଦ ଆଲୋଚନା ହୋଇଥିଲା। ପରୀକ୍ଷାର୍ଥୀଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯାଇପାରିବ ସେନେଇ କମିଟି ସଦସ୍ୟମାନଙ୍କ ମତାମତ ଲୋଡ଼ା ଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ପରେ ଛାତ୍ରଛାତ୍ରୀଙ୍କର ଆଉ ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷା ମାର୍ଚ୍ଚ ୨୯ ତାରିଖ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ। ଏକ୍ସ-ରେଗୁଲାର ପ୍ରଶ୍ନପତ୍ରର ଉତ୍ତର ଲେଖିଥିବା ୧୭ ଜଣ ପରୀକ୍ଷାର୍ଥୀ ହିଁ କେବଳ ପରୀକ୍ଷାରେ ଅଂଶଗ୍ରହଣ କରିବେ। ଏଥିପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ କେନ୍ଦ୍ରକୁ ପଠାଯିବ।

ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ କମିଟି ନିଷ୍ପତ୍ତି ଅନୁଯାୟୀ ଆଉଥରେ ପରୀକ୍ଷା ହେବ। ଦିନ ଓ ସମୟ ମଧ୍ୟ ସ୍ଥିର ହୋଇଛି। ଏଭଳି ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମେ ସେମାନଙ୍କୁ କାରଣଦର୍ଶାଅ ରିପୋର୍ଟ ମଗାଯିବ। ରିପୋର୍ଟ ମିଳିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର