ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ

କୋରାପୁଟ : କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଧର୍ମ ପରିବର୍ତ୍ତନ କରିବେ। ଏଥିପାଇଁ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଆସନ୍ତା ରବିବାର ଦିନ ସେ ନିଜ ପରିବାର ସହିତ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ବିଧାୟକ ସୂଚନା ଦେଇଛନ୍ତି।

ବିଧାୟକ ଶ୍ରୀ ଶଗରିଆ ମୂଳତଃ ହିନ୍ଦୁ ଧର୍ମାବଲମ୍ବୀ। ସେ କୁହନ୍ତି ଯେ, ବୌଦ୍ଧ ଧର୍ମ ରୀତିନୀତି ତାଙ୍କୁ ଆକୃଷ୍ଟ କରିଛି। ଅନୁସୂଚିତ ଜାତି ଓ ଜନଜାତିର ସବୁ ଲୋକ ଏକଦା ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ତେଣୁ ସେ ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏଥିପାଇଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁରୁଜାରେ ବ୍ୟାପକ ଆୟୋଜନ କରାଯାଇଛି। ବାହାରୁ ୪ ଜଣ ବୌଦ୍ଧଭିକ୍ଷୁ ମଧ୍ୟ କୋରାପୁଟରେ ଆସି ପହଞ୍ଚିଛନ୍ତି। ବୁରୁଜାରେ ଆସନ୍ତାକାଲିଠାରୁ ବୌଦ୍ଧ ରୀତିନୀତି ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ଦିନରେ ପ୍ରବଚନ ରହିଛି। ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ବହୁଲୋକ ଯୋଗ ଦେବାର ସୂଚନା ମିଳିିଛି। ରବିବାର ଦିନ ବିଧାୟକ ଓ ତାଙ୍କ ପରିବାର ଲୋକେ ଧର୍ମ ଗ୍ରହଣ କରିବେ। ଏହାସହ ଆଉ ୨୫ରୁ ୩୦ ପରିବାର ସେଦିନ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର