କର୍ମଚାରୀ ନାହାନ୍ତି, କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ ’କବି ଭବନ’ରେ ଝୁଲୁଛି ତାଲା

ବରପାଲି : ବରଗଡ଼ ଜିଲ୍ଲା ବରପାଲିସ୍ଥିତ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠରେ ଝୁଲୁଛି ତାଲା। ସମାଧି ପୀଠ ହେଉ କି କବି ଭବନ ହେଉ ସବୁଠି କବିଙ୍କ ସ୍ମୃତିରକ୍ଷାକୁ ଅବହେଳା କରାଯାଉଛି। ଯାହା ଗଙ୍ଗାଧରପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। କବିଙ୍କ ପୈତୃକ ବାସଭବନ ‘କବି ଭବନ’ ନାମରେ ପରିଚିତ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ରାଜ୍ୟ ସଂସ୍କୃତି ବିଭାଗ ହାତରେ ରହିଛି। କିନ୍ତୁ କବି ଭବନରେ ଗତ ମାସେ ହେଲା ତାଲା ପଡ଼ିଛି। ଏହାର ରକ୍ଷଣାବେକ୍ଷଣ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଜଣେ ମାତ୍ର କର୍ମଚାରୀ ଆଶୁତୋଷ ବେହେରା ନିଯୁକ୍ତି ପାଇଥିଲେ। ସେ ଗତ ୨୦୧୭ ମସିହାରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ପୁଣି ନିଯୁକ୍ତି ଦିଆଯାଇଥିଲା। ଗତ ଜାନୁଆରି ୧ ତାରିଖ ଦିନ ସେ ଅବସର ଗ୍ରହଣ କରିଛନ୍ତି। ପୂର୍ବରୁ କବିଙ୍କ ଜନ୍ମ ହୋଇଥିବା କୋଠରିରେ ଏକ ତୈଳଚିତ୍ରରେ ପ୍ରତ୍ୟହ ଫୁଲ ଓ ଧୂପ ଦିଆଯାଉଥିଲା। ଏହି ବିଧି ବି ବନ୍ଦ ରହିଛି। ନୂଆ କର୍ମଚାରୀ ନିଯୁକ୍ତି ପାଇନଥିବାରୁ ଦୂର ଦୂରାନ୍ତରରୁ ଆସୁଥିବା ପର୍ଯ୍ୟଟକ ଓ ସାହିତ୍ୟାନୁରାଗୀ ନିରାଶ ହୋଇ ଫେରୁଛନ୍ତି।

ଅନ୍ୟପକ୍ଷରେ କବି ଭବନରେ ୮୩୨୫ ପୁସ୍ତକର ଏକ ଲାଇବ୍ରେରି ମଧ୍ୟ ରହିଛି। ପାଠକମାନେ ସେଠାକୁ ନିୟମିତ ପୁସ୍ତକ ପଠନ ପାଇଁ ଆସୁଥିଲେ। ଏବେ ସେମାନେ ବି ନିରାଶ। ଛାତ ମରାମତି ଅଭାବରୁ ଏଠାରେ ପାଣି ଗଳିଥାଏ। ତେବେ ମାସେ ହେଲା ବନ୍ଦ ଥିବାରୁ କୋଠରି ଖୋଲିଲେ ହିଁ ପୁସ୍ତକଗୁଡ଼ିକର ଅବସ୍ଥା ଜଣାପଡ଼ିବ। ଏହାର ସୁରକ୍ଷା ପାଇଁ ସରକାରୀ ଅନୁଦାନ ଆସୁଥିଲେ ହେଁ ଆଖିଦୃଶିଆ କାମ ହେଉନାହିଁ। ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କବି ଭବନରେ କର୍ମଚାରୀ ନିଯୁକ୍ତି ସହ ପୁସ୍ତକଗୁଡ଼ିକର ରକ୍ଷଣାବେକ୍ଷଣ  କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର