ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ପାଲଟିଛି ପ୍ରହସନ : କୁଷ୍ଠ ରୋଗମୁକ୍ତ ୨୭୨ ଜଣଙ୍କୁ ମିଳୁନି ଜମି

ପୁରୀ : କୁଷ୍ଠ ଭଳି ରୋଗରେ ଆକ୍ରାନ୍ତ ପରେ ସମାଜରେ ହତାଦାର ହେଉଥିବା ଏହି ବ୍ୟକ୍ତିମାନଙ୍କୁ ମିଳୁନି ମୌଳିକ ସୁବିଧା । କେବଳ ସମାଜ ନୁହେଁ, ପ୍ରଶାସନ ବି ଏମାନଙ୍କୁ ହତାଦାର କରୁଛି । ଚାଷ ଜମି, ଘରଠାରୁ ଆରମ୍ଭ ସଂରକ୍ଷଣ ବ୍ୟବସ୍ଥାରେ ସବୁଥିରେ ଏମାନଙ୍କୁ ଅବହେଳା କରାଯାଉଛି । ଯେଉଁଥିପାଇଁ କୁଷ୍ଠ ରୋଗରୁ ମୁକ୍ତ ପରେ ୨୭୨ଜଣ ମହିଳା ଓ ପୁରୁଷ ଗୁଜୁରାଣ ସାଙ୍ଗକୁ ମୁଣ୍ଡ ଗୁଞ୍ଜିବାକୁ ଜମି, ଘର ଖଣ୍ଡେ ପାଇଁ ବହୁଦିନରୁ ଆବେଦନ କରି ବି ଏହି ସୁବିଧାରୁ ବଂଚିତ ହୋଇଛନ୍ତି । ପୁରୀ ଜିଲ୍ଲାର ଏହି ଚିତ୍ର ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଅଙ୍ଗୁଳି ନିର୍ଦେଶ କରୁଛି। ଆବେଦନକାରୀମାନେ ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପସଚିବ ଯଦୁମଣି ମାହାଲା ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆବେଦନକାରୀଙ୍କ ଆବେଦନ ଅନୁଯାୟୀ କ୍ଷେତ୍ର ପରିଦର୍ଶନ ସହ ଆବଶ୍ୟକ ଯାଂଚ ପରେ ଏହି ସୁବିଧା ଯୋଗାଇଦେବାକୁ ଚିଠିରେ କୁହାଯାଇଛି ।

କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ସାମାଜିକ ବାସନ୍ଦ ସହ ଅନେକ ଅପବାଦର ଶିକାର ପରେ ବହୁ କୁଷ୍ଠ ଆକ୍ରାନ୍ତ ଲୋକନାଥ ରୋଡର ଜୀବରାମଜୀ ପଲ୍ଲୀରେ ଏକତ୍ର ରହୁଛନ୍ତି । ଏ ମଧ୍ୟରୁ ବହୁ କୁଷ୍ଠ ଆକ୍ରାନ୍ତ ଏହି ଦୁରାରୋଗ୍ୟରୁ ଆରୋଗ୍ୟ ଭଲ କରି ସାରିଲେଣି । ଯେଉଁମାନେ ପେଟପାଟଣା ପାଇଁ ଚାଷ ଜମି ସାଙ୍ଗକୁ ମୁଣ୍ଡ ଗୁଞ୍ଜିବାକୁ ଜାଗା, ଘର ଚାହୁଁଛନ୍ତି। କୁଷ୍ଠ ଆକ୍ରାନ୍ତ ଭିନ୍ନକ୍ଷମରେ ଗଣା ହେଉଥିବାରୁ ଆଇନ ଅନୁସାରେ ଏମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ କୁଷ୍ଠ ରୋଗରୁ ମୁକ୍ତ ପରେ ପୁରୀରେ ବସବାସ କରୁଥିବା ଏହି ବ୍ୟକ୍ତିମାନେ ଆଜି ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥାରେ ସୁବିଧା ପାଇବାରୁ ବଂଚିତ ଅଛନ୍ତି। ବହୁଦିନରୁ ଜମି ପାଇଁ ଆବେଦନ କରି ବି ନିରାଶ ହୋଇଛନ୍ତି । ଶେଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗକୁ ଚିଠି ଲେଖିବା ପରେ ସଂପୃକ୍ତ ବିଭାଗ କୁଷ୍ଠ ରୋଗରୁ ମୁକ୍ତ ପରେ ଜମି ପାଇଁ ଆବେଦନ କରିଥିବା ମହିଳା ଓ ପୁରୁଷଙ୍କ ଏକ ତାଲିକା ପ୍ରସ୍ତୁତ କରିଛି । ଯେଉଁଥିରେ ଜୀବରାମଜୀ ପଲ୍ଲୀରେ ରହୁଥିବା ୨୭୨ଜଣଙ୍କ ନାଁ ଅନ୍ତର୍ଭୁକ୍ତ ରହିଛି । ଏଥିରେ ୧୫୩ଜଣ ମହିଳା ଓ ବାକି ପୁରୁଷ ରହିଛନ୍ତି । ଚିଠି(ନଂ-୨୨୬୭)ରେ ଉପସଚିବ ଶ୍ରୀ ମାହାଲା ଉଲ୍ଲେଖ କରିଛନ୍ତି କି କୁଷ୍ଠ ଆକ୍ରାନ୍ତ ଓ ଏହି ରୋଗରୁ ମୁକ୍ତ ପାଇଥିବା ବ୍ୟକ୍ତିମାନଙ୍କୁ ସମାଜରେ ହୀନ ଚକ୍ଷୁରେ ଦେଖାଯାଉଛି । ଅପବାଦର ବୋଝ ମୁଣ୍ଡାଇବାକୁ ପଡ଼ୁଛି। ଅନେକାଂଶରେ ସେମାନଙ୍କୁ ଜନବସତିରୁ ଦୂରେଇ ରଖାଯାଉଛି । ଯେଉଁମାନଙ୍କ ପାଖରେ ମୌଳିକ ସୁବିଧା ବି ଉପଲବ୍ଧ ନାହିଁ ।

ଆର୍ପିଡବ୍ଲୁଡି ଆଇନ ୨୦୧୬, ସେକ୍ସନ୍-୨(ଜେଡ୍ସି) ଅନୁଯାୟୀ, ଯେଉଁମାନେ ଏହି ରୋଗରୁ ମୁକ୍ତ ହୋଇ ସାରିଛନ୍ତି, ସେମାନଙ୍କୁ ବି ଭିନ୍ନକ୍ଷମ ଭାବେ ଗଣାଯାଉଛି । ଏହି ଆଇନର ସେକ୍ସନ୍ ୩୭(ଏ) ଅନୁଯାୟୀ, ସରକାର ତଥା ସ୍ଥାନୀୟ ପ୍ରଶାସନ ଏହି ବର୍ଗର ଲୋକଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାରେ ଚାଷ ଜମି ଓ ଘର ଦେବାର ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବାର ବି ବ୍ୟବସ୍ଥା ରହିଛି । ଲୋକନାଥ ରୋଡ୍ ଜୀବରାମଜୀ ପଲ୍ଲୀର ଯେଉଁ ୨୭୨ ଆବେଦନକାରୀ ଅଛନ୍ତି, ସେମାନେ ଏହି ଆଇନ ଅନ୍ତର୍ଭୁକ୍ତ । ଏହି ଦୃଷ୍ଟିରୁ ଆବଶ୍ୟକ ଯାଂଚ କରି ବିହିତ ପଦକ୍ଷେପ ନେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର