ଟେକ୍ନୋଲୋଜି ସହ କୃ‌ଷକମାନେ ଯୋଡ଼ି ହୁଅନ୍ତୁ: କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା

ବାଲେଶ୍ବରରେ କୃଷି ଜାଗରଣ ମେଳା, ସମ୍ବର୍ଦ୍ଧିତ ହେଲେ ୭୫ ସଫଳ ଚାଷୀ

ବାଲେଶ୍ବର: କୃଷି ଓ କୃଷକର ବିକାଶ ହେଲେ ଭାରତର ବିକାଶ ରଥ ଗଡ଼ିବ। କୃଷି କ୍ଷେତ୍ର ପାଇଁ ଯେଉଁ ସବୁ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି, ସେଥିରେ କୃଷକମାନଙ୍କୁ ଯୋଡ଼ିବାକୁ ପଡ଼ିବ। ଏହି ମେଳା ହିଁ କୃଷକଙ୍କୁ ମାର୍ଗଦର୍ଶନ ‌ଦେବ ଓ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହେବ। ବିଶେଷ କରି କୃଷକ ଭାଇମାନେ ଏକକ ଚାଷ ପ୍ରଣାଳୀକୁ ଛାଡ଼ି ସମନ୍ବିତ ଚାଷକୁ ଗୁରୁତ୍ବ ଦିଅନ୍ତୁ ବୋଲି ଆଜି ବାଲେଶ୍ବର ସହର ଉପକଣ୍ଠ କୁରୁଡ଼ା ପଡ଼ିଆରେ ଅନୁଷ୍ଠିତ ‘କୃଷି ଜାଗରଣ ମେଳା’ରେ ଯୋଗ ଦେଇ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଗୋପାଳନ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି।

ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାକୁ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ଓ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ବାଲେଶ୍ବରରେ ପ୍ରସ୍ତାବିତ ମତ୍ସ୍ୟ ବନ୍ଦର କେନ୍ଦ୍ର କାମ ଆସନ୍ତା ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ରୁପାଲା ପ୍ରତିଶ୍ରୁତି ଦେବା ସହ ଅତ୍ୟାଧୁନିକ ମତ୍ସ୍ୟ ବଜାର ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟପକ୍ଷରେ ବାଲେଶ୍ବରରେ ମତ୍ସ୍ୟ ପାର୍କ ପ୍ରତିଷ୍ଠା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାଲେଶ୍ବରରେ ଆଇସିଏଆର୍‌ର ଆଞ୍ଚଳିକ ମତ୍ସ୍ୟ କେନ୍ଦ୍ର ନଥିବାରୁ ମାଛ ସଂପର୍କିତ ବିଭିନ୍ନ କଥା ଜାଣିବା ପାଇଁ ଚେନ୍ନାଇ ଯିବାକୁ ପଡ଼ୁଛି। ଜିଲ୍ଲାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ମତ୍ସ୍ୟ ଉପରେ ବିଭିନ୍ନ ଗବେଷଣା ସହିତ ଚାଷୀମାନେ ଉପକୃତ ହୋଇପାରିବେ। ଏହା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା। ଏହି ଅବସରରେ ୭୫ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସାଂସଦ ଶ୍ରୀ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ବ୍ଲକ୍‌ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ସମସ୍ତ ଷ୍ଟଲ୍‌ ବୁଲି ଦେଖିବା ସହିତ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ମେଳାରେ ଶତାଧିକ କୃଷକ, ଗୋପାଳକ, କୁକୁଡ଼ା, ଛେଳିପାଳକ, ମତ୍ସ୍ୟଚାଷୀ, ମତ୍ସ୍ୟ ଶିଳ୍ପଦ୍ୟୋଗୀ, କୃଷି ଯନ୍ତ୍ରପାତି ଓ ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, କୃଷି ବୈଜ୍ଞାନିକ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ବିଭିନ୍ନ ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ, ମତ୍ସ୍ୟ-କୃଷକ ଉତ୍ପାଦକ ସଂଘ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, ନାବାର୍ଡ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର