ହାତୀ ମୃତ୍ୟୁକୁ ନେଇ ଖୋର୍ଧା ଡିଏଫଓଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ଖୋର୍ଧା ବନଖଣ୍ଡ ମଧ୍ୟରେ ୨୦୧୯ ନଭେମ୍ବରରୁ ଚଳିତ ବର୍ଷ ଏପ୍ରିଲ ୮ ତାରିଖ ମଧ୍ୟରେ ୫ଟି ହାତୀଙ୍କର ମୃତ୍ୟୁ ହୋଇଛି। ମାତ୍ର ନା ଜଣେ ହେଲେ ଶିକାରୀ ଏପର୍ଯ୍ୟନ୍ତ ଗିରଫ ହୋଇଛନ୍ତି ନା ବିଭାଗ ପକ୍ଷରୁ ସେପରି କୌଣସି ପଦ‌କ୍ଷେପ ନିଆଯାଇଛି। ତେଣୁ ଏନେଇ ଖୋର୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂପ୍ରତି ଅବସ୍ଥିତ ଖୋର୍ଧା ଡିଏଫଓଙ୍କ ସମୟରେ ହୋଇଥିବା ହାତୀ ଓ ଚିତାବାଘ ମୃତ୍ୟୁର ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି, ଟାଙ୍ଗୀ ରେଞ୍ଜ ଅଧୀନରେ ୪ଟି ଓ ରଣପୁର ରେଞ୍ଜରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି। ହାତୀ-ମଣିଷ ଲଢ଼େଇ ବୃଦ୍ଧି ପାଇଛି। ରଣପୁରରେ ହୋଇଥିବା ହାତୀ ମୃତ୍ୟୁ ଘଟଣାକୁ ଘୋଡ଼ାଇବାକୁ ‌ଉଦ୍ୟମ ହୋଇଛି। ‌ଏନେଇ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ବାରା ରଣପୁର ଥାନା ଅଧିକାରୀଙ୍କୁ ଏତଲା ମଧ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ ଦୁଇ ଚିତା ବାଘ ଛାଲ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଜବତ ହୋଇଛି। ଏହା ବନ୍ୟଜନ୍ତୁ ପରିଚାଳନାରେ ଦୁର୍ବଳତାକୁ ସୂଚାଉଛି। ତେଣୁ ମୁଖ୍ୟମନ୍ତ୍ରୀ ଘଟଣାକୁ ବିଚାର କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର