ବିଧାୟକ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ଦାବି, ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କଲେ ପାଞ୍ଚ ଆଇନଜୀବୀ

କଟକ: ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ବିରୋଧରେ କଟକର ପାଞ୍ଚ ଜଣ ଆଇନଜୀବୀ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଜି ଭୁବନେଶ୍ବରଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଆଇନଜୀବୀମାନେ ସାକ୍ଷାତ କରି ଏ ସମ୍ପର୍କରେ ଏକ ପିଟିସନ ପ୍ରଦାନ କରିଛନ୍ତି। ଏଥିରେ ବିଧାୟକଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ଦାବି କରାଯାଇଛି। ସମ୍ବିଧାନର ଧାରା ୧୯୨ ଓ ୧୯୧ ଅନୁସାରେ ଏହି ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ପିଟିସନରେ ଦର୍ଶାଯାଇଛି ଯେ, ୨୦୧୯ରେ ନିର୍ବାଚନ ସମୟରେ ମହମ୍ମଦ ମୋକିମ ଏପ୍ରିଲ ୨ରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପରଦିନ ଅର୍ଥାତ୍‌ ୩ ତାରିଖରେ ସତ୍ୟପାଠ ଦାଖଲ କରିଥିଲେ। ଜନପ୍ରତିନିଧି ଆଇନର ଧାରା ୩୩ ଅନୁସାରେ, ନାମାଙ୍କନ ପତ୍ର ସହିତ ସତ୍ୟପାଠ ଦାଖଲ ‌କରାଯିବା ନିୟମ ରହିଛି। କିନ୍ତୁ ଶ୍ରୀ ମୋକିମ ତାହା କରିନଥିବାରୁ ସମଗ୍ର ପ୍ରକ୍ରିୟାକୁ ସନ୍ଦେହଘେରକୁ ଆଣିଛି। ଆହୁରି ମଧ୍ୟ ସତ୍ୟପାଠରେ ଶ୍ରୀ ମୋକିମ ତାଙ୍କ ବିରୋଧରେ ଥିବା ମାମଲା ଓ ସଂପତ୍ତି ସଂପର୍କରେ ସବୁ ତଥ୍ୟ ଉଲ୍ଲେଖ କରିନାହାନ୍ତି। ଏଭଳି ସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଗ୍ରହଣ ଯୋଗ୍ୟ ନଥିଲା ବୋଲି ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଏଥିସହିତ ନିର୍ବାଚନ କମିସନଙ୍କ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ନାମାଙ୍କନପତ୍ର ଫର୍ମ ଶ୍ରୀ ମୋକିମ ଦାଖଲ କରି ନଥିଲେ। ସେ ଏକ ସ୍ବତନ୍ତ୍ର ନାମାଙ୍କନପତ୍ର ଫର୍ମ ଦାଖଲ କରିଥିଲେ। ଏହା ଆଇନସମ୍ମତ ନାମାଙ୍କନପତ୍ର ନୁହେଁ। ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଠିକ୍ ଭାବେ ଯାଞ୍ଚ କରି ନଥିଲେ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ରାଜ୍ୟପାଳ ସମ୍ବିଧାନର ଧାରା ୧୯୨ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଶ୍ରୀ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରନ୍ତୁ ବୋଲି ପିଟିସନରେ ନିବେଦନ କରାଯାଇଛି।

ଆଇନଜୀବୀ ସାରଦା ପ୍ରସାଦ ତ୍ରିପାଠୀ, ସୌମ୍ୟ ମହାନ୍ତି, ଜଗତଜ୍ୟୋତି ପଟ୍ଟନାୟକ, ଶଶିଭୂଷଣ ଦାସ, ବିଶ୍ବନାଥ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ପିଟିସନ୍ ପ୍ରଦାନ କରିଥିଲେ। ସମସ୍ତ ଆଇନଜୀବୀ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ଭୋଟର ବୋଲି ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରବାଟୀ-କଟକ ଆସନରୁ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦାଖଲ କରିଥିବା ନିର୍ବାଚନ ମୋକଦ୍ଦମା ହାଇକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର