ବେଆଇନ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିଲା ପୁଲିସ କର୍ମଚାରୀ: ଟେକା-ପଥର ମାଡ଼ରେ ଗାଡ଼ି ଭାଙ୍ଗିଲା

ରାଇଘର: ବେଆଇନ୍‌ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିବା ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି। ସ୍ଥାନୀୟ ଲୋକଙ୍କର ଆକ୍ରମଣରେ ବିଭାଗର ଗାଡ଼ି ଭାଙ୍ଗିଥିବା ବେଳେ ଜଣେ ପୁଲିସ୍‌ ଇନ୍‌ସପେକ୍ଟର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ତାରିଗାଁ ଠାରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ବେଆଇନ ମଦ କାରବାର ଉପରେ ଉମରକୋଟ ଓ ରାଇଘର ଅବକାରୀ ବିଭାଗର ଅଧିକାରୀଙ୍କ ସହିତ ସ୍ଥାନୀୟ ପୁଲିସର ମିଳିତ ଚଢାଉ ହୋଇଥିଲା। ଏହି ଅବସରରେ ଆଜି ୬୦୦ ପୋଚ ଓ ୫୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଯୋଗୁଁ ମାମଲା ଋଜ୍ଜୁ ହୋଇ ପାରିନଥିବା ଅବକାରୀ ନିରୀକ୍ଷକ ହରିହର ସିଂ ପ୍ରକାଶ କରିଛନ୍ତି । ଏହିି ଚଢଉ ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଉଭୟ ବିଭାଗର କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଏହି ଖଣ୍ଡ ଯୁଦ୍ଧରେ ଗ୍ରାମର କିଛି ଲୋକ ଅବକାରୀ ଓ ପୁଲିସ ଗାଡ଼ିକୁ ଅଟକାଇ ଟେକା ପଥର ଓ ଠେଙ୍ଗା ମାଡ଼ ମାରି କାଚ ଭାଙ୍ଗିବା ସହିତ ଗାଡ଼ି ଭଙ୍ଗାଋଜା କରିଥିବା ଜଣାପଡିଛି। ଏଥିସହିତ ସେମାନଙ୍କ ଆକ୍ରମଣରେ ଥାନା ସବ୍ ଇନିସିପେକ୍ଟର୍ ଓ ଜଣେ ମହିଳା କନେଷ୍ଟବଳ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷରେ ପୁଲିସ ବିଭାଗ ତାରିଗାଁ ଗ୍ରାମବାସୀଙ୍କ ଆଗରୁ ଟାର୍ଗେଟ କରିଥିବା ଜଣାପଡ଼ିଛି । ଗତ ଦୁଇ ମାସ ପୂର୍ବେ ଉକ୍ତ ଗ୍ରାମର କୃଷ୍ଣ କଲାରଙ୍କୁ କୌଣସି ଏକ ଅଭିଯୋଗରେ ରାତି ୧ ଟା ସମୟରେ ଉମରକୋଟ ପୁଲିସ ଭୁଲ୍ ବଶତଃ ଉଠାଇ ନେଇଥିବା ପରେ ଦିନ ତମାମ ରଖି ଛାଡ଼ି ଦେଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିସହିତ ଚଢାଉ ସମୟରେ ଅବକାରୀ ବିଭାଗର କିଛି କର୍ମଚାରୀ ଉପସ୍ଥିତ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଯୋଗୁଁ ଗ୍ରାମବାସୀ ଏହିି ଘଟଣାରେ ରାଗିଯାଇ ପୁର୍ବରୁ ଟାର୍ଗେଟରେ ଥିବା ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ଆଜି ଏହି ଚଢାଉ ସମୟରେ ଅବକାରୀ ନିରୀକ୍ଷକ ହରିହର ସିଂ, କନେଷ୍ଟବଳ ମନୁ ହିଆଲ୍ , କୁଶ ଜାଲଙ୍କ ସମେତ ଏକ ୧୨ ଜଣିଆ ଏପିଆର୍ ଟିମ୍ ଯାଇଥିବା ବେଳେ ସ୍ଥାନୀୟ ପୁଲିସ ପକ୍ଷରୁ ସବ୍ ଇନିସିପେକ୍ଟର୍ ମନୋଜ କୁମାର ବେହେରା, ମହିଳା କନେଷ୍ଟବଳ ଗୌରୀ ଖରା ଓ ଉମାକାନ୍ତ ହୀରନ ପ୍ରମୁଖ ଯାଇଥିଲେ। ଅପରପକ୍ଷରେ ଖବର ଲେଖା ହେବା ଯାଏଁ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପୁଲିସ ପକ୍ଷରୁ ଏହିି ଘଟଣାରେ କାହାକୁବି ଗିରଫ କରା ଯାଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର