ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର: ବିଭିନ୍ନ ବିଭାଗ ପକ୍ଷରୁ କରାଯାଉଛି ଟେଷ୍ଟ

କଟକ: ଏସ୍‌ସିବି ମେଡିକାଲ୍‌ର ମେଡିସିନ୍‌ ଆଇସିୟୁରେ ଭର୍ତ୍ତି ହୋଇଥିବା କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ପୀଡିତାଙ୍କ ରକ୍ତବାନ୍ତି ହେଉଥିବା ଅଭିଯୋଗ ରହିଥିବା ବେଳେ ଆଜି ତାଙ୍କର ଏଣ୍ଡୋସ୍କୋପି କରାଯାଇଥିଲା। ଏଣ୍ଡୋସ୍କୋପିରୁ ରକ୍ତସ୍ରାବ ନେଇ କିଛି ବି ସୂଚନା ମିଳି ନଥିଲା। ଏଥି ସହିତ ପୀଡିତାଙ୍କ ସାଇକିଏଟ୍ରିକ୍‌ ଟେଷ୍ଟ ମଧ୍ୟ ଆଜି କରାଯାଇଛି। ଟେଷ୍ଟରୁ ପୀଡିତା ଦ୍ୱନ୍ଦ୍ୱ ମଧ୍ୟରେ ରହିଥିବା ଜଣା ପଡିଥିଲା। ଏଥି ସହିତ ପୀଡିତା ମାନସିକ ଚାପରେ ରହିଥିବା ସୂଚନା ମିଳିଛି। ତାଙ୍କର ସାଇକିଏଟ୍ରିକ୍‌ ଥେରାପିର ଆବଶ୍ୟକତା ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ସ୍ନାୟୁରୋଗ ବିଶେଷଜ୍ଞ ମଧ୍ୟ ପୀଡିତାଙ୍କର କେତେକ ପରୀକ୍ଷା କରିଥିଲେ। ତାଙ୍କର କୌଣସି ସ୍ନାୟୁଗତ ସମସ୍ୟା ନଥିବା ପରୀକ୍ଷାରୁ ଜଣାପଡିଛି।

ଆସନ୍ତାକାଳି ବୁଧବାର ହେମାଟୋଲୋଜି ବିଭାଗରେ ପୀଡିତାଙ୍କର କେତେକ ରକ୍ତ ସଂପର୍କିତ ପରୀକ୍ଷା କରାଯିବ। ଏଥି ସହିତ କାର୍ଡିଓଲୋଜି ବିଭାଗରେ ପୀଡିତାଙ୍କର େଇକୋ ଟେଷ୍ଟ କରିବା ପାଇଁ ସ୍ଥିିର କରାଯାଇଛି। ଅନ୍ୟ କେତେକ ପାଥୋଲୋଜି ଟେଷ୍ଟ ମଧ୍ୟ ପୀଡିତାଙ୍କର କରାଯିବ। ପୀଡିତାଙ୍କ ଚିକିତ୍ସା ପାଇଁ ଗଠନ କରାଯାଇଥିବା ୧୧ ଜଣିଆ ଡାକ୍ତରୀ ଦଳର ଆଜି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ରିପୋର୍ଟକୁ ତର୍ଜମା କରାଯାଇଥିଲା। ବୈଠକ ପରେ ଆଜି ମେଡିସିନ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ତଥା ଡାକ୍ତରୀ ଦଳର ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି ଯେ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ବିଭିନ୍ନ ପରୀକ୍ଷା କରାଯାଉଛି। ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ଦଳର ପ୍ରତିନିଧିମାନେ ଏସ୍‌ସିବିରେ ପହଞ୍ଚି ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ପୀଡିତାଙ୍କୁ ସାକ୍ଷାତ କରିବା ସମ୍ଭବ ହୋଇ ନଥିବା ବେଳେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ପୀଡିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳର ସଦସ୍ୟଙ୍କ ସହିତ ଏ ନେଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର