କୃଷି ଓଡ଼ିଶାରେ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ : ୫ ବର୍ଷରେ ନିର୍ମାଣ ହେବ ଏକ ଲକ୍ଷ ବୋରୱେଲ୍‌

ଭୁବନେଶ୍ବର : କୃଷି ଓଡ଼ିଶାର ତୃତୀୟ ଦିବସ ସନ୍ଧ୍ୟାରେ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ ପାଳିତ ହୋଇଥିଲା। ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତି ବ୍ଲକରେ କୃଷି ପାଇଁ ସ୍ବତନ୍ତ୍ର ବୈଠକ ହେବ ଏବଂ ଏହି ବୈଠକରେ କୃଷି ସହ ଜଡ଼ିତ ଅଧିକାରୀମାନେ ସାମିଲ ହୋଇ କୃଷି କ୍ଷେତ୍ରରେ ଯେଉଁ ସମସ୍ୟା ଦେଖାଦେଉଛି, ତାହାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ, ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଜଳସେଚନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଉଛି। ଚାଷ ଜମିକୁ ସବୁ ସମୟରେ ପାଣି ଯୋଗାଇବା ପାଇଁ ବଡ଼ ଡ୍ୟାମ୍‌ ନିର୍ମାଣ, ବୋରୱେଲ ଖନନ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଗତ ୫ ବର୍ଷ ଭିତରେ ୭୦ ହଜାର ବୋରୱେଲ ନିର୍ମାଣ ହୋଇଛି। ଆସନ୍ତା ୫ବର୍ଷ ଭିତରେ ଆହୁରି ୧ ଲକ୍ଷ ବୋରୱେଲ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆପିକଲର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ କମିସନର ଏମ୍‌ ମୁଥୁକୁମାର ସ୍ବାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍‌ ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୩୦ ଜଣ ସଫଳ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ତୃତୀୟ ଦିବସ ପାଠଶାଳାର ପ୍ରଥମ ଅଧିବେଶନରେ ‘ଅଧିକ ଲାଭ ପାଇଁ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା’, ଦ୍ବିତୀୟ ଅଧିବେଶନରେ ଲାଭ ବୃଦ୍ଧି ପାଇଁ ‘ବଜାର ଭିତ୍ତିକ କୃଷି ଉତ୍ପାଦନ ବ୍ୟବସ୍ଥା’ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର