ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପୁଣି ଆରମ୍ଭ ହେଉ: ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ରେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଦିଆଯାଉଥିଲା। ଏହାକୁ କେନ୍ଦ୍ର ସରକାର ବନ୍ଦ କରିବା ଦ୍ୱାରା ଗରିବ ଓ କୃଷକ ପରିବାରଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ। ତେଣୁ କେନ୍ଦ୍ର ସରକାର ତୁରନ୍ତ ପିଏମ୍‌ଜିକେଏୱାଇ ଯୋଜନାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଣ ପାଇଁ ବିଜେଡି ଦାବି କରିଛି।

ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଏଥର କେନ୍ଦ୍ର ବଜେଟରେ ପୂର୍ବ ତୁଳନାରେ ଖାଦ୍ୟ ସବ୍‌ସିଡିରେ ପ୍ରାୟ ୭୧,୦୦୦ କୋଟି ଟଙ୍କା ହ୍ରାସ ପାଇଛି। ଏହା ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇବ। ଏହି ହ୍ରାସ ମୁଖ୍ୟତଃ ପିଏମ୍‌ଜିକେଏୱାଇ ବନ୍ଦ ଯୋଗୁଁ ହୋଇଛି। କୋଭିଡ୍ ମହାମାରୀ ପରେ ଶିଳ୍ପ ଓ ଜୀବିକା ସ୍ୱାଭାବିକ ଅବସ୍ଥାକୁ ଆସିବାର ଅଛି। ଗରିବ ଲୋକ ଯାହା କିଛି ସଞ୍ଚୟ କରିଥିଲେ ମହାମାରୀରେ ତାହା ହରାଇଥିଲେ। ଆର୍ଥିକ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିନାହିଁ। ପିଏମ୍‌ଜିକେଏୱାଇ ବନ୍ଦ କରିବା ଦ୍ୱାରା ଗରିବ ଲୋକ ଓ କୃଷକ ପ୍ରଭାବିତ ହେବେ। ୨୦୨୧-୨୨ ତୁଳନାରେ ଖାଦ୍ୟ ସାମଗ୍ରୀ କିଣିବାରେ କେନ୍ଦ୍ର ଚଳିତ ବଜେଟରେ ପ୍ରାୟ ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛି। କୃଷକମାନେ ଖାଦ୍ୟଶସ୍ୟ ବିକ୍ରି ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇବାକୁ ମଧ୍ୟ ବଞ୍ଚିତ ହେବେ। ଗରିବ ଏବଂ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ପିଏମଜିକେଏୱାଇ କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ବିଜେପି ସାଂସଦମାନେ କେନ୍ଦ୍ରରେ ଏହି ପ୍ରସଙ୍ଗ ଉଠାଇବାକୁ ସେ ଆହ୍ବାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଓ ହରିଶ ଚୌଧୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର