ସୁନ୍ଦରଗଡ଼ : ବିନା ସ୍କ୍ରିନିଂରେ ଘରକୁ ଫେରିଲେ ୫୦ ଶ୍ରମିକ

ସୁନ୍ଦରଗଡ଼ : ଆଜି ସକାଳ ୭ଟାରେ ସୁନ୍ଦରଗଡ଼ ବସଷ୍ଟାଣ୍ଡରେ ଓହ୍ଲାଇଲେ ୫୦ରୁ ଅଧିକ ଗୋଆ ଓ ଚେନ୍ନାଇ ଫେରନ୍ତା ଦାଦନ ଶ୍ରମିକ। ଝାରସୁଗୁଡ଼ା ରେଳ ଷ୍ଟେସନରୁ ଓହ୍ଲାଇ ଏକ ବସ୍‌ଯୋଗେ ସମସ୍ତେ ପହଞ୍ଚିଥିଲେ ସୁନ୍ଦରଗଡ଼। କରୋନା କଟକଣା ଭୟ ହେଉ କି ଘରକୁ ଜଲଦି ପହଞ୍ଚିବାର ଆଗ୍ରହ ହେଉ, ସେମାନେ ଅଟୋ ଓ ଅନ୍ୟ ଭଡ଼ା ଗାଡ଼ିରେ ଯିବାକୁ ତରତର ହୋଇଥିଲେ। ହେଲେ ଏତେ ସଂଖ୍ୟକ ବାହାର ରାଜ୍ୟ ଫେରନ୍ତା ଶ୍ରମିକ ପହଞ୍ଚିଥିବାରୁ ବସଷ୍ଟାଣ୍ଡରେ ହଇଚଇ ଖେଳି ଯାଇଥିଲା। ସେଠାରେ ଉପସ୍ଥିତ ଥିବା ବସ୍‌ କର୍ମଚାରୀ ସଂଘ କର୍ମକର୍ତ୍ତା ସେମାନଙ୍କୁ ଅଟକାଇଥିଲେ। ଏପରିକି ସମସ୍ତଙ୍କ ଅଲକ୍ଷ୍ୟରେ ଅଟୋରେ ଯାଉଥିବା କିଛି ଶ୍ରମିକଙ୍କୁ ବାଟରୁ ବସଷ୍ଟାଣ୍ଡ୍‌କୁ ଫେରାଇ ଅଣାଯାଇଥିଲା। ସମସ୍ତ ଶ୍ରମିକଙ୍କୁ ପ୍ରତୀକ୍ଷାଳୟରେ ଅଟକାଇ ରଖାଯାଇଥିଲା।

ସୂଚନା ପାଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ମଟରଯାନ ନିରୀକ୍ଷକ ରାମଦାମ ଟୁଡୁ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସସ୍ମିତା ବେହେରା, ଟାଉନଥାନା ଅଧିକାରୀ ବିବିତ୍ସ କୁମାର ପ୍ରଧାନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ପହଞ୍ଚିଥିଲେ। ସମସ୍ତଙ୍କ ସ୍କ୍ରିନିଂ କରି ଛଡ଼ାଯିବ ବୋଲି କୁହାଯାଇଥିଲା। ଏହାପରେ ସ୍ବାସ୍ଥ୍ୟ କର୍ମଚାରୀ ସେମାନଙ୍କ ନାମ ଓ ଠିକଣା ଟିପିବା ସହ କାହାକୁ ଜ୍ବର, କାଶ ହେଉଛି କି ବୋଲି ପଚାରିଥିଲେ। ଶ୍ରମିକମାନେ ମନା କରିବା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିଲା।

ତେବେ, ଜ୍ବର, କାଶ, ସର୍ଦ୍ଦି ହେଉଛି କି ନାହିଁ ସେ ସମ୍ପର୍କରେ କୌଣସି ପରୀକ୍ଷା କରିବା ବଦଳରେ ଶ୍ରମିକମାନଙ୍କ କଥାକୁ ହିଁ ବିଶ୍ବାସକୁ ନେଇଥିଲା ସ୍କ୍ରିନିଂ ଦଳ। ଦାଦନ ଶ୍ରମିକ ଘରକୁ ଯିବା ପରେ କେମିତି ରହିବେ, ଗୃହାବଦ୍ଧ ହୋଇ ରହିବାର ଆବଶ୍ୟକତା ଅଛି କି ନାହିଁ ସେ ସମ୍ପର୍କରେ କିଛି ବି ପରାମର୍ଶ ଦିଆଗଲା ନାହିଁ।

ଏ ସମ୍ପର୍କରେ ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ”ଜ୍ବର କି କାଶ ହେଉ ନଥିବା ଶ୍ରମିକମାନେ କହିବା ପରେ ଆଉ ଅଧିକ ପରୀକ୍ଷା କରିବାର ଆବଶ୍ୟକତା ନାହିଁ। ତେବେ ଯେଉଁଠି ଶ୍ରମିକମାନେ ସ୍ବାସ୍ଥ୍ୟ ପରୀକ୍ଷା ଓ ଅନ୍ୟ କଟକଣା ଭୟରେ ପଳାଇଯିବାକୁ ତରତର ହେଉଥିଲେ ଓ ସେମାନଙ୍କୁ ବାଟରୁ ଫେରାଇ ଅଣାଗଲା, ସେଇଠି ସେମାନେ ଜ୍ବର କି ସର୍ଦ୍ଦି ଆକ୍ରାନ୍ତ କଥାକୁ ଯେ ଲୁଚାଇ ନଥିବେ, ସେ କଥା କିଏ କହିବ !’

ଏ ସମ୍ପର୍କରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା କହିଥିଲେ, ”ପ୍ରକୃତରେ ଏଠାରେ ନାମ ଠିକଣା ଟିପି ରଖିବା ପରେ ତାହା ଶ୍ରମିକଙ୍କ ଗାଁ ଅଞ୍ଚଳର ପଞ୍ଚାୟତ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯିବ। ସେଠାରେ ସେମାନଙ୍କ ଉପ‌ରେ ନଜର ରଖାଯିବ। ଜ୍ବର କି ସର୍ଦ୍ଦି ପରି ଲକ୍ଷଣ ଦେଖାଗଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା କେନ୍ଦ୍ରକୁ ଅଣାଯିବ ଅଥବା ପୃଥକୀଗୃହରେ ରଖାଯିବ। ଏହି ଶ୍ରମିକମାନଙ୍କ ମଧ୍ୟରୁ କିଛି ସବଡେଗା, ବାଲିଶଙ୍କରା ଅଞ୍ଚଳ ଓ କିଛି ପଡ଼ୋଶୀ ଛତିଶଗଡ଼ ଯଶପୁର ଅଞ୍ଚଳକୁ ଯାଇଥିବା ଜଣାଯାଇଛି।

ଅନ୍ୟ ଏକ ଘଟଣାରେ ‌ରେଳ ଯୋଗେ ଦିଲ୍ଲୀରୁ ଆସି ରାତିରେ ରାଜଗାଙ୍ଗପୁରରେ ଓହ୍ଲାଇଥିବା ୧୨ ଜଣ ଯୁବକ ପଞ୍ଜିକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ୧୦୪କୁ ମଧ୍ୟ ଡାଏଲ୍‌କରିଥିଲେ। କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ସେମାନଙ୍କୁ ବହୁ ସମୟ ଧରି ଏଠିସେଠି ବୁଲିବାକୁ ପଡ଼ିଲା। ଅନୁରୋଧ ସତ୍ତ୍ବେ ସେମାନଙ୍କୁ ନେବାକୁ କୌଣସି ଗାଡ଼ି ନଆସିବାରୁ ସେମାନେ ବାଧ୍ୟ ହୋଇ ଅଟୋରେ ହସ୍ପିଟାଲ ଯାଇ ପରୀକ୍ଷା କରାଇଥିଲେ। ସୁନ୍ଦରଗଡ଼କୁ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ସ୍କ୍ରିନିଂ ଓ ସ୍ବାସ୍ଥ୍ୟ ପରୀକ୍ଷାର ଏସବୁ ହେଉଛି ବାସ୍ତବତା।

ସମ୍ବନ୍ଧିତ ଖବର